ଭଙ୍ଗା କ୍ୟାବିନ୍ରେ ବିତୁଛି ଜୀବନ, ସରକାରୀ ସହାୟତା ଅପେକ୍ଷାରେ ସବିତା
କଟକ,(ଓ୍ବାଇଏନଏସ): ମୁଣ୍ଡ ଉପରେ ଛାତ ନାହିଁ, ପେଟ ପାଇଁ ନିଶ୍ଚିତ ରାସନ ନାହିଁ। ଭଙ୍ଗା କ୍ୟାବିନ୍ ଭିତରେ ଦୟନୀୟ ଅବସ୍ଥାରେ ଜୀବନ କାଟୁଛନ୍ତି ୬୭ ବର୍ଷୀୟା ସବିତା ମହାନ୍ତି। ଦିନେ ଖରା, ରାତିରେ ଶୀତ କାକର, ଆଉ ବର୍ଷା ହେଲେ କ୍ୟାବିନ୍ ଭିତରେ ପାଣି—ଏଭଳି ପରିସ୍ଥିତିରେ ବର୍ଷ ବର୍ଷ ଧରି କଟୁଛି ତାଙ୍କ ଜୀବନ। ରେସନ କାର୍ଡଠାରୁ ଆବାସ ଯୋଜନା ପର୍ଯ୍ୟନ୍ତ ସରକାରୀ ସୁବିଧା ତାଙ୍କ ପାଖରେ ପହଞ୍ଚିନଥିବା ଅଭିଯୋଗ ହୋଇଛି। କଟକ ଚାଉଳିଆଗଞ୍ଜ ତଳସାହିର କୁମାରୀ ସବିତା ମହାନ୍ତିଙ୍କ ଏହି ଦୁର୍ଦ୍ଦଶା ଏବେ ମାନବିକତା ସହ ପ୍ରଶାସନିକ ବ୍ୟବସ୍ଥା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛି। ପିଲାଦିନେ କୁଷ୍ଠ ରୋଗରେ ଆକ୍ରାନ୍ତ ହୋଇଥିଲେ ସବିତା। ଏହାର ପ୍ରଭାବରେ ତାଙ୍କ ହାତର ଆଙ୍ଗୁଳି ନଷ୍ଟ ହୋଇଯାଇଥିଲା। ରୋଗକୁ ନେଇ ସାମାଜିକ ଅବହେଳାର ଶିକାର ହୋଇ ସେ ନିଜ ବାପା-ମା’ଙ୍କଠାରୁ ଅଲଗା ହୋଇ ଏକ ଛୋଟ କ୍ୟାବିନ୍ରେ ରହିବାକୁ ବାଧ୍ୟ ହୋଇଥିଲେ। ସମୟ ବଦଳିଛି। ବାପା-ମା’ ଆରପାରିରେ। ହେଲେ ବଦଳିନାହିଁ ସବିତାଙ୍କ ଜୀବନର ଦୁର୍ଦ୍ଦଶା। ଆଜି ବି ସେହି ଭଙ୍ଗା କ୍ୟାବିନ୍ ହିଁ ତାଙ୍କ ଆଶ୍ରୟ। ବର୍ଷା, ଖରା ଓ ଶୀତ କାକରରେ ଅସୁରକ୍ଷିତ ପରିବେଶରେ ଦିନ କାଟୁଛନ୍ତି ସେ। ସବିତାଙ୍କ ସାନଭାଇ ଅଭୟ ମହାନ୍ତି ନିଜ ସାଧ୍ୟମତେ ଭଉଣୀଙ୍କ ନିତିଦିନର ଦେଖାଶୁଣା କରୁଛନ୍ତି। ଦୁଃଖସୁଖରେ ଅଭୟ ହିଁ ତାଙ୍କର ମୁଖ୍ୟ ସାହାରା ପାଲଟିଛନ୍ତି। ତେବେ ସବିତାଙ୍କ ନିକଟରେ ଏଯାଏଁ ସରକାରୀ ସହାୟତା ପହଞ୍ଚିନଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ରାସନ ଚାଉଳ ପାଇବା ମଧ୍ୟ ସବିତାଙ୍କ ପାଇଁ ଆଉ ଏକ ବଡ଼ ସମସ୍ୟା ହୋଇଛି। ତାଙ୍କ ପାଖରେ ଭୋଟର କାର୍ଡ ଥିଲେ ମଧ୍ୟ ଆଧାର କାର୍ଡ ନାହିଁ। କୁଷ୍ଠ ରୋଗ ଯୋଗୁଁ ହାତ ଓ ଆଙ୍ଗୁଳିରେ ସମସ୍ୟା ଥିବାରୁ ଟିପଚିହ୍ନ ଦେବା ସମ୍ଭବ ହେଉନଥିବା କୁହାଯାଉଛି। ଫଳରେ ଆଧାର ପଞ୍ଜୀକରଣ ହୋଇପାରୁନାହିଁ। ଆଖି ସ୍କାନ୍ ମାଧ୍ୟମରେ ଆଧାର ପଞ୍ଜୀକରଣର ବିକଳ୍ପ ବ୍ୟବସ୍ଥା ମଧ୍ୟ ହେଉନଥିବା ଅଭିଯୋଗ ରହିଛି। ଏଭଳି ସ୍ଥିତିରେ ପ୍ରଶ୍ନ ଉଠୁଛି—ଅସହାୟ ସବିତାଙ୍କ ନିକଟରେ କେବେ ପହଞ୍ଚିବ ସରକାରୀ ସହାୟତା? ଜିଲ୍ଲା ପ୍ରଶାସନ ଏହି ଘଟଣା ପ୍ରତି ଦୃଷ୍ଟି ଦେଇ ତାଙ୍କୁ ଆବାସ, ରାସନ ସମେତ ଆବଶ୍ୟକ ସରକାରୀ ସୁବିଧାସୁଯୋଗ ଯୋଗାଇଦେବାକୁ ଦାବି ହୋଇଛି।


