ପୌର ପରିଷଦ ବିଜ୍ଞାପନକୁ ନେଇ ଦ୍ଵନ୍ଦ: ଟ୍ରେଡ୍ ଲାଇସେନ୍ସ ଥିଲେ ମିଳିବ ଦୋକାନ ଘର

ଗୁଣପୁର, (ୱାଇ ଏନ ଏସ) : ଗୁଣପୁର ପୌର ପରିଷଦ ପକ୍ଷରୁ ପୁରୁଣା ବସ୍‌ଷ୍ଟାଣ୍ଡଠାରେ ନୂତନ ନିର୍ମିତ ଉପର ମହଲାର ୧୬ଟି ଦୋକାନ ଘର ବ୍ୟବସାୟୀଙ୍କୁ ମାସିକ ୨ହଜାର ଟଙ୍କା ଭଡ଼ାରେ ଯୋଗାଇଦେବା ପାଇଁ ବିଜ୍ଞାପନ ପ୍ରକାଶ କରାଯାଇଛି। ପୌର ପରିଷଦ କାର୍ଯ୍ୟାଳୟର ଏହି ବିଜ୍ଞାପନରେ ଆବେଦନ ସହ ଆବଶ୍ୟକ ପ୍ରମାଣପତ୍ର ମଧ୍ୟରେ ଟ୍ରେଡ୍ ଲାଇସେନ୍ସର ନକଲ ଦାଖଲ କରିବାକୁ ଉଲ୍ଲେଖ ରହିଥ‌ିବାରୁ ଏହାକୁ ନେଇ  ପ୍ରଶ୍ନ ଉଠିଛି। ପ୍ରକାଶିତ ବିଜ୍ଞାପନରେ ଆଧାର କାର୍ଡ, ଭୋଟର ପରିଚୟପତ୍ର, ପାସ୍ପୋର୍ଟ ସାଇଜ୍‌ ଫଟୋ, ଟ୍ରେଡ୍ ଲାଇସେନ୍ସର ନକଲ, ନିଜ ଗୃହର ଟିକସ ପୈଠ ରସିଦ, ଦରଖାସ୍ତ ଫର୍ମ କ୍ରୟର ମନି ରିସିପ୍ଟ ଏବଂ ବାର୍ଷିକ ପାରିବାରିକ ଆୟ ପ୍ରମାଣପତ୍ର ଭଳି ଦଲିଲ ଦାଖଲ କରିବାକୁ କୁହାଯାଇଛି। ଦୋକାନ ଗୃହ ପାଇବାକୁ ହେଲେ ବାର୍ଷିକ ଆୟ କେତେ ରହିବା ଦରକାର ଉଲେଖ କରାଯାଇନାହିଁ। ଆବେଦନ ଫର୍ମ ପାଇଁ ୧୦୦ ଟଙ୍କା ଦେବାକୁ ଥିବାବେଳେ ଆବେଦନ ଦାଖଲର ଶେଷ ତାରିଖ ୮ ଅକ୍ଟୋବର ୨୦୨୬ ଏବଂ ୯ ଅକ୍ଟୋବର ୨୦୨୬ ପୂର୍ବାହ୍ନ ୧୧ଟାରେ ଟେଣ୍ଡର ବକ୍ସ ଖୋଲାଯିବ ବୋଲି ବିଜ୍ଞାପନରେ ଦର୍ଶାଯାଇଛି I ଚୟନ ହୋଇଥିବା ବ୍ୟକ୍ତିଙ୍କୁ ଆଦେଶ ପ୍ରାପ୍ତିର ୩ ଦିନ ମଧ୍ୟରେ ୫୦ ହଜାର ଟଙ୍କା ଅମାନତ ରାଶି ଏବଂ ୩ ମାସର ଅଗ୍ରିମ ଭଡ଼ା ଦାଖଲ କରିବାକୁ ପଡ଼ିବ। ଅପର ପକ୍ଷରେ  ଜଣେ ନୂଆ ବ୍ୟବସାୟୀ ପ୍ରଥମେ କିପରି ଟ୍ରେଡ୍ ଲାଇସେନ୍ସ ପାଇବେ ବୋଲି ପ୍ରଶ୍ନ ଉଠିଛି। ନୂଆ ବ୍ୟବସାୟ ଆରମ୍ଭ ପାଇଁ ସାଧାରଣତଃ
ଦୋକାନର ଭଡ଼ା ଚୁକ୍ତିନାମା, ଦୋକାନର ବିବରଣୀ ଓ ଆବେଦନ ସମ୍ବନ୍ଧୀୟ ତଥ୍ୟ ଦେଇ ଟ୍ରେଡ୍ ଲାଇସେନ୍ସ ପାଇଁ ଆବେଦନ କରାଯାଏ। ପରେ ପୌର ପରିଷଦ ପକ୍ଷରୁ ଆବଶ୍ୟକ ଯାଞ୍ଚ ହେବା ପରେ ଲାଇସେନ୍ସ ଅନୁମୋଦନ ହେଲେ ତାହାର ପ୍ରିଣ୍ଟ ବାହାର କରାଯାଇପାରେ ବୋଲି ବ୍ୟବସାୟୀ ମହଲରେ ଆଲୋଚନା ହେଉଛି। ଏପରି ସ୍ଥିତିରେ ପୌର ପରିଷଦର ନୂଆ ଦୋକାନ ପାଇଁ ଆବେଦନ କରିବା ସମୟରେ ଟ୍ରେଡ୍ ଲାଇସେନ୍ସର ନକଲ ଦାଖଲ କରିବାର ସର୍ତ୍ତ ନୂଆ ବ୍ୟବସାୟୀଙ୍କ ପାଇଁ କେତେଦୂର ସୁହାହିବ ପ୍ରଶ୍ନ ଉଠିଛି। ତେବେ ଆବେଦନ କାରୀଙ୍କ ମଧ୍ୟରେ ଦୋକାନ ଗୃହ ଲଟେରୀ ମାଧ୍ୟମରେ ପ୍ରଦାନ କରାଯିବା ନେଇ କିଛି ଉଲେଖ କରାଯାଇନାହିଁ। ଯାହାଫଳରେ ଦୋକାନ ଗୃହ ବଣ୍ଟନ ବେଳେ ସ୍ଵଚ୍ଛତା ରହିବା ନେଇ ସନ୍ଧେହ ସୃଷ୍ଟି ହୋଇଛି। ଏନେଇ ଗୁଣପୁର ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ନାୟକଙ୍କୁ ପଚାରିବାରୁ କହିଛନ୍ତି, ବିଜ୍ଞାପନ ପ୍ରକାଶ କରାଯାଇଛି। ପୂର୍ବରୁ ବ୍ୟବସାୟ କରୁଥିବା ବ୍ୟବସାୟୀମାନେ ଯେପରି ଆବେଦନ କରିପାରିବେ, ସେହିପରି ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଥିବା ବ୍ୟକ୍ତିମାନେ ମଧ୍ଯ ଆବେଦନ କରିପାରିବେ । ଗରିବ ଓ ଯୋଗ୍ୟ ଲୋକଙ୍କ ପାଇଁ ପୌର ପରିଷଦ ପକ୍ଷରୁ ଆବଶ୍ୟକ ଯାଞ୍ଚ କରାଯିବ ଏବଂ ଯୋଗ୍ୟ ବ୍ୟକ୍ତିଙ୍କୁ ଦୋକାନ ଦିଆଯିବ। ନୂଆ ଦୋକାନ କରିବାକୁ ଚାହୁଁଥିବା ଆବେଦନକାରୀଙ୍କ ଟ୍ରେଡ୍ ଲାଇସେନ୍ସ ସମ୍ବନ୍ଧୀୟ ବ୍ୟବସ୍ଥା ମଧ୍ୟ କରାଯିବ ବୋଲି ସେ କହିଛନ୍ତି । ତେବେ ଅଧିକାରୀଙ୍କ ଏହି ସ୍ପଷ୍ଟୀକରଣ ପରେ ମଧ୍ୟ ବିଜ୍ଞାପନରେ ଟ୍ରେଡ୍ ଲାଇସେନ୍ସର ନକଲକୁ ଆବଶ୍ୟକ ପ୍ରମାଣପତ୍ର ଭାବେ ଉଲ୍ଲେଖ କରାଯିବାକୁ ନେଇ ଦ୍ବନ୍ଦ୍ବ ରହିଛି।  ତେବେ ବିଜ୍ଞାପନରେ ଟ୍ରେଡ୍ ଲାଇସେନ୍ସ ସମ୍ବନ୍ଧୀୟ ସର୍ତ୍ତକୁ କିପରି ସ୍ପଷ୍ଟ କରାଯିବ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେହିପରି ବିଜ୍ଞାପନର ଶେଷ ଲାଇନ ଗୁରୁତ୍ୱପୂର୍ଣ୍ଣ ଏବଂ  ବେଆଇନ। କତ୍ତୃପକ୍ଷ କୌଣସି କରଣ ନଦର୍ଶାଇ ବିଜ୍ଞାପନ କିମ୍ବା ଆବେଦନ ପତ୍ର ନାକଚ କରିପାରିବେ ବୋଲି ଉଲେଖ ରହିଛି। ତାହାହିଁ ଘଟିଲେ ଆଶ୍ଚର୍ଯ୍ୟ ହେବାର ନାହିଁ । ଟେଣ୍ଡର ସମୟରେ ଏହି ପ୍ରଥା ପୂର୍ବରୁ ଚାଲି ଆସିଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ