ରାଇକିଆ ଗ୍ରାମ ପଞ୍ଚାୟତରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ
ରାଇକିଆ , (ଆଦିତ୍ୟ ପ୍ରସାଦ ପାଢ଼ୀ), : କନ୍ଧମାଳ ଜିଲ୍ଲାର ରାଇକିଆ ସଦର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସଭାଗୃହରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୭ତମ ଜୟନ୍ତୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ୧୨୨ତମ ଜନ୍ମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଏକ ସ୍ୱତନ୍ତ୍ର ଗ୍ରାମସଭା ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ସରପଞ୍ଚ ଗୀତାଞ୍ଜଳୀ ନାୟକ ସଭାପତିତ୍ୱ କରିଥିବା ବେଳେ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) ଶିବସମ୍ଭୁ ଗୌଡ଼ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ସଭା ପ୍ରାରମ୍ଭରେ ଆଭାସୀ (ଭର୍ଚୁଆଲ) ମାଧ୍ୟମରେ ମନ୍ତ୍ରୀଙ୍କ ଅଭିଭାଷଣ ଓ ପଞ୍ଚାୟତିରାଜ ବିଭାଗର ବିଭିନ୍ନ ଉନ୍ନୟନମୂଳକ ଯୋଜନା ସମ୍ପର୍କରେ ଉପସ୍ଥିତ ସମସ୍ତଙ୍କୁ ଅବଗତ କରାଯାଇଥିଲା। ପଞ୍ଚାୟତର ପ୍ରତ୍ୟେକ ୱାର୍ଡକୁ ସ୍ୱଚ୍ଛ ଓ ସବୁଜ ରଖିବା ଉଦ୍ଦେଶ୍ୟରେ ଆଜିଠାରୁ ଆସନ୍ତା ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ‘ଜନ ଯୋଜନା ଅଭିଯାନ’ ଜାରି ରଖିବା ପାଇଁ ସର୍ବସମ୍ମତ ସଙ୍କଳ୍ପ ନିଆଯାଇଥିଲା। ଏଥିସହ ରାଇକିଆ ଗ୍ରାମ ପଞ୍ଚାୟତକୁ ଆନୁଷ୍ଠାନିକ ଭାବେ ‘ବାଲ୍ୟବିବାହ ମୁକ୍ତ ପଞ୍ଚାୟତ’ ଘୋଷଣା କରାଯାଇଥିଲା। କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ ସେବା ପାଇଁ ସ୍ୱଚ୍ଛ ସାଥୀ ତଥା ସଫେଇ କର୍ମଚାରୀମାନଙ୍କୁ ସମ୍ମାନିତ କରାଯାଇଥିଲା। ଗ୍ରାମସଭା ପୂର୍ବରୁ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏକ ବ୍ୟାପକ ସଫେଇ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ନାଏବ ସରପଞ୍ଚ ନିଥାନିୟେଲ୍ ନାୟକ, ଜିପିଡିଓ ମହେଶ ପଟ୍ଟନାୟକ, ସାହାରା ଏନଜିଓ ସମ୍ପାଦକ ସୁକାନ୍ତ ନାୟକ, ଜିଲ୍ଲା ବିଜେପି ସମ୍ପାଦକ ସୁକାନ୍ତ ସାହୁ, ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ୩୦ ଜଣ ଛାତ୍ରୀ, ସିଆରପି, ଆଶା କର୍ମୀ, ଅଙ୍ଗନୱାଡ଼ି କର୍ମୀ, ମେଟ୍, ସ୍ୱାତୀ ସଂଗଠନର କର୍ମକର୍ତ୍ତା, ବନ ବିଭାଗ କର୍ମଚାରୀ, ୱାର୍ଡ ସଭ୍ୟସଭ୍ୟା ଏବଂ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ।


