ଜିଲ୍ଲାସ୍ତରୀୟ ‘ସମ୍ବନ୍ଧ’ ମେଗା ସଦସ୍ୟତା ଅଭିଯାନର ଶୁଭାରମ୍ଭ
କଟକ, (ଓ୍ବାଇଏନଏସ):ରାଜ୍ୟ ସରକାରଙ୍କ ସମବାୟ ବିଭାଗ ଦ୍ଵାରା ରାଜ୍ୟବ୍ୟାପୀ ‘ସମ୍ବନ୍ଧ’ (SAMBANDHA) ମେଗା ସଦସ୍ୟତା ଅଭିଯାନର ଶୁଭାରମ୍ଭ କରାଯାଇଛି । ଏହି ଅଭିଯାନର ରାଜ୍ୟସ୍ତରୀୟ ଶୁଭାରମ୍ଭ ଭୁବନେଶ୍ୱରସ୍ଥିତ ଓୟୁଏଟି (OUAT) କୃଷି ଶିକ୍ଷା ସଦନଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ କରାଯାଇଥିବା ବେଳେ ଏହାର ସିଧାପ୍ରସାରଣ ସହ ଜିଲ୍ଲାସ୍ତରୀୟ ଶୁଭାରମ୍ଭ ଆଜି ପୂର୍ବାହ୍ନରେ ନେତାଜୀ ସଂସ୍କୃତି ଭବନଠାରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମାନ୍ୟବର କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ଗ୍ରାମାଞ୍ଚଳର ପ୍ରତ୍ୟେକ ପରିବାରରୁ ଅତି କମରେ ଜଣେ ସଦସ୍ୟଙ୍କୁ ପ୍ରାଥମିକ କୃଷି ସମବାୟ ସମିତି (PACS) ସହିତ ଯୋଡ଼ିବା ଏହି ମେଗା ସଦସ୍ୟତା ଅଭିଯାନର ପ୍ରମୁଖ ଲକ୍ଷ୍ୟ। ଏହାଦ୍ୱାରା ସମବାୟ ବ୍ୟବସ୍ଥାରେ ଅଧିକରୁ ଅଧିକ ଲୋକଙ୍କ ଅଂଶଗ୍ରହଣ ସୁନିଶ୍ଚିତ ହେବା ସହ ଗ୍ରାମୀଣ ଅର୍ଥନୀତି ଓ ଜୀବିକାକୁ ଅଧିକ ସୁଦୃଢ଼ କରାଯାଇପାରିବ। ସେ କହିଥିଲେ ଯେ, ଏହି ଅଭିଯାନରେ ସମବାୟ ସଂସ୍ଥାଗୁଡ଼ିକୁ ଅଧିକ ସଶକ୍ତ କରିବା ସହ ପ୍ରତ୍ୟେକ ପରିବାରକୁ ଆତ୍ମନିର୍ଭର କରିବା ଦିଗରେ ଏହି ଅଭିଯାନ ସହାୟକ ହେବ। ସରକାରଙ୍କ ବିଭିନ୍ନ ଯୋଜନାରେ ଲାଭାର୍ଥୀଙ୍କ ଆକାଉଣ୍ଟକୁ DBT (Direct Benefit Transfer) ମାଧ୍ୟମରେ ସିଧାସଳଖ ଅର୍ଥ ପ୍ରଦାନ କରାଯାଉଥିବାରୁ ମଧ୍ୟସ୍ଥତା ହ୍ରାସ ପାଇବା ସହ ସ୍ୱଚ୍ଛତା ବୃଦ୍ଧି ପାଇଛି ବୋଲି ସେ ଉଲ୍ଲେଖ କରିଥିଲେ। ଏହି ଅବସରରେ ମାନ୍ୟବର ସାଂସଦ ଜଗତସିଂହପୁରଙ୍କ ପ୍ରତିନିଧି ଶ୍ରୀ ବନ୍ଧୁଚରଣ ସାହୁ , ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ, ଅତିରିକ୍ତ ଜିଲ୍ଲାପାଳ ଡଃ ଇପସିତା ପ୍ରିୟଦର୍ଶିନୀ ମିଶ୍ର, ମୁଖ୍ୟ ଜିଲ୍ଲା ପ୍ରାଣୀଚିକିତ୍ସା ଅଧିକାରୀ ଡଃ ସୁଶାନ୍ତ କୁମାର ନାୟକ, ଜେନେରାଲ ମ୍ୟାନେଜର ଦୁଗ୍ଧ ସଂଘ କଟକ ଶ୍ରୀ ସରୋଜ ସାହୁ, କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅନନ୍ତ କୁମାର ସାମଲଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ। ଉପ-ନିବନ୍ଧକ ସମବାୟ ସମିତି ସମୂହ କଟକ ବିଭାଜନ ସୁଶ୍ରୀ ସୁପ୍ରିୟା ସ୍ଵାଇଁ ସମସ୍ତ ସଭା ପରିଚାଳନା କରିଥିଲେ ।


