ବିଜେପିରେ ନେତୃତ୍ୱ ବିରୋଧରେ କର୍ମୀଙ୍କ ଗର୍ଜନ ! ‘ପୁରୁଣାଙ୍କୁ ଅଣଦେଖା,ନୂଆଙ୍କୁ ଅଗ୍ରାଧିକାର’

ଧାମନଗର (ଓ୍ବାଇଏନଏସ): ଧାମନଗର ବିଜେପିରେ ଦଳୀୟ ନେତୃତ୍ୱ ଓ କର୍ମୀଙ୍କ ମଧ୍ୟରେ ସମନ୍ୱୟକୁ ନେଇ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି। ଦଳର କେତେକ ଯୁବ ଓ ପୁରୁଣା କର୍ମୀ ସୋସିଆଲ୍ ମିଡିଆରେ ଖୋଲାଖୋଲି ନିଜ କ୍ଷୋଭ ପ୍ରକାଶ କରିଥିବାରୁ ସ୍ଥାନୀୟ ରାଜନୀତିରେ ଏହାକୁ ନେଇ ଚର୍ଚ୍ଚା ତୀବ୍ର ହୋଇଛି। କର୍ମୀଙ୍କୁ ଗୁରୁତ୍ୱ ନଦେବା,ପୁରୁଣା କର୍ମୀଙ୍କ ଅବଦାନକୁ ଅଣଦେଖା କରିବା,ନୂଆ ନେତାଙ୍କୁ ଅଗ୍ରାଧିକାର ଦେବା ଏବଂ ସାଂଗଠନିକ ସମନ୍ୱୟ ନଥିବା ଦଳ କ୍ଷମତାକୁ ଆସିବା ପୂର୍ବରୁ ଦୀର୍ଘଦିନ ଧରି ସଂଗଠନ ପାଇଁ କାମ କରିଥିବା କେତେକ କର୍ମୀଙ୍କ ମନରେ ବର୍ତ୍ତମାନ ଅସନ୍ତୋଷ ଦେଖାଦେଇଥିବା ଭଳି ସୋସିଆଲ୍ ମିଡିଆ ପୋଷ୍ଟରୁ ପ୍ରକାଶ ପାଉଛି। ଦଳର ଦୁର୍ଦିନରେ ସାଂଗଠନିକ କାର୍ଯ୍ୟରେ ରହିଥିବା କର୍ମୀଙ୍କ ଅପେକ୍ଷା ନୂଆ ମୁହଁ କିମ୍ବା ବାହାରୁ ଆସିଥିବା ନେତାଙ୍କୁ ଅଧିକ ଗୁରୁତ୍ୱ ମିଳୁଥିବା ଭଳି ମତ କେତେକ କର୍ମୀ ରଖିଛନ୍ତି।ଜଣେ କର୍ମୀଙ୍କ ପୋଷ୍ଟରେ “ଛଳନା ସବୁବେଳେ ମିଠା କଥାରେ ନୁହେଁ,ବଦଳି ଯାଇଥିବା ବ୍ୟବହାରରେ ଦେଖାଯାଏ” ବୋଲି ଉଲ୍ଲେଖ ରହିଛି। ଅନ୍ୟ ଜଣେ କର୍ମୀ କବିତା ମାଧ୍ୟମରେ ପୁରୁଣା କର୍ମୀଙ୍କ ସ୍ଥିତିକୁ ନେଇ ଅସନ୍ତୋଷ ଜଣାଇଛନ୍ତି।ସାଧାରଣ ଆଲୋଚନା ଅପେକ୍ଷା ଏହି ପୋଷ୍ଟଗୁଡ଼ିକର ଭାଷା ଅଧିକ ତୀକ୍ଷ୍ଣ ଥିବାରୁ ଦଳୀୟ ମହଲରେ ଏହାକୁ ନେଇ ଆଲୋଚନା ଜୋର ଧରିଛି। କେବଳ ନେତୃତ୍ୱର କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ ଉଠିନାହିଁ,ସ୍ଥାନୀୟ ସାଂଗଠନିକ ସମୀକରଣକୁ ନେଇ ମଧ୍ୟ କେତେକ ପୋଷ୍ଟରେ କ୍ଷୋଭ ପ୍ରକାଶ ପାଇଛି। ଧାମନଗର ଏନ୍‌ଏସିର ୮ ନମ୍ବର ୱାର୍ଡକୁ ନେଇ ଜଣେ କର୍ମୀ ଆଗାମୀ ନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କ ଫଳାଫଳ ସମ୍ପର୍କରେ ନିଜ ମତ ରଖିଥିବା ବେଳେ ନଦୀଗାଁ ପଞ୍ଚାୟତକୁ ନେଇ ମଧ୍ୟ ଅନୁରୂପ ଅସନ୍ତୋଷ ପ୍ରକାଶ କରାଯାଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ରାଜନୈତିକ ମହଲରେ ପ୍ରଶ୍ନ ଉଠୁଛି—ତୃଣମୂଳ କର୍ମୀଙ୍କ ମତାମତ ଦଳୀୟ ନିଷ୍ପତ୍ତି ପ୍ରକ୍ରିୟାରେ କେତେଦୂର ପ୍ରତିଫଳିତ ହେଉଛି? ଦୀର୍ଘଦିନର କର୍ମୀଙ୍କ ଅଭିଯୋଗ ଓ କ୍ଷୋଭକୁ ନେତୃତ୍ୱ କିପରି ଗ୍ରହଣ କରୁଛି? ଏଭଳି ପ୍ରଶ୍ନ ଏବେ ଚର୍ଚ୍ଚାରେ ରହିଛି। ଅନ୍ୟପକ୍ଷରେ, କେତେକ କର୍ମୀଙ୍କ ପୋଷ୍ଟରେ ଦଳର ମୂଳ ଶକ୍ତି କର୍ମୀ ବୋଲି ଉଲ୍ଲେଖ କରାଯାଇଛି। “ନେତା ଆସିବେ ଓ ଯିବେ,କିନ୍ତୁ କାର୍ଯ୍ୟକର୍ତ୍ତା ହିଁ ଦଳର ମେରୁଦଣ୍ଡ” ବୋଲି ମତ ରଖାଯାଇ ନେତୃତ୍ୱ କର୍ମୀଙ୍କ ମତାମତ ଓ ଭୂମିକାକୁ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ସନ୍ଦେଶ ଦିଆଯାଇଛି।ଆଗାମୀ ପଞ୍ଚାୟତ ଓ ଏନ୍‌ଏସି ନିର୍ବାଚନ ପୂର୍ବରୁ ଦଳର କେତେକ କର୍ମୀଙ୍କ ଏଭଳି ଖୋଲା କ୍ଷୋଭ ସ୍ଥାନୀୟ ବିଜେପି ସଂଗଠନର ଏକତା ଓ ସମନ୍ୱୟକୁ ନେଇ ଚର୍ଚ୍ଚା ବଢ଼ାଇଛି। ବିଶେଷକରି ପୁରୁଣା କର୍ମୀଙ୍କ ଭୂମିକା ଓ ନେତୃତ୍ୱ ସହ ତୃଣମୂଳ କର୍ମୀଙ୍କ ସମ୍ପର୍କକୁ ନେଇ ଉଠୁଥିବା ପ୍ରଶ୍ନ ଏବେ ସ୍ଥାନୀୟ ରାଜନୀତିରେ ଗୁରୁତ୍ୱ ପାଇଛି। ସୋସିଆଲ୍ ମିଡିଆରେ ପ୍ରକାଶିତ ଏହି ଅଭିଯୋଗଗୁଡ଼ିକ ସମ୍ପୃକ୍ତ କର୍ମୀଙ୍କ ବ୍ୟକ୍ତିଗତ ମତାମତ ଉପରେ ଆଧାରିତ। ଏ ସମ୍ପର୍କରେ ସ୍ଥାନୀୟ ବିଜେପି ନେତୃତ୍ୱର ଆନୁଷ୍ଠାନିକ ପ୍ରତିକ୍ରିୟା ମିଳିନାହିଁ। ତେବେ ନେତୃତ୍ୱର ପକ୍ଷ ସାମ୍ନାକୁ ଆସିବା ପରେ ହିଁ ଏହି ଅସନ୍ତୋଷର ପୂର୍ଣ୍ଣ ଚିତ୍ର ଅଧିକ ସ୍ପଷ୍ଟ ହେବ। ମୋଟାମୋଟି କହିବାକୁ ଗଲେ ବିଜେପିର ପୁରାଣ କର୍ମା ଓ ନେତାଙ୍କ ମଧ୍ୟରେ ପ୍ରବଳ ଭିତିରି କନ୍ଦଳ ଲାଗି ରହିଛି ସେମାନଙ୍କ କହିବା କଥା ପଞ୍ଚାୟତ ଏବଂ ଏନ ଏ ସି ନିର୍ବାଚନରେ ଆମେ ଏହାର ଜବାବ ଦେବୁ କେତେକ ନିର୍ଦ୍ଦିଷ୍ଟ ପୁରୁଣା କର୍ମା ଓ ନେତା ମତପ୍ରକାଶ କରିଛନ୍ତି। ଏଭଳି ସ୍ଥଳେ ଦଳୀୟ କର୍ମାଙ୍କ ସହ ନେତୃତ୍ବ କିପରି ପଦକ୍ଷେପ ନେଇଛନ୍ତି ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ