ଲଗାଣ ବର୍ଷାରେ ଚାଷଜମିରେ ଲହଡ଼ି ମାରୁଛି ପାଣି, ବ୍ୟାପକ ଧାନ ଫସଲ ନଷ୍ଟ
ଛତ୍ରପୁର, (ଓ୍ବାଇଏନଏସ): ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ବ୍ୟାପକ ଭାବେ ଚାଷଜମି ଜଳମଗ୍ନ ହୋଇପଡ଼ିଛି। ଅନେକ ଅଞ୍ଚଳରେ ଏବେ ବି ଚାଷଜମି ଉପରେ ପ୍ରାୟ ୪ ଫୁଟ ପାଣି ଜମି ରହିଥିବାରୁ ଧାନ ଫସଲ ନଷ୍ଟ ହେବାରେ ଲାଗିଛି। ଫଳରେ ଚାଷୀଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। ଛତ୍ରପୁର ବ୍ଲକ ଅନ୍ତର୍ଗତ ବଉଳଗାଁ,ବଡମାଧପୁର, ବିପୁଲିଙ୍ଗୀ, ଅଗସ୍ତିନୂଆଗାଁ, ପୋଟଲାମପୁର, ବଉଳଗାଁ, ମହାନାଦପୁର ସମେତ ବିଭିନ୍ନ ପଞ୍ଚାୟତର ଶହ ଶହ ହେକ୍ଟର ଚାଷଜମି ଏବେ ପାଣି ଘେରରେ ରହିଛି। ଲଗାଣ ବର୍ଷା ଯୋଗୁଁ ଜୟମଙ୍ଗଳ କେନାଲରେ ଜଳସ୍ତର ବୃଦ୍ଧି ପାଇବାରୁ ଏହାର ପାଣି ଚାଷଜମିକୁ ପ୍ରବେଶ କରିଛି। ଫଳରେ ଜମିରେ ପାଣିର ସୁଅ ଚାଲୁଥିବା ବେଳେ ଧାନ ଫସଲ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି। ଚାଷଜମିରୁ ତୁରନ୍ତ ଜଳ ନିଷ୍କାସନ କରିବାକୁ ଚାଷୀମାନେ ଦାବି କରିଥିଲେ ମଧ୍ୟ ଏଯାବତ୍ ପାଣି ସମ୍ପୂର୍ଣ୍ଣ ନିଷ୍କାସନ ହୋଇପାରିନାହିଁ। ଚଳିତ ଖରିଫ ଋତୁରେ ଧାନ ଚାଷ କରିଥିବା ଚାଷୀମାନେ ଏବେ ଫସଲ ନଷ୍ଟ ହେବା ନେଇ ଚିନ୍ତିତ। ଧାରକରଜ କରି ଚାଷ କରିଥିବା ଚାଷୀମାନେ ଋଣ କିପରି ପରିଶୋଧ କରିବେ, ସେନେଇ ଚିନ୍ତାରେ ଅଛନ୍ତି। କୃଷି ବିଭାଗର ସୂଚନା ଅନୁଯାୟୀ, ଛତ୍ରପୁର ବ୍ଲକରେ ପ୍ରାୟ ୧୦,୦୨୦ ହେକ୍ଟର ଜମିରେ ଧାନ ଚାଷ ହୋଇଥିବା ବେଳେ ଏଥିରୁ ପ୍ରାୟ ୧,୧୧୮ ହେକ୍ଟର ଧାନଜମି ପାଣିରେ ବୁଡ଼ି ରହିଛି। ଗଞ୍ଜାମ ଜିଲ୍ଲାରେ ଚଳିତ ବର୍ଷ ୧ ଲକ୍ଷ ୮୨ ହଜାର ୬୫୭ ଜଣ ଚାଷୀ ପଞ୍ଜିକୃତ ହୋଇଥିବା ବେଳେ ବର୍ଷା ଓ ଜଳବନ୍ଦୀ ଯୋଗୁଁ ଫସଲ କ୍ଷତିଗ୍ରସ୍ତ ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବାକୁ ଦାବି ହୋଇଛି। ଜଳବନ୍ଦୀ ଯୋଗୁଁ ଚାଷଜମିରେ ଦୀର୍ଘ ସମୟ ଧରି ପାଣି ଜମି ରହିବାରୁ ଧାନଗଛ ପଚିବା ଆଶଙ୍କା ଦେଖାଦେଇଛି। କେତେକ ସ୍ଥାନରେ ଧାନଜମିରେ ଲୋକେ ଗାଧୋଉଥିବା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳୁଛି। ତୁରନ୍ତ ଜଳ ନିଷ୍କାସନ ସହ କ୍ଷୟକ୍ଷତିର ଆକଳନ କରି ଚାଷୀଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ଜୋର ଧରିଛି।


