ବେଦାନ୍ତର ପୁରୁଣା ବକ୍ସାଇଟ୍ ଚୁକ୍ତି ଦାବିକୁ ହାଇକୋର୍ଟଙ୍କ ନା

କଟକ (ଓ୍ବାଇଏନଏସ): ପୁରୁଣା ଚୁକ୍ତି ଆଧାରରେ ରିହାତି ମୂଲ୍ୟରେ ବକ୍ସାଇଟ୍ ଯୋଗାଣ ଦାବି କରିଥିବା ବେଦାନ୍ତ ଲିମିଟେଡ୍‌କୁ ଓଡ଼ିଶା ହାଇକୋର୍ଟରେ ଝଟକା ଲାଗିଛି। ପୂର୍ବତନ ଚୁକ୍ତି ଓ ବୁଝାମଣାପତ୍ର ଆଧାରରେ ବକ୍ସାଇଟ୍ ଯୋଗାଣ ଉପରେ ରିହାତି ଦେବାକୁ କମ୍ପାନୀ କରିଥିବା ଦାବିକୁ ଖଣ୍ଡପୀଠ ଖାରଜ କରିଛନ୍ତି। ଏଥିସହ ଓଡ଼ିଶା ମାଇନିଂ କର୍ପୋରେସନ୍ (OMC) ପକ୍ଷରୁ ନିର୍ଦ୍ଧାରିତ ବଜାରଭିତ୍ତିକ ମୂଲ୍ୟ ପ୍ରକ୍ରିୟା ଏବଂ ଜାରି କରାଯାଇଥିବା ଡିମାଣ୍ଡ ନୋଟିସ୍‌କୁ କୋର୍ଟ ବୈଧ ବୋଲି କହିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନ ଏବଂ ଜଷ୍ଟିସ୍ ମୁରାହରି ଶ୍ରୀ ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ବେଦାନ୍ତ ଲିମିଟେଡ୍‌ ପକ୍ଷରୁ ଦାଏର ରିଟ୍ ପିଟିସନ୍‌ର ଶୁଣାଣି କରି ଏହି ରାୟ ପ୍ରଦାନ କରିଛନ୍ତି। ଏହା ସହ ପୂର୍ବରୁ ଜାରି ହୋଇଥିବା ଅନ୍ତରୀଣ ସୁରକ୍ଷା ନିର୍ଦ୍ଦେଶଗୁଡ଼ିକୁ ମଧ୍ୟ ପ୍ରତ୍ୟାହାର କରି ନିଆଯାଇଛି। ବେଦାନ୍ତ ପକ୍ଷରୁ ଯୁକ୍ତି ଦର୍ଶାଯାଇଥିଲା ଯେ, ୨୦୦୩ ଓ ୨୦୦୭ରେ ରାଜ୍ୟ ସରକାରଙ୍କ ସହ ହୋଇଥିବା ବୁଝାମଣାପତ୍ର (MoU) ଏବଂ ୨୦୦୪ର ଜଏଣ୍ଟ ଭେଞ୍ଚର ଏଗ୍ରିମେଣ୍ଟ (JVA) ଆଧାରରେ ରାଜ୍ୟରେ ବୃହତ୍ ପୁଞ୍ଜିନିବେଶ କରାଯାଇ ଲାଞ୍ଜିଗଡ଼ ରିଫାଇନାରୀ ଓ ଝାରସୁଗୁଡ଼ା ସ୍ମେଲ୍ଟର ସ୍ଥାପନ କରାଯାଇଥିଲା। ଏହା ବଦଳରେ ଉତ୍ପାଦନ ଖର୍ଚ୍ଚ ସହ ୫୦ ପ୍ରତିଶତ ରୟାଲ୍ଟି ଆଧାରରେ ୧୫୦ ନିୟୁତ ଟନ୍ ବକ୍ସାଇଟ୍ ଯୋଗାଣ ପାଇଁ ସରକାର ପ୍ରତିଶ୍ରୁତି ଦେଇଥିବା କମ୍ପାନୀ ପକ୍ଷରୁ ଦାବି କରାଯାଇଥିଲା। ଏହି ଆଧାରରେ ‘ପ୍ରମିସରୀ ଇଷ୍ଟୋପେଲ’ ନୀତି ଲାଗୁ କରି OMCକୁ ପୂର୍ବତନ ପ୍ରତିଶ୍ରୁତି ପାଳନ କରିବାକୁ ବାଧ୍ୟ କରାଯାଇପାରିବ ବୋଲି ବେଦାନ୍ତ ପକ୍ଷରୁ ଯୁକ୍ତି ରଖାଯାଇଥିଲା। ତେବେ OMC ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଆଡଭୋକେଟ୍ ଜେନେରାଲ୍ ପୀତାମ୍ବର ଆଚାର୍ଯ୍ୟ ଏହି ଦାବିକୁ ବିରୋଧ କରିଥିଲେ। ଯୁକ୍ତି ଦିଆଯାଇଥିଲା ଯେ, ୨୦୧୫ରେ MMDR ଆଇନରେ ସଂଶୋଧନ ଏବଂ ଆବଶ୍ୟକ ପରିବେଶ ମଞ୍ଜୁରୀ ନ ମିଳିବା ପରିପ୍ରେକ୍ଷିତରେ ସମ୍ପୃକ୍ତ ଜଏଣ୍ଟ ଭେଞ୍ଚର ଚୁକ୍ତି ବାତିଲ ହୋଇଥିଲା। ଏହି ବାତିଲକୁ କମ୍ପାନୀ ସେତେବେଳେ ଆଇନଗତ ଭାବେ ଚ୍ୟାଲେଞ୍ଜ କରିନଥିଲା ବୋଲି ମଧ୍ୟ OMC ପକ୍ଷରୁ ଦର୍ଶାଯାଇଥିଲା। ପରବର୍ତ୍ତୀ ସମୟରେ ୨୦୧୮ ଓ ୨୦୨୨ର ଦୀର୍ଘକାଳୀନ ଲିଙ୍କେଜ୍ (LTL) ନୀତି ଅନୁଯାୟୀ ବେଦାନ୍ତ ନିଜେ ଇ-ନିଲାମ ପ୍ରକ୍ରିୟାରେ ଅଂଶଗ୍ରହଣ କରି ନୂଆ ଚୁକ୍ତି ସ୍ୱାକ୍ଷର କରିଥିବାରୁ ପୂର୍ବତନ ଚୁକ୍ତିର ସର୍ତ୍ତକୁ ବର୍ତ୍ତମାନ ପୁନର୍ବାର ଲାଗୁ କରିବାର ଦାବି ଆଇନସମ୍ମତ ନୁହେଁ ବୋଲି ଯୁକ୍ତି ଦିଆଯାଇଥିଲା। ମାମଲାର ସମସ୍ତ ପ୍ରସଙ୍ଗର ବିଚାର କରି ଖଣ୍ଡପୀଠ କହିଛନ୍ତି ଯେ, ପ୍ରଚଳିତ ଆଇନ କିମ୍ବା ସଂଶୋଧିତ ଆଇନଗତ ବ୍ୟବସ୍ଥା ବିରୋଧରେ ‘ପ୍ରମିସରୀ ଇଷ୍ଟୋପେଲ’ ନୀତି ପ୍ରୟୋଗ କରାଯାଇପାରିବ ନାହିଁ। ପ୍ରାକୃତିକ ସମ୍ପଦର ବ୍ୟବହାର ମାମଲାରେ ସାର୍ବଜନୀନ ସ୍ୱାର୍ଥକୁ ପ୍ରାଧାନ୍ୟ ଦିଆଯିବା ଆବଶ୍ୟକ ବୋଲି ମଧ୍ୟ ଖଣ୍ଡପୀଠ ମତ ଦେଇଛନ୍ତି। କୋର୍ଟ ଆହୁରି ଦର୍ଶାଇଛନ୍ତି ଯେ, ପୂର୍ବତନ ଚୁକ୍ତି ବାତିଲ ହେବା ପରେ ବେଦାନ୍ତ ନୂଆ ନିୟମ ଅନୁଯାୟୀ ପ୍ରକ୍ରିୟାରେ ଅଂଶ ନେଇ ଚୁକ୍ତି କରିଥିବାରୁ ଏବେ ପୁରୁଣା ଚୁକ୍ତିର ସର୍ତ୍ତକୁ ପୁନର୍ବାର ଲାଗୁ କରିବା ପାଇଁ OMCକୁ ବାଧ୍ୟ କରିପାରିବ ନାହିଁ। ଏହି ଆଧାରରେ ହାଇକୋର୍ଟ ବେଦାନ୍ତର ରିଟ୍ ପିଟିସନ୍‌କୁ ଖାରଜ କରିବା ସହ ଖଣିଜ ରିହାତି ନିୟମାବଳୀ, ୨୦୧୬ର ଧାରା ୪୫(୧) ଅନୁଯାୟୀ OMC ପକ୍ଷରୁ କରାଯାଉଥିବା ମୂଲ୍ୟ ନିର୍ଦ୍ଧାରଣକୁ ଯଥାର୍ଥ ବୋଲି ମାନ୍ୟତା ଦେଇଛନ୍ତି। ଏଥିସହ ବକେୟା ରାଶି ଆଦାୟ ଏବଂ ଆବଶ୍ୟକ ଆଇନଗତ ପଦକ୍ଷେପ ନେବା ପାଇଁ OMCକୁ ଅନୁମତି ଦିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ