ଦୋକାନର ଗୋଦାମ ଘରେ ୪ ଫୁଟ ଉଚ୍ଚ ପାଣି, ୧୦ ଲକ୍ଷ ଟଙ୍କାର ସାମଗ୍ରୀ ନଷ୍ଟ
ରାମନାଗୁଡା, (ୱାଇଏନଏସ): କୋଲନରା ବ୍ଲକ ଅନ୍ତର୍ଗତ ମୁକୁନ୍ଦପୁର ଗ୍ରାମରେ ଥିବା ସୋନୁ ଏଣ୍ଟରପ୍ରାଇଜେସ ଦୋକାନ ତଳେ ରହିଥିବା ଗୋଦାମ ଗୃହରେ ଏହି ଲଗାଣ ବର୍ଷା ଯୋଗୁଁ ୪ ଫୁଟ ଉଚ୍ଚର ପାଣି ଜମି ରହିଯାଇଥିଲା। ଫଳରେ ଗୋଦାମ ଗୃହରେ ରହିଥିବା ବହୁ ମୂଲ୍ୟବାନ ସାମଗ୍ରୀ ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଥିବା ବେଳେ ମୁକୁନ୍ଦପୁର ଅଞ୍ଚଳରେ ମଧ୍ୟ ବର୍ଷାର ପ୍ରକୋପ ବୃଦ୍ଧି ପାଇବା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଇଥିଲା। ଏହି ଲଗାଣ ବର୍ଷା ଯୋଗୁଁ ଦୀର୍ଘ ୩ ଦିନ ଧରି ଗ୍ରାମର ସୋନୁ ଏଣ୍ଟରପ୍ରାଇଜେସ ଦୋକାନ ବନ୍ଦ ରହିଥିଲା ଏବଂ ବର୍ଷା ପାଣି ଗୋଦାମ ଗୃହରେ ୪ ଫୁଟ ଉଚ୍ଚତା ବିଶିଷ୍ଟ ପାଣି ଜମି ଯାଇଥିଲା। ଫଳରେ ଗୋଦାମରେ ଥିବା ଫ୍ରିଜ, ଏଲଇଡି, ୱାସିଙ୍ଗ ମେସିନ, ଗୋଡେରେଜ, ଫ୍ୟାନ, କୁଲର, ପଲଙ୍କ ଖଟ ଓ ଡ୍ରେସିଂ ଟେବୁଲ ଭଳି ବହୁ ମୂଲ୍ୟବାନ ସାମଗ୍ରୀ ନଷ୍ଟ ହୋଇ ଯାଇଥିବା ବେଳେ ପାଖାପାଖି ୧୦ ଲକ୍ଷ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଯାଇଥିବା ଦୋକାନ ମାଲିକ ବିଶ୍ୱନାଥ ସେନାପତି କହିଛନ୍ତି। ଆଜି ଦୋକାନରେ ପାଣି ଜମିବା ଦେଖି ସ୍ଥାନୀୟ ଲୋକେ ଦୋକାନ ମାଲିକ ବିଶ୍ୱନାଥ ସେନାପତିଙ୍କୁ ଜଣେଇଥିଲେ। ଖବର ପାଇ ବିଶ୍ୱନାଥ ସଙ୍ଗେ ସଙ୍ଗେ ଦୋକାନକୁ ଯାଇ ଦେଖିଲା ବେଳକୁ ଗୋଦାମ ଘରେ ୪ ଫୁଟ ଉଚ୍ଚର ପାଣି ଜମି ଯାଇଥିବା ଦେଖିବାକୁ ପାଇ ସଙ୍ଗେ ସଙ୍ଗେ କୋଲନରା ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ପ୍ରଥମେ ସ୍ଥାନୀୟ ଲୋକଙ୍କ ସହଯୋଗରେ ଏକ ମଟର ଲଗାଇ ଜମି ରହିଥିବା ପାଣିକୁ ନିଷ୍କାସନ କରିବାକୁ ଚେଷ୍ଟା କରିଥିଲେ। ପରେ କୋଲନରା ଅଗ୍ନିଶମ ବାହିନୀର କର୍ମଚାରୀ ପହଞ୍ଚି ମେସିନ ସାହାଯ୍ୟରେ ପାଣି ନିଷ୍କାସନ କରିବାରେ ସଫଳ ହୋଇଥିଲେ। ବ୍ୟାଙ୍କରେ ଲୋନ କରି ଦୋକାନ କରିଥିବା ବିଶ୍ୱନାଥ ଏବେ ପାଖାପାଖି ୧୦ ଲକ୍ଷ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଯାଇ ଥିବା ଦେଖି ଚିନ୍ତାରେ ରହିଛନ୍ତି।


