ବେଲଗୁଣ୍ଠାରେ ‘ବର୍ଜ୍ୟରୁ ସୃଜନ’ ମେଳା
ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ): ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ଏସି) ପକ୍ଷରୁ ସ୍ୱଚ୍ଛ ଭାରତ ଅଭିଯାନ ଅନ୍ତର୍ଗତ ସ୍ଥାନୀୟ ଟାଉନ୍ ହଲ୍ଠାରେ ସୋମବାର ‘ବର୍ଜ୍ୟରୁ ସୃଜନ ମେଳା’ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାର୍ଥୀଙ୍କ ମଧ୍ୟରେ ସୃଜନଶୀଳତା, ପରିବେଶ ସୁରକ୍ଷା, ସ୍ୱଚ୍ଛତା ଓ ବର୍ଜ୍ୟ ପରିଚାଳନା ସମ୍ପର୍କରେ ସଚେତନତା ବୃଦ୍ଧି ଏହି ମେଳାର ମୁଖ୍ୟ ଉଦ୍ଦେଶ୍ୟ ଥିଲା।ମେଳାରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଘର ଓ ପରିବେଶରେ ଫିଙ୍ଗି ଦିଆଯାଉଥିବା ବିଭିନ୍ନ ବର୍ଜ୍ୟ ସାମଗ୍ରୀକୁ ନୂଆ ରୂପ ଦେଇ ଆକର୍ଷଣୀୟ ସାମଗ୍ରୀ ପ୍ରସ୍ତୁତ କରି ପ୍ରଦର୍ଶିତ କରିଥିଲେ। ପୁରୁଣା ଖବରକାଗଜ, ପ୍ଲାଷ୍ଟିକ ବୋତଲ, ନଡ଼ିଆ କତା, ଧାନ ନଡ଼ା ଓ ପୁରୁଣା କପଡ଼ା ଆଦିରୁ ଫୁଲକୁଣ୍ଡ, କଲମ ଷ୍ଟାଣ୍ଡ, ଝୋଟିଚିତା, ସମ୍ବଲପୁରୀ ଡିଜାଇନ୍ର ଦୀପ ଷ୍ଟାଣ୍ଡ, ବିଭିନ୍ନ ଖେଳନା ସମେତ ଅନେକ ସୃଜନଶୀଳ ସାମଗ୍ରୀ ତିଆରି କରାଯାଇଥିଲା। ପିଲାଙ୍କ ହାତ ତିଆରି ଏହି ସାମଗ୍ରୀଗୁଡ଼ିକ ଉପସ୍ଥିତ ଦର୍ଶକଙ୍କ ମନ ମୋହିଥିଲା।ଏହି ଅବସରରେ ବର୍ଜ୍ୟକୁ ଏଣେତେଣେ ନ ଫିଙ୍ଗି ତାହାର ପୁନଃବ୍ୟବହାର ଓ ପୁନଃଚକ୍ରଣ ଉପରେ ଗୁରୁତ୍ୱ ଦିଆଯାଇଥିଲା। ବର୍ଜ୍ୟକୁ ସମ୍ପଦରେ ପରିଣତ କରିବା ସହ ‘ସ୍ୱଚ୍ଛ ବେଲଗୁଣ୍ଠା, ସୁନ୍ଦର ବେଲଗୁଣ୍ଠା’ ଗଠନ ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି କୁହାଯାଇଥିଲା ସାନିଟେସନ୍ ଏକ୍ସପର୍ଟ ଜି. ପ୍ରବୀଣ କୁମାର, କାଉନସିଲର ଦିବ୍ୟରଞ୍ଜନ ଦାସ, ସ୍ୱଚ୍ଛ ସାଥୀ, ସୁପରଭାଇଜର ଓ ଏନ୍ଏସିର ସମସ୍ତ କର୍ମଚାରୀଙ୍କ ମିଳିତ ସହଯୋଗରେ ମେଳାଟି ସଫଳ ହୋଇଥିଲା। ଏଥିରେ ପ୍ରଧାନଶିକ୍ଷକ, ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଯୋଗଦେଇଥିଲେ। ଛୋଟ କଳାକାରମାନଙ୍କ ସୃଜନଶୀଳତାକୁ ଉତ୍ସାହିତ କରିବା ସହ ବର୍ଜ୍ୟ ପରିଚାଳନାର ବାର୍ତ୍ତା ଘରେ ଘରେ ପହଞ୍ଚାଇବାକୁ ଆହ୍ୱାନ ଦିଆଯାଇଥିଲା।


