ବିଜୁ ଜନତା ଦଳ ପକ୍ଷରୁ ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ
ନବରଙ୍ଗପୁର, (ୱାଇଏନଏସ): ନବରଙ୍ଗପୁର ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଏବଂ ପୂର୍ବତନ ସାଂସଦ ପ୍ରଦୀପ ମାଝୀ , ପୂର୍ବତନ ବିଧାୟକ ସଦାଶିବ ପ୍ରଧାନୀ ନବରଙ୍ଗପୁର ବ୍ଲକର ବନ୍ୟା ପ୍ରଭାବିତ ଗାଁ ମାନଙ୍କୁ ଗସ୍ତ କରି ଲୋକଙ୍କ ସମସ୍ୟା ବୁଝିଛନ୍ତି। ପୀଡିତ ମାନଙ୍କ ସହିତ କଥା ହେବା ସହ କ୍ଷୟକ୍ଷତି ସମ୍ପର୍କରେ ପଚାରି ବୁଝିଛନ୍ତି ଏବଂ ଖାଦ୍ୟ ଏବଂ ବସ୍ତ୍ର ବଣ୍ଟନ କରିଛନ୍ତି ଲୋକଙ୍କୁ ରିଲିଫ କିପରି ମିଳୁଛି ତାହା ଉପରେ ଲୋକଙ୍କ ସହ ଆଲୋଚନା କରିଛନ୍ତି। ଅନ୍ୟ ପଟେ ରିଲିଫ ଦେବାରେ ସରକାର ବିଫଳ ହୋଇଥିବା ଅଭିଯୋଗ କରାଯାଇଛି । ଚାଷ ଏବଂ ଅନ୍ୟାନ୍ୟ କ୍ଷୟ କ୍ଷତି ଠିକ ଭାବେ ଆକଳନ କରାଯାଇନଥିବା ଅଭିଯୋଗ କରିଛନ୍ତି ବନ୍ୟା ପୀଡିତ ବୋଲି କହିଛନ୍ତି ବିଜେଡି ନେତା ପ୍ରଦୀପ ମାଝୀ। ସରକାର ଚାଷରେ କ୍ଷତି ହୋଇଥିବା ଚାଷୀଙ୍କୁ ୩୨୦୦ ଟଙ୍କା ଏକର ପିଛା ଦେବା ବଦଳରେ ୩୦ ହଜାର ଟଙ୍କା ଦେବାକୁ ଦାବି କରିଛନ୍ତି ବିଧାୟକ ମନୋହର । ସେଭଳି ସମ୍ପୂର୍ଣ୍ଣ ଘର ଭାଙ୍ଗିଥିବା ପିଡିତାଙ୍କ ୩ ଲକ୍ଷ ଟଙ୍କା ଦେବାକୁ ଦାବି କରିଛନ୍ତି ସେ। ପୂର୍ବତନ ବିଧାୟକ ସଦାଶିଵ ପ୍ରଧାନୀ ଏହି ବନ୍ୟା ପାଇଁ ସରକାରଙ୍କ ଅବହେଳା କୁ ଦାୟୀ କରିବା ସହ ବନ୍ୟା ପରେ ପ୍ରଭାବିତ ଲୋକଙ୍କୁ ସଠିକ ରିଲିଫ ଦେବାରେ ବିଫଳ ହୋଇଥିବା କହିଛନ୍ତି। ଚାଷୀଙ୍କ କ୍ଷୟକ୍ଷତି ର ପ୍ରକୃତ ଆକଳନ କରାଯାଇ କ୍ଷତିପୂରଣ ଦେବାକୁ ସେ ଦାବି କରିଛନ୍ତି । ଚାଷୀଙ୍କୁ ଇନ୍ସୁରାନ୍ସ ଟଙ୍କା ପ୍ରଦାନ କରିବା ସହ ଋଣ ଛାଡ କରିବାକୁ ଦାବି କରାଯାଇଛି । ଯଦି ସରକାର ଏଥିରେ ଖିଲାପ କରି ସାହାଯ୍ୟ ଯୋଗାଇବେ ନାହିଁ ତାହେଲେ ଆଗାମୀ ଦିନରେ ବିଜେଡି ଆନ୍ଦୋଳନ କରିବ ବୋଲି କହିଛନ୍ତି ବିଜେଡି ନେତୃମଣ୍ଡଳୀ । ଏହି ବନ୍ୟା ସରକାରୀକୃତ ବୋଲି ପ୍ରଦୀପ ମାଝୀ କହିଥିବାବେଳେ ସରକାର ପିଡିତ ମାନଙ୍କୁ ଅଣଦେଖା କରିଛନ୍ତି । ବନ୍ୟା ପରିସ୍ଥିତି ପରିଚାଳନା ରେ ମୋହନ ସରକାର ବିଫଳ ହୋଇଥିବା କହିଛନ୍ତି ପ୍ରଦୀପ ମାଝୀ। ସରକାର ଏଯାଏଁ କୌଣସି ପ୍ୟାକେଜ ଘୋଷଣା କରିନାହାନ୍ତି ତେଣୁ ନବରଙ୍ଗପୁର ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିବାକୁ ଦାବି କରିଛନ୍ତି ଉଭୟ ପ୍ରଦୀପ ମାଝୀ ଏବଂ ବିଧାୟକ ମନୋହର ରନ୍ଧାରୀ ।


