ପ୍ରାଣୀସଂପଦ ବିକାଶ ବିଭାଗ ପକ୍ଷରୁ ଜଳାତଙ୍କ ଦିବସ ପାଳିତ

ଆସିକା (ୱାଇଏନ୍‍ଏସ୍‍) :ଓଡିଶା ସରକାରଙ୍କ ପ୍ରାଣୀସଂପଦ ବିକାଶ ବିଭାଗ ଏବଂ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ କାର୍ଯ୍ୟାଳୟର ପରାମର୍ଶକ୍ରମେ ଆସିକା ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀ କାର୍ଯ୍ୟଳୟ ପକ୍ଷରୁ ସୋମବାର ପିଏମ୍‍ଶ୍ରୀ ହରିହର ହାଇସ୍କୁଲ, ଗୁଣ୍ଠପଡା ସ୍ଥିତ ଜଗଦଳପୁର ହାଇସ୍କୁଲ, କେ.ରାଇସିଙ୍ଗିପୁର ସ୍ଥିତ ବାଉରୀବନ୍ଧୁ ହାଇସ୍କୁଲ, ବାଲିସିରା ସ୍ଥିତ ସିଦ୍ଧେଶ୍ୱର ଉଚ୍ଚ ବିଦ୍ୟାଳୟ, ବାବନପୁର ସ୍ଥିତ ଚିନିଶିଳ୍ପ ହାଇସ୍କୁଲରେ ବିଶ୍ୱ ଜଳାତଙ୍କ ଦିବସ ପାଳିତ ହୋଇଯାଇଛି । ଆସିକା ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ସୁଧାଂଶୁ ଶେଖର ବେହେରା ଏବଂ ପ୍ରାଣୀ ଚିକିତ୍ସକ ଡାକ୍ତର ଆଶୁତୋଶ ଚୌଧୁରୀ ବିଶ୍ୱ ଜଳାତଙ୍କ ଦିବସ ପାଳନ ଅବସରରେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମରେ ଯୋଗଦେଇ ଜଳାତଙ୍କ ରୋଗ କଣ ଏବଂ ଏହି ରୋଗର ଲକ୍ଷ୍ୟଣ ଓ ଏଥିରୁ ରକ୍ଷା ପାଇଁ ଉପାୟ ସଂପର୍କରେ ବହୁ ଉପାଦେୟ ତଥା ଶିକ୍ଷଣୀୟ ମାର୍ଗଦର୍ଶନ କରିଥିଲେ । ଜଳାତଙ୍କ ଏକ ଭୂତାଣୁଜନିତ ରୋଗ ହୋଇଥିଲା ବେଳେ ଏହି ରୋଗରେ ଆକ୍ରାନ୍ତ ହେଲେ ମୃତ୍ୟୁ ହେବା ଯଥେଷ୍ଟ ସମ୍ଭାବନା ଥାଏ । ଜଳାତଙ୍କ ଏକ ଭାଇରଲ୍‍ ଜନିତ ରୋଗ ହୋଇଥିଲା ବେଳେ ଏହା ମୁଖ୍ୟତଃ କୁକୁର, ବିଲେଇ, ମାଙ୍କଡ, ବାଦୁଡି ଆଦି ପଶୁଙ୍କ ଲାଳ ମାଧ୍ୟମରେ ମନୁଷ୍ୟକୁ ସଂକ୍ରମିତ ହୋଇଥାଏ ଏବଂ ଏହି ରୋଗ ମସ୍ତିଷ୍କ ଏବଂ ସ୍ନାୟତନ୍ତୁକୁ ପ୍ରଭାବିତ କରି ମୃତ୍ୟୁମୁଖରେ ପକାଇଥାଏ । କୁକୁର କିମ୍ବା ବିଲେଇ ସମେତ ଅନ୍ୟାନ୍ୟସ୍ତନ୍ୟପାୟୀ ପ୍ରାଣୀ କାମୁଡିଲେ ତୁରନ୍ତ କ୍ଷତକୁ ସାବୁନ୍‍ ବା ପ୍ରବାହିତ ପାଣିରେ ଅତି କମ୍‍ରେ ୧୫ ମିନଟ୍‍ ଧୋଇବା ନିତାନ୍ତ ଆବଶ୍ୟକ ହୋଇଥିଲା ବେଳେ କ୍ଷତରେ କୌଣସି ପରିସ୍ଥିତିରେ ହଳଦି, ଲଙ୍କା, ଚୁନ, ତେଲ ଆଦି ଘରୋଇ ଉପଚାର କରାଇବା ସଂପୁର୍ଣ୍ଣ ନିଷେଧ ଏବଂ ପୋଷାକୁକୁର କିମ୍ବା ବିଲେଇକୁ ପ୍ରତିବର୍ଷ ରେବିଜ୍‍ ଟୀକା ଦେବାକୁ ପରାମର୍ଶ ଦେଇଥିବା ଦେଖିବାକୁ ମିଳିଥିଲା । ଆସିକା ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀ କାର୍ଯ୍ୟାଳୟ ପକ୍ଷରୁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଅନୁଷ୍ଠିତ ବିଶ୍ୱ ଜଳାତଙ୍କ ଦିବସ ପାଳନ କାର୍ଯ୍ୟକ୍ରମରେ ପ୍ରାଣୀଧନ ନୀରିକ୍ଷକ ସ୍ମୃତିରଂଜନ ବିଶ୍ୱାଳ, ସୁଦର୍ଶନ ନାୟକ, ପ୍ରିୟଜନ କହଁର, ସୁଶାନ୍ତ କୁମାର ଡାକୁଆ, ସସ୍ମିତା ପଣ୍ଡା, ଆଲୋକ କୁମାର ପାତ୍ର, ରାହୁଳ ଜେନା ପ୍ରମୁଖ ଯୋଗଦେଇ ଜଳାତଙ୍କ ରୋଗର ନିରାକରଣ, ସଚେତନତା ଓ ପ୍ରତିଶେଧକ ଟୀକାକରଣ ଉପରେ ଆଲୋକପାତ କରିଥିବା ଦେଖିବାକୁ ମିଳିଥିଲା । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବା ଦିଗରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଶିକ୍ଷକ ଶିକ୍ଷୟିତ୍ରୀମାନେ ସକ୍ରିୟ ସହଯୋଗ କରିଥିଲା ବେଳେ ବିଦ୍ୟାର୍ଥୀମାନେ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ