ଚୋରି ମୋବାଇଲ ପ୍ରକୃତ ମାଲିକଙ୍କୁ ଫେରାଇଲା ପୋଲିସ
କେନ୍ଦ୍ରାପଡ଼ା (ଓ୍ବାଇଏନଏସ):କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ଚୋରି ଯାଇଥିବା ୫୪ଟି ମୋବାଇଲକୁ ବିଭିନ୍ନ ସମୟରେ ପୋଲିସ ଜବତ କରିଥିଲା। ଆଜି ଜଜାଙ୍ଗସ୍ଥିତ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ା ଏସ୍ପି ସିଦ୍ଧାର୍ଥ କଟ୍ଟାରିଆ ଜବତ ହୋଇଥିବା ମୋବାଇଲ ଗୁଡିକୁ ତା’ର ପ୍ରକୃତ ମାଲିକମାନଙ୍କୁ ହସ୍ତାନ୍ତର କରିଛନ୍ତି। ମୋବାଇଲ ଫେରି ପାଇବାର ଆଶା ହରାଇବସିଥିବା ଲୋକମାନେ ମୋବାଇଲ ପାଇବା ପରେ ଖୁସି ବ୍ୟକ୍ତ କରିଛନ୍ତି। ଏହି ଅବସରରେ ଏସପି କହିଛନ୍ତି ଯେ ମୋବାଇଲ ଚୋରି ହୋଇଥିବା ଲୋକମାନେ ସଂପୃକ୍ତ ଅଞ୍ଚଳର ଥାନାରେ ଅଭିଯୋଗ କରିଥିଲେ। ସେହି ଅଭିଯୋଗ ପାଇବା ପରେ ଏ ନେଇ ପୋଲିସ ତଦନ୍ତ କରିଥିଲା। ତଦନ୍ତ ପରେ ବିଭିନ୍ନ ଘଟଣାରେ ଗିରଫ ହୋଇଥିବା ଚୋରଙ୍କ ନିକଟରୁ ମୋବାଇଲ ଗୁଡିକ ଜବତ ହୋଇଥିଲା। ଫଳରେ ମୋବାଇଲଗୁଡିକର ପ୍ରକୃତ ମାଲିକମାନଙ୍କୁ ମୋବାଇଲ ଗୁଡିକ ଆଜି ହସ୍ତାନ୍ତର କରାଯାଇଥିଲା ବୋଲି ଏସ୍ପି ସୂଚନା ଦେଇଛନ୍ତି। ମୋବାଇଲ ଫେରିପାଇଥିବା ବ୍ୟକ୍ତିମାନେ ହେଉଛନ୍ତି ରଘୁନାଥ ନାୟକ, ଜୀତେନ୍ଦ୍ର ନାୟକ, ପ୍ରଭାକର ଦାସ, ଦେବାଶିଷ ବେହେରା, ପ୍ରଭାତ ପ୍ରଧାନ, ନମିତା ବାରିକ, ମିତାଲିନୀ ସେଠୀ, ପୁଷ୍ପାଞ୍ଜଳି ସାମଲ, ମଧୁସୁଦନ ଜେନା ଓ ଦେବଦତ୍ତ ଦାସ ପ୍ରମୁଖ ୫୪ ଜଣ ବ୍ୟକ୍ତିଙ୍କୁ ସେମାନଙ୍କର ଚୋରି ଯାଇଥିବା ମୋବାଇଲ ଗୁଡିକୁ ଆଜି ସେମାନଙ୍କୁ ହସ୍ତାନ୍ତର କରାଯାଇଥିଲା। ଜିଲ୍ଲା ପୋଲିସ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରିଜର୍ଭ ଇନସପେକ୍ଟର ପ୍ରଶାନ୍ତ କୁମାର ରଣସିଂହ, ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାଧିକାରୀ ପ୍ରଦୀପ୍ତ କୁମାର କାନୁନ୍ଗୋଙ୍କ ସମେତ ବିଭିନ୍ନ ଥାନାର ଅଧିକାରୀମାନେ ଉପସ୍ଥିତ ରହି ଲୋକମାନଙ୍କୁ ମୋବାଇଲ ଫେରି ପାଇବାରେ ସହଯୋଗ କରିଥିଲେ।


