ଏବିଭିପିର ଦୁଇ ଦିବସୀୟ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଉଦ୍ଘାଟିତ
ବାଲେଶ୍ବର(ସରୋଜ ପଣ୍ଡା): ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଓଡ଼ିଶା ପୂର୍ବ ପ୍ରାନ୍ତର ଦୁଇ ଦିବସୀୟ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆଜି ମିସାଇଲ୍ ସିଟି ବାଲେଶ୍ୱରର ମୋତିଗଞ୍ଜସ୍ଥିତ ରାଜସ୍ଥାନ ଭବନରେ ଭବ୍ୟ ଭାବେ ଉଦ୍ଘାଟିତ ହୋଇଯାଇଛି। ଏଥିରେ କ୍ଷେତ୍ରୀୟ ସହ ସଂଗଠନ ମନ୍ତ୍ରୀ ବୈଲୋଚନ ସାହୁ, ପ୍ରାନ୍ତ ସଂଗଠନ ମନ୍ତ୍ରୀ ବୁଦ୍ଧଦେବ ବାଘ, ରାଜ୍ୟ ସଭାପତି ଦେବେଶ ହୋତା ଏବଂ ରାଜ୍ୟ ସମ୍ପାଦକ ଦୀପ୍ତିମୟୀ ପ୍ରତିହାରୀ ପ୍ରମୁଖ ଉପସ୍ଥିତ ରହି ବୈଠକକୁ ଉଦ୍ଘାଟନ କରିଥିଲେ। ଆଜିଠାରୁ ଆରମ୍ଭ ହୋଇଥିବା ଏହି ବୈଠକ ଆସନ୍ତାକାଲି ୨୮ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ, ଯେଉଁଥିରେ ରାଜ୍ୟର ଶିକ୍ଷା ଓ ସାମାଜିକ ସ୍ଥିତିକୁ ନେଇ ବିସ୍ତୃତ ଭାବେ ଆଲୋଚନା କରାଯିବ। ଚଳିତ ବର୍ଷ ପରିଷଦର ସଦସ୍ୟତା ଅଭିଯାନରେ ଏବିଭିପି ଓଡ଼ିଶା ପୂର୍ବ ୧ ଲକ୍ଷରୁ ଅଧିକ ସଦସ୍ୟତା ଗ୍ରହଣ କରି ଏକ ବଡ଼ ସଫଳତା ହାସଲ କରିଛି। ଉଦ୍ଘାଟନୀ ପରବର୍ତ୍ତୀ ପ୍ରଥମ ସତ୍ରରେ ରାଜ୍ୟର ସାମ୍ପ୍ରତିକ ଶିକ୍ଷା ସ୍ଥିତି ଉପରେ ବିସ୍ତୃତ ଆଲୋଚନା କରାଯାଇ ପ୍ରସ୍ତାବ ପାରିତ ହୋଇଛି। ଏଥିରେ ରାଜ୍ୟ ସରକାରଙ୍କ ‘ଜ୍ଞାନୋଦୟ ଶିକ୍ଷା ସମୃଦ୍ଧି ଯୋଜନା’ (କେଜି ରୁ ପିଜି ମାଗଣା ଶିକ୍ଷା), ରାଷ୍ଟ୍ରୀୟ ଶିକ୍ଷା ନୀତି-୨୦୨୦ର କ୍ରିୟାନ୍ୱୟନ ଏବଂ ବି.ଏଡ୍ ସିଟ୍ ବୃଦ୍ଧି ପଦକ୍ଷେପକୁ ଏବିଭିପି ସ୍ୱାଗତ କରିଛି। ଅନ୍ୟପଟେ ଶିକ୍ଷାନୁଷ୍ଠାନଗୁଡ଼ିକରେ ସେଲ୍ଫ-ଫାଇନାନ୍ସିଂ ପାଠ୍ୟକ୍ରମକୁ ରେଗୁଲାର କରି ଛାତ୍ରଛାତ୍ରୀଙ୍କ ଆର୍ଥିକ ଶୋଷଣ ରୋକିବା ସହ ଛାତ୍ରାବାସ ଓ କ୍ୟାମ୍ପସ ପ୍ଲେସମେଣ୍ଟ ସୁବିଧା ଦେବା, ବିଳମ୍ବିତ ଆଡମିଶନ ଓ ପରୀକ୍ଷା ପ୍ରକ୍ରିୟାକୁ ନିୟମିତ କରି ୪୫ ଦିନ ମଧ୍ୟରେ ଫଳାଫଳ ପ୍ରକାଶ କରିବା, ଅବସରପ୍ରାପ୍ତ ଅଧ୍ୟାପକଙ୍କ ପୁନଃ ନିଯୁକ୍ତି ବନ୍ଦ କରି ଏସ୍ଏସ୍ବି ମାଧ୍ୟମରେ ଶିକ୍ଷିତ ଯୁବକଙ୍କୁ ନିଯୁକ୍ତି ଦେବା ଏବଂ ୨୦୨୪ରୁ ଭଙ୍ଗ ହୋଇଥିବା କଲେଜ ଗଭର୍ଣ୍ଣିଂ ବଡିକୁ ତୁରନ୍ତ ପୁନଃଗଠନ କରିବା ପାଇଁ ସରକାରଙ୍କ ନିକଟରେ ଦୃଢ଼ ଦାବି କରାଯାଇଛି। ସେହିପରି ଦ୍ୱିତୀୟ ସତ୍ରରେ ରାଜ୍ୟର ସାମାଜିକ ବିଷୟ ଉପରେ ଚର୍ଚ୍ଚା କରାଯାଇ ପ୍ରସ୍ତାବ ପାରିତ ହେବା ସହ ଏଥିପାଇଁ ଯୁବ ସମାଜକୁ ଆହ୍ୱାନ ଦିଆଯାଇଛି। ରାୟଗଡ଼ାରେ ସାମୂହିକ ଆକ୍ରମଣ, ବାଲିପାଟଣା ହତ୍ୟାକାଣ୍ଡ ଓ ରାଜଧାନୀରେ ଅପରାଧୀଙ୍କ ଦୌରାତ୍ମ୍ୟ ଭଳି ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ସ୍ଥିତିକୁ ତୁରନ୍ତ ନିୟନ୍ତ୍ରଣ କରିବାକୁ ଏଥିରେ ଦାବି ହୋଇଛି। ଏଥିସହ କନ୍ଧମାଳ, କୋରାପୁଟ, ଗଜପତି ଓ ରାୟଗଡ଼ା ଆଦି ଜିଲ୍ଲାରେ ଗଞ୍ଜେଇ କାରବାର ଏବଂ କ୍ୟାମ୍ପସ ନିକଟରେ ଗୁଟଖା ଓ ନିଶା ଦ୍ରବ୍ୟ ବିକ୍ରି ସମ୍ପୂର୍ଣ୍ଣ ବନ୍ଦ କରି ‘ନିଶାମୁକ୍ତ ଓଡ଼ିଶା’ ଗଠନ କରିବାକୁ ଦୃଢ଼ ଦାବି କରାଯାଇଛି। ଏହା ସହିତ କଳିଙ୍ଗା ଘାଟି ଭୂସ୍ଖଳନ ଓ ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ରୋକିବାକୁ ବ୍ୟାପକ ବୃକ୍ଷରୋପଣ ଓ ବନ୍ୟପ୍ରାଣୀ ସୁରକ୍ଷା ଏବଂ ସୀମାପାର ଅବୈଧ ପ୍ରବେଶ ରୋକି ଜନସଂଖ୍ୟା ଅସନ୍ତୁଳନର ସମାଧାନ ପାଇଁ ରାଜ୍ୟ ସରକାର ସମନ୍ୱିତ ନୀତି ପ୍ରସ୍ତୁତ କରି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି।ଏହି କାର୍ଯ୍ୟକ୍ରମରେ କ୍ଷେତ୍ରୀୟ ସଂଗଠନ ମନ୍ତ୍ରୀ ଅପାଂଶୁ ଶେଖର ଶୀଲ, ସ୍ୱାବଲମ୍ବୀ ଭାରତର କେନ୍ଦ୍ରୀୟ ପ୍ରମୁଖ ଦିନେଶ ଯାଦବ ଏବଂ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଦିଲୀପ ଦାସ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକର୍ତ୍ତାମାନଙ୍କୁ ମାର୍ଗଦର୍ଶନ ପ୍ରଦାନ କରିଛନ୍ତି।


