ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ ଓ ତିଳତର୍ପଣ କାର୍ଯ୍ୟକ୍ରମ

ଆସିକା (ୱାଇଏନ୍‍ଏସ୍‍) : ହିନ୍ଦୁଧର୍ମାବଲମ୍ବୀଙ୍କ ପରିବାରରେ ବାର ମାସରେ ତେର ପର୍ବ ପାଳନ କରାଯାଇଥାଏ । ସେଥି ମଧ୍ୟରୁ ଆଶ୍ୱିନ ମାସରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ ଓ ତିଳତର୍ପଣ କାର୍ଯ୍ୟକ୍ରମ ଅନ୍ୟତମ । ସୁରତ ଅଞ୍ଚଳ ତଥା ଏହାର ଆଖପାଖ ଅଞ୍ଚଳରେ ବସବାସ କରୁଥିବା ହିନ୍ଦୁ ସଂପ୍ରଦାୟଙ୍କ ପକ୍ଷରୁ ଶ୍ରୀ ସ୍ୱାଗତମ୍‍ ଓଡିଶା ବ୍ରାହ୍ମଣ ସମାଜ ଚାରିଟେବୁଲ୍‍ ଟ୍ରଷ୍ଟର ସଭାପତି ଆଚାର୍ଯ୍ୟ ଶ୍ରୀ ପଦ୍ମଚରଣ ରଥଶର୍ମାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଉପଦେଷ୍ଟା ତଥା ଆଧ୍ୟାତ୍ମିକପ୍ରେମୀ ସନ୍ତୋଷ କୁମାର ସାହୁ, ଉପସଭାପତି ସୁଶାନ୍ତ ପାଠୀ, କୋଷାଧ୍ୟକ୍ଷ ପ୍ରତାପ ପାଠୀ, ସଂପାଦକ ବିକ୍ରମ ପାଠୀ, ସହସଂପାଦକ ସନ୍ତୋଷ ପାଠୀ, ପଦ୍ମନାଭ ତ୍ରିପାଠୀ, ବାସୁଦେବ ତ୍ରିପାଠୀ, ମହାମନ୍ତ୍ରୀ ପ୍ରଦ୍ୟୁଷ ନନ୍ଦଙ୍କ ସମେତ ଆଧ୍ୟାତ୍ମିକପ୍ରେମୀ ଶ୍ରଦ୍ଧାଳୁ ଭକ୍ତଙ୍କ ସଂଯୋଜନାରେ ଗୁଜରାଟର ସୁରତ ଅଞ୍ଚଳ ସ୍ଥିତ ସାଇନାଥ ଆପାର୍ଟମେଣ୍ଟ ଆମ୍ରୋଲି ଅମରାବାଡି ପକ୍ଷରୁ ଶ୍ରୀ ଜଗନ୍ନାଥ ମନ୍ଦିର ଓ ସଂକଟମୋଚନ ହନୁମାନ ମନ୍ଦିର ପରିସରରେ ବିଦ୍ୱାନ ପଣ୍ଡିତମାନଙ୍କ ମନ୍ତ୍ରୋଚାରଣରେ ପିଣ୍ଡଦାନ ଓ ତିଳତର୍ପଣ କାର୍ଯ୍ୟକ୍ରମ ଜାରି ରହିଥିବା ଦେଖିବାକୁ ମିଳିଛି । ଏ ସଂପର୍କରେ ଶ୍ରୀ ସ୍ୱାଗତମ୍‍ ଓଡିଶା ବ୍ରାହ୍ମଣ ସମାଜ ଚାରିଟେବୁଲ୍‍ ଟ୍ରଷ୍ଟର ଉପଦେଷ୍ଟା ତଥା ଆଧ୍ୟାତ୍ମିକପ୍ରେମୀ ସନ୍ତୋଷ କୁମାର ସାହୁ ପ୍ରକାଶ କରିକହିଛନ୍ତି ପିଣ୍ଡଦାନ ଓ ତିଳତର୍ପଣ କାର୍ଯ୍ୟକ୍ରମ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ କରିବା ଦ୍ୱାରା ପିତୃôଲୋକ ସନ୍ତୁଷ୍ଟ ହୋଇ ପରିବାରରେ ସୁଖ ଓ ଶାନ୍ତି, ସମୃଦ୍ଧି ବୃଦ୍ଧି କରିଥାନ୍ତି । ପରିବାରର କଲ୍ୟାଣ ଓ ପିତୃôପୁରୁଷଙ୍କ ଆତ୍ମାର ଶାନ୍ତି ପାଇଁ ପିତୃପକ୍ଷରେ ଶ୍ରାଦ୍ଧକର୍ମ କରିବା ବିଧେୟ । ବିଧି ପୂର୍ବକ ପିତୃପକ୍ଷରେ ଶ୍ରାଦ୍ଧ କଲେ ପିତୃପୁରୁଷ ଆଶୀର୍ବାଦ କରିଥାନ୍ତି । ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ ଓ ପିଣ୍ଡଦାନ ପାଳନ ଅବସରରେ ସୁରତ ଅଞ୍ଚଳର ହିନ୍ଦୁ ସଂପ୍ରଦାୟର ଘର ଓ ମନ୍ଦିରଗୁଡିକ ବ୍ରାହ୍ମଣ ପଣ୍ଡିତ ମନ୍ତ୍ରୋଚାରଣରେ ପ୍ରକମ୍ପିତ ହୋଇପଡୁଥିଲା ବେଳେ ଶ୍ରଦ୍ଧାଳୁ ଭକ୍ତମାନେ ଶ୍ରାଦ୍ଧ ଦେବା ପରେ ମନ୍ଦିରକୁ ଯାଇ ଜଗନ୍ନାଥଙ୍କୁ ଦର୍ଶନ କରି ବ୍ରାହ୍ମଣଙ୍କୁ ଭୋଜନ ଲଗାଉଥିବା ଦେଖିବାକୁ ମିଳୁଛି । ପିତୃପୁରୁଷଙ୍କ ତୃôପ୍ତିରେ ବିଧାନ ତର୍ପଣ କାର୍ଯ୍ୟକୁ ଅପର ପକ୍ଷ ନାମରେ ପରିଚିତ ହୋଇଆସିଛି । ଏହି ଅପର ପକ୍ଷରେ ପିତୃଗଣଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ, ପିଣ୍ଡଦାନ ଆଦି କରାଯାଇଥାଏ । ଏହା ଦ୍ୱାରା ପୂଣ୍ୟଲାଭ ଏବଂ ବଂଶର ଉତ୍ତର ପିଢୀର ସକଳ ଉନ୍ନତି ହେଉଥିବା ବିଶ୍ୱାସ ରହିଛି । ହିନ୍ଦୁ ଧାର୍ମିକ ପରମ୍ପରାରେ ପିତୃପୁରୁଷଙ୍କ ପାଇଁ ପାଳନ କରାଯାଉଥିବା ବିଭିନ୍ନ ଶ୍ରାଦ୍ଧକର୍ମ ମଧ୍ୟରେ ମହାଳୟା ଶ୍ରେଷ୍ଠ । ପିତୃôପକ୍ଷ ପାଳନ ସମୟରେ କୌଣସି ଶୁଭକାର୍ଯ୍ୟ ଯଥା ବାହା, ବ୍ରତ ଆଦି କରିବାକୁ ବାରଣ ରହିଛି । ଶାସ୍ତ୍ରମତେ ଏହି ପିତୃପକ୍ଷ ଦିନରେ ଦିବଙ୍ଗତ ପୂର୍ବଜମାନେ ସୂକ୍ଷ୍ମ ଶରୀରରେ ଆସିଥାନ୍ତି ଓ ନିଜର ସଂପର୍କୀୟଙ୍କୁ ଆଶୀର୍ବାଦ ପ୍ରଦାନ କରି ସୁଖ, ସମୃଦ୍ଧି, ନିରୋଗ ପାଇଁ ଆଶୀର୍ବାଦ ପ୍ରଦାନ କରିଥାନ୍ତି । ହିନ୍ଦୁ ଧର୍ମାବଲମ୍ବୀମାନେ ଏହି ଅପର ପକ୍ଷରେ ପୂର୍ବଜଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ, ତର୍ପଣ, ଦାନାଦି କରିବା ସହ ପୂର୍ବଜଙ୍କୁ ଆଶୀର୍ବାଦ ଭିକ୍ଷା କରିଥାନ୍ତି । ପିତୃପକ୍ଷ ସମୟରେ ଶ୍ରାଦ୍ଧ ତଥା ତିଳତର୍ପଣ କରୁଥିବା ବ୍ୟକ୍ତି କ୍ଷୌର ହୁଅନ୍ତି ନାହିଁ । ଆମ ପରମ୍ପରାରେ ଆଶ୍ୱିନ କୃଷ୍ଣ ପ୍ରତିପଦା ଠାରୁ ଅମାବାସ୍ୟ ପର୍ଯ୍ୟନ୍ତ ପିତୃପକ୍ଷ ପାଳନ କରାଯାଇଆସୁଛି । ପିତୃକୃତ୍ୟ ନିମନ୍ତେ ଏହି ସମୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ଏହି ସମୟ ଅବଧିରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ ଓ ତର୍ପଣ ଆଦି କରାଯାଇଥାଏ ଓ ସେମାନେ ଦେବତୁଲ୍ୟ ରୂପେ ବିବେଚିତ ହୋଇଥାନ୍ତି । ହିନ୍ଦୁ ଧର୍ମ ଅନୁସାରେ ଯେଉଁ ସନ୍ତାନମାନେ ସେମାନଙ୍କ ପୂର୍ବଜଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ, ତର୍ପଣ, ଦାନାଦି କରନ୍ତି ସେମାନେ ଅଖଣ୍ଡ ଶାନ୍ତିରେ ଜୀବନ ନିର୍ବାହ କରନ୍ତି ବୋଲି ଲୋକପ୍ରଥା ପ୍ରଚଳିତ ହୋଇଆସିଛି । ହିନ୍ଦୁ ପରମ୍ପରା ଅନୁଯାୟୀ ପ୍ରାୟତଃ ପରିବାରର ଜ୍ୟେଷ୍ଟ ପୁତ୍ରମାନେ ପୁତୃପୁରୁଷଙ୍କ ଉଦ୍ଦେଶ୍ୟରେ ତର୍ପଣ କରିଥାନ୍ତି । ଗତ ୨୭ ତାରିଖ ଠାରୁ ଆରମ୍ଭ ହୋଇଯାଇଛି ଅପରପକ୍ଷ ତଥା ପିତୃପକ୍ଷ । ଏହା ଆସନ୍ତା ମହାଳୟା ଅମାବାସ୍ୟ ତଥା ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି । ଆସନ୍ତା ୧୦ ତାରିଖ ଶନିବାର ଦିନ ମହାଳୟା ପାଳିତ ହେବ । ଆଶ୍ୱୀନ କୃଷ୍ଣ ପକ୍ଷ ପ୍ରତିପଦା ତିଥି ଠାରୁ ବୈକୁଣ୍ଠାଗତ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଟଦାନ ଆରମ୍ଭ ହୋଇଥିଲା ବେଳେ ଶ୍ରଦ୍ଧାଳୁମାନେ ସ୍ନାନଶୌଚାଦି ସାରି ତିଳତର୍ପଣ କରିଥିବା ଦେଖିବାକୁ ମିଳିଥିଲା । ବିଶ୍ୱାସ ରହିଛି ଏହି ପିତୃପକ୍ଷରେ ନିଷ୍ଠାର ସହ ତିଳତର୍ପଣ କଲେ କୌଣସି ନା କୌଣସି ରୂପରେ ପୂର୍ବପୁରୁଷମାନେ ଆସି ଆଶୀର୍ବାଦ ପ୍ରଦାନ କରିଥାନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ