ଆସିକା ବଣିକ ସଂଘର ଆହ୍ୱାନ: ଅକ୍ଟୋବର ୨ ରେ ପାଳିବ ନୋ ୟୁପିଆଇ ଡେ

ଆସିକା  (ୱାଇଏନ୍‍ଏସ୍‍) :କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ଏମ୍‍ଡିଆର୍‍ ଶୁଳ୍କ ନିଷ୍ପତିକୁ ବିରୋଧ କରି ଆସନ୍ତା ଅକ୍ଟୋବର ମାସ ୨ ତାରିଖରେ ନୋ ୟୁପିଆଇ ଡେ ପାଳନ କରିବା ଲାଗି ଆସିକା ବଣିକ ସଂଘ ଆହ୍ୱାନ କରିଥିବା ଲକ୍ଷ୍ୟ କରାଯାଇଛି ଓ ଏଥିପାଇଁ ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ସମସ୍ତ ଗ୍ରାହକ ସହଯୋଗ ମଧ୍ୟ କରିବା ପାଇଁ ଅନୁରୋଧ କରାଯାଉଥିବା ଦେଖିବାକୁ ମିଳୁଛି । ୟୁପିଆଇ ମାଧ୍ୟମରେ ଡିଜିଟାଲ୍‍ ପେମେଣ୍ଟ କିମ୍ବା ଡିଜିଟାଲ୍‍ ଇଣ୍ଡିଆ ବିଗତ କିଛି ବର୍ଷ ହେଲା ଗ୍ରହଣୀୟ ହୋଇପାରିଛି । କିନ୍ତୁ ମର୍ଚ୍ଚାଣ୍ଟ ୟୁପିଆଇ ଉପରେ ପ୍ରସ୍ତାବିତ ଅତିରିକ୍ତ କାରବାର ଶୁଳ୍କ ଲାଗୁ ହେଲେ ବ୍ୟବସାୟୀଙ୍କ ଉପରେ ବୋଝ ପଡିବା ସମ୍ଭାବନାକୁ ଏଡାଇ ହେଉନାହିଁ । ମର୍ଚ୍ଚାଣ୍ଟ ୟୁପିଆଇ ଉପରେ ପ୍ରସ୍ତାବିତ ଏମ୍‍ଡିଆର୍‍ ଶୁଳ୍କକୁ ନେଇ ବ୍ୟବସାୟୀ ସମାଜ ଚିନ୍ତା ପ୍ରକଟ କରୁଥିବା ବେଳେ ଏହାର ସମ୍ଭାବ୍ୟ ଆର୍ଥିକ ପ୍ରଭାବ ଓ ବ୍ୟବସାୟିକ କ୍ଷତି ଉପରେ କେନ୍ଦ୍ର ସରକାର ପୁନଃବିଚାର କରିବାକୁ ବିଭିନ୍ନ ମହଲରେ ଦୃଢ ମତ ପ୍ରକାଶ ପାଉଛି । ଏହି ଅବସରରେ ଆସନ୍ତା ଅକ୍ଟୋବର ମାସ ୨ ତାରିଖରେ ଆସିକା ବଣିକ ସଂଘ ପକ୍ଷରୁ ନୋ ୟୁପିଆଇ ଡେ ପାଳନ କରିବା ଲାଗି ନିଷ୍ପତି ନେବା ସହ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକରେ ନିଜ ନିଜ ୟୁପିଆଇ ପେମେଣ୍ଟର ସ୍କାନର୍‍ ଉପରେ କଳାକପଡା ଢାଙ୍କି ନୀରବ ପ୍ରତିବାଦ କରିବା ପାଇଁ ସଜବାଜ ହେଉଥିବା ଜଣାପଡିଛି । ବ୍ୟବସାୟୀ ସମାଜ ୟୁପିଆଇ ଓ ଡିଜିଟାଲ୍‍ ପେମେଣ୍ଟ କିମ୍ବା ଡିଜିଟାଲ୍‍ ଇଣ୍ଡିଆକୁ ସର୍ବାଧକ ଗୁରୁତ୍ୱ ଦେଇଆସୁଥିଲା ବେଳେ ଡିଜିଟାଲ୍‍ ଅର୍ଥନୀତିକୁ ବି ସମର୍ଥନ କରିଆସୁଛନ୍ତି । ବ୍ୟବସାୟୀମାନେ ଜିଏସ୍‍ଟି ସମେତ ବିଭିନ୍ନ ପ୍ରକାର ଟିକସ ସରକାରଙ୍କୁ ଦେଉଥିଲା ବେଳେ ମର୍ଚ୍ଚାଣ୍ଟ ୟୁପିଆଇ ଉପରେ ଅତିରିକ୍ତ କାରବାର ଶୁଳ୍କ ଲାଗୁ ହେଲେ ବ୍ୟବସାୟୀମାନଙ୍କ ଉପରେ ଅତିରିକ୍ତ ବୋଝ ପଡିବା ସମ୍ଭାବନାକୁ ମଧ୍ୟ ଏଡାଇ ହେଉନାହିଁ । ଆସନ୍ତା ଅକ୍ଟୋବର ମାସ ୧୫ ତାରିଖରୁ ୨ ହଜାର ଟଙ୍କାରୁ ଅଧିକ ପର୍ସନ୍‍-ଟୁ-ମର୍ଚ୍ଚାଣ୍ଟ କାରବାର ଉପରେ ସରକାରଙ୍କ ୦.୪ ପ୍ରତିଶତ ଶୁଳ୍କ ନିଷ୍ପତିକୁ ବିରୋଧ କରି ଅକ୍ଟୋବର ୨ ତାରିଖକୁ ନୋ ୟୁପିଆଇ ଦିବସ ରୂପେ ପାଳନ କରିବାକୁ ଆସିକା ବଣିକ ସଂଘ ନିଷ୍ପତ୍ତି ନେଇଥିବା ଜଣାପଡିଛି । ଏହି ଦିନ ବ୍ୟବସାୟୀମାନେ ନିଜ ନିଜ ଦୋକାନ ଗୁଡିକରେ ଲାଗିଥିବା ୟୁପିଆଇର କ୍ୟୁଆର୍‍ କୋର୍ଡ, ସ୍କନର୍‍, ସାଉଣ୍ଡବକ୍ସ ଏବଂ ଅନ୍ୟ ଡିଜିଟାଲ୍‍ ପେମେଣ୍ଟ ଡିଭାଇସ୍‍ ଗୁଡିକୁ କଳା କପଡାରେ ଘୋଡାଇ ନୀରବ ପ୍ରତିବାଦ କରିବେ ବୋଲି ଜଣାପଡିଛି । ଖୁଚୁରା ବ୍ୟବସାୟୀ ଏବଂ ବିତରକମାନେ କମ୍‍ ଲାଭରେ ବ୍ୟବସାୟ କରିଆସୁଛନ୍ତି । ଡିଜିଟାଲ୍‍ କାରବାର ଉପରେ ଅତିରିକ୍ତ ଶୁଳ୍କ ଲଗାଇବା ଦ୍ୱାରା ଖର୍ଚ୍ଚ ଆହୁରି ବଢିଯିବ । ଡିଜିଟାଲ୍‍ କାରବାର ଦ୍ୱାରା ନଗଦ କାରବାର ବିଗତ କିଛି ବର୍ଷ ହେଲା ପ୍ରାୟତଃ ହ୍ରାସ ପାଇବାରେ ଲାଗିଛି । ବ୍ୟବସାୟୀମାନେ ଡିଡିଟାଲ୍‍ କାରବାରକୁ ସଂପୁର୍ଣ୍ଣ ରୂପେ ସହଯୋଗ କରିଆସୁଛନ୍ତି । ଡିଡିଟାଲ୍‍ ଇଣ୍ଡିଆକୁ ତ୍ୱରାନ୍ୱିତ କରିବା ବଦଳରେ ବ୍ୟବସାୟୀମାନଙ୍କ ଉପରେ ଶୁଳ୍କ ଲଗାଇବା ଅତ୍ୟନ୍ତ ଦୁଃଖଦାୟକ ବୋଲି ମତ ପ୍ରକାଶ ପାଉଛି । ପ୍ରକାଶଯୋଗ୍ୟ ଯେ ଆସନ୍ତା ଅକ୍ଟୋବର ମାସ ୧୫ ତାରିଖରୁ ଗ୍ରାହକଙ୍କ ଦ୍ୱାରା ଦୋକାନୀଙ୍କୁ ୨ ହଜାର ଟଙ୍କାରୁ ଅଧିକ ମୂଲ୍ୟର ୟୁପିଆଇ ପେମେଣ୍ଟ ଉପରେ ୦.୪ ପ୍ରତିଶତ ଏମ୍‍ଡିଆର୍‍ (ମର୍ଚ୍ଚାଣ୍ଟ ଡିସକାଉଣ୍ଟ ରେଟ୍‍) ଗଣିବେ ବ୍ୟବସାୟୀ । ଡିଜିଟାଲ୍‍ ଇଣ୍ଡିଆ ଏବଂ କ୍ୟାସ୍‍ଲେସ୍‍ ଅର୍ଥନୀତିକୁ ସଫଳ କରିବାରେ ବ୍ୟବସାୟୀମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ବିଶେଷକରି ଛୋଟ ବ୍ୟବସାୟୀମାନେ ମଧ୍ୟ ଗ୍ରାହକଙ୍କୁ ଡିଜିଟାଲ୍‍ ପେମେଣ୍ଟ ବା ୟୁପିଆଇ ମାଧ୍ୟମରେ କାରବାର କରିବାକୁ ପ୍ରୋତ୍ସାହିତ କରୁଛନ୍ତି । ୟୁପିଆଇ ମାଧ୍ୟମରେ ପ୍ରତିଦିନ ବହୁ ସଂଖ୍ୟାର ଆର୍ଥିକ କାରବାର ହେଉଛି । ଏଭଳି ସ୍ଥିତିରେ ୟୁପିଆଇ କାରବାର ଉପରେ ଅତିରିକ୍ତ ଶୁଳ୍କ ଲାଗୁ କରାଗଲେ ଛୋଟ ଓ ମଧ୍ୟମ ବ୍ୟବସାୟୀମାନେ ବିଶେଷ ଭାବେ ପ୍ରଭାବିତ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ତେଣୁ ବ୍ୟବସାୟୀଙ୍କ ଉପରେ ଅତିରିକ୍ତ ବୋଝ ନ ପକାଇବା ସହ ଡିଜିଟାଲ୍‍ ପେମେଣ୍ଟ ବ୍ୟବସ୍ଥାକୁ ଅଧିକ ସହଜ ଓ ସୁଲଭ ଏବଂ ସରଳ ରଖିବା ପାଇଁ ୟୁପିଆଇ କାରବାର ଉପରେ ଶୁଳ୍କ ନ ଲଗାଇବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେବାକୁ ଆସିକା ବଣିକ ସଂଘର ଉପଦେଷ୍ଟା ଇ.ଅରୁଣ କୁମାର ପାତ୍ର, ପୂର୍ବତନ ସଭାପତି ଅରୁଣ କୁମାର ଗୁପ୍ତା, ସଭାପତି ୟୁ.ସଂଜୟ କୁମାର ପାତ୍ର, ଉପସଭାପତି ମନୋଜ କୁମାର ମୁନି, ସଂପାଦକ କେ.ସତ୍ୟନାରାୟଣ ପାତ୍ର, ସହସଂପାଦକ ପି.ରାଜା ପାତ୍ର, ସକ୍ରିୟ ସଦସ୍ୟ ଶଙ୍କର ମୁନି, ଗୋଲକ ପ୍ରଧାନ, ଶତ୍ରୁଘ୍ନ ନାହାକ, ଇ.ଜିତେନ୍ଦ୍ର କୁମାର ପାତ୍ର, ଅଜିତ୍‍ କୁମାର ଦାଶ, ଡି.ଦ୍ୱାରିକାନାଥ ପାତ୍ର, ଏସ୍‍.ଅନିଲ୍‍ କୁମାର ପୃଷ୍ଟି, ପି.ଜିତେଶ୍‍ କୁମାର ପାତ୍ର, ଉପେନ୍ଦ୍ର ରେଡି, ପି.ପ୍ରଭାକର ପାତ୍ର, ପି.ସୁଧାକର ପାତ୍ର, ପି.ଦୁର୍ଗାମାଧବ ସେନାପତି, କେ.ବିଭୁତି ଭୂଷଣ ସେନାପତି, କେ.ସନ୍ତୋଷ କୁମାର ସେନାପତି, କେ.କିଶୋର କୁମାର ସେନାପତି, ବି.ସୂର୍ଯ୍ୟ ନାରାୟଣ ପାତ୍ର, ମୁନା ପାତ୍ର, ପି.ଶିବପ୍ରସାଦ ରାଓ, ଟି.ସଂଜୀବ ପାତ୍ର, କୃଷ୍ଣଚନ୍ଦ୍ର ନାୟକ, ଟୁନା ପାତ୍ର, ମୁନା ପାତ୍ର, କେ.ଧୀରେଶ୍‍ କୁମାର ପାତ୍ର, ଭାସ୍କର ଆଚାରୀ, ହୁସେନ୍‍ ସରିଫ୍‍ଙ୍କ ସମେତ ବହୁ ସଦସ୍ୟ ଅନୁରୋଧ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ