ସାନଖେମୁଣ୍ଡିରେ ବ୍ୟାପୁଛି ହଇଜା, ଝାଡାବାନ୍ତି: ଜିଲା ସ୍ବାସ୍ଥ୍ୟ ଟିମର ଅନୁଧ୍ୟାନ

ଦିଗପହଣ୍ଡି (ଅଳକ ନାଥ ମିଶ୍ର) ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ପଞ୍ଚାୟତ ମାର୍ଥାପୁର, ରାଜନାପଲ୍ଲୀ ଓ ଟି.ଗୋବିନ୍ଦପୁର ପଞ୍ଚାୟତ  ଢିମିରାପଲ୍ଲୀ ଗାଁ ରେ ଗତ ୫ ଦିନ ହେଲା ହଇଜା, ଝାଡାବାନ୍ତି କାୟା ବିସ୍ତାର କରୁଛି। ବୁଧବାର ମଧ୍ୟାହ୍ନରେ ଗ୍ରାମର ସୁରେନ୍ଦ୍ର ମଲ୍ଲିକ(୬୦) ମୃତ୍ୟୁବରଣ କରିଥିବା ବେଳେ ରାଜନା ପଲ୍ଲୀ ଗାଁ ର ସମ୍ବାରୁ ମଲ୍ଲିକ(୭୧) ଗୁରୁବାର ସକାଳେ ମୃତ୍ୟୁବରଣ କରିଥିବା ଖବର ମିଳିଛି। ବ୍ରହ୍ମପୁର ବଡ଼ ଡାକ୍ତରଖାନା ରେ ମାର୍ଥାପୁର ଗ୍ରାମର ରଘୁନାଥ ମଲ୍ଲିକ(୬୨),ରୁନି ମଲ୍ଲିକ(୧୫),ଶୁଭମ୍ ମଲ୍ଲିକ(୧୩),ବନମାଳୀ ମଲ୍ଲିକ(୫୫) ଓ ଅନ୍ୟ ଜଣେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି।ଅନ୍ୟ ୨ ଜଣ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାପଡ଼ିଛି।  ଗ୍ରାମର ଭରତ ମଲ୍ଲିକ ଗତ ୧୨ ଦିନ ପୂର୍ବେ ଝାଡାବାନ୍ତି ରେ ମୃତ୍ୟୁବରଣ କରିଥିଲେ। ଗାଁ ରେ ତାଙ୍କ ଶୁଦ୍ଧି କ୍ରିୟା ଭୋଜି ଚାଲିଥିଲା।ମଙ୍ଗଳବାର ଭୋଜି ଖାଇବାକୁ ସୁରେନ୍ଦ୍ର,ବନମାଳୀ, ସମ୍ଵାରୁ ଏବଂ ତାଙ୍କ ପରିବାର ଲୋକେ ଯାଇଥିଲେ। ଭୋଜି ଖାଇବା ପରେ  ରାତିରେ ଗାଁ ରେ ହଇଜା, ଝାଡା ବାନ୍ତି ବ୍ୟାପିଥିଲା।ସମସ୍ତ ଆକ୍ରାନ୍ତ ଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ରେ ଭର୍ତ୍ତି କରାଯାଇଥିଲା।ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସୁରେନ୍ଦ୍ର ଙ୍କ ମୃତ୍ୟୁ ଘଟିଥିଲା। ବୁଧବାର ସନ୍ଧ୍ୟା ପ୍ରାୟ ସାଢେ ୭ ଟାରେ ମୃତଦେହ ଗାଁ ରେ ପହଞ୍ଚିବା ପରେ ବିଳମ୍ବିତ ସନ୍ଧ୍ୟାରେ ଗାଁ ଶ୍ମଶାନରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା। ଗତ ୨ ଦିନ ହେଲା ଗାଁ ରେ ଆଶାକର୍ମୀ ଓ  ସ୍ବାସ୍ଥ୍ୟ ଟିମ୍ ଗ୍ରାମରେ ପହଞ୍ଚି ଲୋକଙ୍କୁ ସ୍ବାସ୍ଥ୍ୟ ସଚେତନତା କରାଇଛନ୍ତି। ଗୁରୁବାର ଗଞ୍ଜାମ ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ ଡ଼ା. ବାଲୁଙ୍କେଶ୍ୱର ଷଡଙ୍ଗୀ, ଆଡ଼ପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ସୁପରିଟେଣ୍ଡେଣ୍ଟ ଡା. ବାହାନ ଦାସ, ଜିଲା ସ୍ବାସ୍ଥ୍ୟ ପରୀକ୍ଷାଗାର ରସାୟନବିତ୍ ବିଶେଷଜ୍ଞ ପ୍ରବୀଣ କୁମାର ଦାସ,ନମୂନା ସଂଗ୍ରାହକ ଅରୁଣ କୁମାର ବେହେରା ପ୍ରମୁଖ ସ୍ଵତନ୍ତ୍ର ସ୍ବାସ୍ଥ୍ୟ ଟିମ୍ ସହ ପ୍ରଭାବିତ ଗାଁ ମାନଙ୍କରେ  ପହଞ୍ଚି ସ୍ବାସ୍ଥ୍ୟସେବା ତଦାରଖ କରିବା ସହ ଘର ଘର ବୁଲି ଲୋକଙ୍କୁ ସଚେତନ କରିବା ସହ ଔଷଧ ବିତରଣ କରି ଫେରିଛନ୍ତି।ସେହିପରି ପୋଖରୀ,ନଳକୂପ ପରିସର ରୁ ନମୂନା ସଂଗ୍ରହ କରାଯାଇଛି। ସାନଖେମୁଣ୍ଡି ଗ୍ରାମ୍ୟଜଳ ଯୋଗାଣ ପରିମଳ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ. ଧନୁର୍ଜୟ ବେହେରା,ବ୍ଲକ ସହକାରୀ ଯନ୍ତ୍ରୀ ଇଂ.ଉପମା ଘଡେଇ ପ୍ରମୁଖ ବିଭିନ୍ନ ପ୍ରଭାବିତ ଗ୍ରାମ ମାନଙ୍କରେ ପହଞ୍ଚି  ଗ୍ରାମରେ ଥିବା ସମସ୍ତ ନଳକୂଅ ପରିସର ,କୂଅ,ପୋଖରୀ ରେ  ବ୍ଲିଚିଙ୍ଗ ପାଉଡର ପକାଇ ବିଶୋଧନ କରାଇଛନ୍ତି। ସରପଞ୍ଚ ସନ୍ତୋଷ ବିଷୋୟୀ ଗ୍ରାମରେ ପହଞ୍ଚି ମୃତକଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇବା ସହ ସେମାନଙ୍କ ସହ ଆଲୋଚନା କରି ଫେରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ