ଲଗାଣ ବର୍ଷାରେ ମାସକ ମଧ୍ୟରେ ଉପୁଡ଼ିଲା ହାଇମାଷ୍ଟ ଲାଇଟ : ନିମ୍ନମାନର କାର୍ଯ୍ୟ ଅଭିଯୋଗ
ନାଉଗାଁ ,(ପ୍ରଦୋଷ ମହାନ୍ତି) ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ଘୋଡ଼ାଂଶ ପଞ୍ଚାୟତର ତୋଟାପଟଣା ଗ୍ରାମରେ ଲଗାଣ ବର୍ଷାରେ ମାତ୍ର ମାସକ ତଳେ ସ୍ଥାପିତ ହୋଇଥିବା ଏକ ହାଇମାଷ୍ଟ ଲାଇଟ ଉପୁଡ଼ି ପଡ଼ିଛି। ଫଳରେ ହାଇମାଷ୍ଟ ଲାଇଟ ସ୍ଥାପନ କାର୍ଯ୍ୟର ମାନ ଓ ସ୍ଥାନ ନିରୂପଣକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ପ୍ରଶ୍ନ ଉଠିଛି।ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଅନୁଯାୟୀ, ଲାଇଟଟି ମାତ୍ର ମାସକ ତଳେ ସ୍ଥାପନ କରାଯାଇଥିଲା। ଯେଉଁ ଠାରେ ଲଗାଯାଇଛି ତାକୁ ଲାଗି ଗୋବର ଗଦା ହୋଇଛି | ତେଣୁ ଏ ଜାଗାରେ ଲାଗିବା ଠିକ ନୁହେଁ | ତେବେ ଲଗାଣ ବର୍ଷା ଓ ପବନରେ ଏହା ଉପୁଡ଼ି ପଡ଼ିବାରୁ କାର୍ଯ୍ୟର ମାନକୁ ନେଇ ସେମାନେ ସନ୍ଦେହ ପ୍ରକାଶ କରିଛନ୍ତି। ଲାଇଟ ସ୍ଥାପନ ପୂର୍ବରୁ ଉପଯୁକ୍ତ ସ୍ଥାନ ଚୟନ କରାଯାଇ ନଥିବା ମଧ୍ୟ ଅଭିଯୋଗ ହୋଇଛି। ବିଦ୍ୟାଳୟ ସମ୍ମୁଖ କିମ୍ବା ପୋଲ ନିକଟରେ ଏହାକୁ ସ୍ଥାପନ କରାଯାଇଥିଲେ ଏଭଳି ସମସ୍ୟା ହୋଇନଥାନ୍ତା ବୋଲି ପ୍ରତାପ ଚନ୍ଦ୍ର ଦାସ, ଯୁଧିଷ୍ଠିର କାବୁ, ଅନନ୍ତ ନାରାୟଣ ଜେନା, ପବିତ୍ର ଦାସ, କାର୍ତ୍ତିକ କାବୁ, କବିତା ଦାସ ଓ ଦିପାଳି ଦାସ ପ୍ରମୁଖ କହିଛନ୍ତି।
ଏ ସମ୍ପର୍କରେ ନାଉଗାଁ ବିଡିଓ ନିରଞ୍ଜନ ପରିଡ଼ାଙ୍କୁ ପଚାରିବାରୁ, ସେ କହିଲେ ମୁଁ ଜେଇ ଙ୍କୁ ଏ ସମ୍ପର୍କ ରେ ପଚାରି ବୁଝୁଥିଲି ସେ କହିଲେ ତାଙ୍କ ଜାଣତରେ ଏ ହାଇମାଷ୍ଟ ଲାଇଟଟି ବସି ନାହିଁ କି କେଉଁ ଠାରେ ଓ କିଏ ସ୍ଥାପନ କରିଛି ସେ ସମ୍ପର୍କରେ ଜଣାନଥିବା କହିଥିଲେ। ଏ ନେଇ ତଥ୍ୟ ଜାଣିବା ପରେ କହିବେ ବୋଲି ସେ ପ୍ରକାଶ କରିଥିଲେ।
ସେହିପରି ଘୋଡ଼ାଂଶ ସରପଞ୍ଚ ନିହାର ରଞ୍ଜନ ବସ୍ତିଆ କହିଛନ୍ତି ଯେ, ଲାଇଟଟି କିଏ ସ୍ଥାପନ କରିଛି ସେ ସମ୍ପର୍କରେ ସେ ଅବଗତ ନୁହନ୍ତି। ପଞ୍ଚାୟତ ଏହାର ବିଦ୍ୟୁତ ବିଲ ଓ ରକ୍ଷଣାବେକ୍ଷଣ ଦାୟିତ୍ୱ ନେଉଥିବା ବେଳେ ସ୍ଥାପନ ସମୟରେ ସରପଞ୍ଚଙ୍କୁ କାହିଁକି ଅବଗତ କରାଯାଇନଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଉପଯୁକ୍ତ ସ୍ଥାନରେ ଲାଇଟ ସ୍ଥାପନ ନକରି ନିମ୍ନମାନର କାର୍ଯ୍ୟ କରାଯାଇଥିବା ନେଇ ମଧ୍ୟ ସେ ଅଭିଯୋଗ କରିଛନ୍ତି। ଘଟଣାର ତଦନ୍ତ କରାଯାଇ ଲାଇଟ ସ୍ଥାପନର ମାନ, ଖର୍ଚ୍ଚ ଓ ସ୍ଥାନ ଚୟନ ସମ୍ପର୍କରେ ସ୍ପଷ୍ଟତା ଆଣିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।


