ଶିଶୁ ଭବନର ଐତିହାସିକ କୋଠା ହେବ ସଂଗ୍ରହାଳୟ!

କଟକ,(ଓ୍ବାଇଏନଏସ): ଭଙ୍ଗାଯିବନି ଶିଶୁ ଭବନ ପରିସରରେ ଥିବା ଐତିହାସିକ କୋଠା। ଏହାକୁ ସଂରକ୍ଷଣ କରାଯାଇ ସଂଗ୍ରହାଳୟରେ ପରିଣତ କରିବା ନେଇ ଉଦ୍ୟମ ଆରମ୍ଭ ହୋଇଛି। ରାଜ୍ୟର ଇତିହାସ ସହ ଗଭୀର ଭାବେ ଜଡ଼ିତ ଏହି ପ୍ରାସାଦ ସଦୃଶ କୋଠାଟି ଦିନେ ଓଡ଼ିଶାର ରାଜଭବନ ଭାବେ ବ୍ୟବହୃତ ହୋଇଥିଲା।
ଏହି ଐତିହାସିକ କୋଠାର ସମ୍ପର୍କ ମୋଗଲ, ମରାଠା ଓ ବ୍ରିଟିଶ ଶାସନ କାଳ ସହ ରହିଛି। ଭାରତର ସ୍ୱାଧୀନତା ସଂଗ୍ରାମ ସମୟରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ସମେତ ଅନେକ ସ୍ୱାଧୀନତା ସଂଗ୍ରାମୀଙ୍କ ସହ ଜଡ଼ିତ ବିଭିନ୍ନ ବୈଠକର ମଧ୍ୟ ଏହି କୋଠା ସାକ୍ଷୀ ରହିଛି। ସ୍ୱାଧୀନତା ପରେ ମଧ୍ୟ ୧୯୪୮ ମସିହା ପର୍ଯ୍ୟନ୍ତ ଏହା ଓଡ଼ିଶାର ରାଜଭବନ ଭାବେ ବ୍ୟବହୃତ ହୋଇଥିଲା। ପରବର୍ତ୍ତୀ ସମୟରେ ରାଜଭବନ ଭୁବନେଶ୍ୱରକୁ ସ୍ଥାନାନ୍ତର ହେବା ପରେ ଏହି କୋଠାକୁ ଶିଶୁ ଭବନରେ ପରିଣତ କରାଯାଇଥିଲା। ଦୀର୍ଘ ବର୍ଷ ଧରି ଏଠାରେ ଶିଶୁମାନଙ୍କ ଚିକିତ୍ସା ପାଇଁ ଶିଶୁ ୱାର୍ଡ ଚାଲୁଥିଲା। ପରେ ଶିଶୁ ୱାର୍ଡ ଅନ୍ୟତ୍ର ସ୍ଥାନାନ୍ତର ହେବା ପରେ ଏହି ପୁରୁଣା କୋଠାରେ ଚିକିତ୍ସାସେବା ବନ୍ଦ ହୋଇଥିଲା। ବର୍ତ୍ତମାନ କୋଠାଟି ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। କେତେକ ସ୍ଥାନରେ କାନ୍ଥରେ ଶିଉଳି ଜମିଥିବା ବେଳେ ଚାରିପାଖରେ ଅନାବନା ଗଛଲତା ମାଡ଼ିଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାକୁ ବିପଦସଙ୍କୁଳ ବୋଲି ବିଚାର କରାଯାଇ ଭାଙ୍ଗିବା ପାଇଁ ପଦକ୍ଷେପ ନିଆଯାଉଥିଲା। ଏହାକୁ ନେଇ ଐତିହାସିକ କୋଠାର ସଂରକ୍ଷଣ ନେଇ ଆଲୋଚନା ଆରମ୍ଭ ହୋଇଥିଲା। ତେବେ ଶିଶୁ ଭବନ କର୍ତ୍ତୃପକ୍ଷ ଏହି ଜରାଜୀର୍ଣ୍ଣ କୋଠାକୁ ସଂରକ୍ଷଣ କରି ସଂଗ୍ରହାଳୟରେ ପରିଣତ କରିବାକୁ ପ୍ରସ୍ତାବ ଦେଇଛନ୍ତି।ବୁଦ୍ଧିଜୀବୀମାନେ ମଧ୍ୟ ଐତିହାସିକ କୋଠାର ତୁରନ୍ତ ମରାମତି ଓ ସଂରକ୍ଷଣ ଦାବି କରିଛନ୍ତି। ଏଠାରେ ଐତିହାସିକ ତଥ୍ୟ, ପୁରୁଣା ଦସ୍ତାବିଜ ଓ ଅନ୍ୟାନ୍ୟ ଐତିହ୍ୟ ସମ୍ପର୍କିତ ସାମଗ୍ରୀ ପ୍ରଦର୍ଶନ ସହ ମନୋରଞ୍ଜନର ବ୍ୟବସ୍ଥା କରାଯିବାକୁ ମଧ୍ୟ ମତ ପ୍ରକାଶ ପାଇଛି। କଟକ ମେୟର ସୁବାସ ସିଂହ କହିଛନ୍ତି, ଏହି ଐତିହାସିକ କୋଠାକୁ ଭଙ୍ଗିବାକୁ ଦିଆଯିବ ନାହିଁ। ସହରର ଅନ୍ୟାନ୍ୟ ଐତିହ୍ୟସ୍ଥଳୀ ସହ ଏହାକୁ ମିଶାଇ ଏକ ‘କଲୋନିଆଲ୍ ମ୍ୟୁଜିୟମ୍’ ବା ଔପନିବେଶିକ ସଂଗ୍ରହାଳୟ ଭାବେ ବିକଶିତ କରିବା ନେଇ ଉଦ୍ୟମ କରାଯିବ। ଶିଶୁ ଭବନର ଅଧୀକ୍ଷକ ଡା. ସୁନୀଲ ଅଗ୍ରୱାଲ କହିଛନ୍ତି, “ଶିଶୁ ଭବନ ପରିସରରେ ଯଦି ଜି+୬ କୋଠାରେ ୮୪୬ଟି ଶଯ୍ୟାର ବ୍ୟବସ୍ଥା କରାଯାଇପାରୁଛି, ତେବେ ଏହି ଐତିହାସିକ କୋଠାକୁ ସଂରକ୍ଷଣ କରି ଓଡ଼ିଶାର ଐତିହ୍ୟକୁ ମଧ୍ୟ ସୁରକ୍ଷିତ ରଖାଯାଇପାରିବ। ଏହାକୁ ସଂଗ୍ରହାଳୟର ରୂପ ଦିଆଗଲେ ଏଠାରେ ରହୁଥିବା ଶିଶୁମାନଙ୍କ ଅଭିଭାବକମାନେ ଖାଲି ସମୟରେ କିମ୍ବା ସନ୍ଧ୍ୟା ସମୟରେ ଏହା ପରିଦର୍ଶନ କରିପାରିବେ। ଏହା ଆମ ଐତିହ୍ୟ ସଂରକ୍ଷଣରେ ସହାୟକ ହେବ।”
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ