ବିଶ୍ୱ ପ୍ରାଣୀ ଦିବସ

ଖଲ୍ଲିକୋଟ(ଓ୍ବାଇଏନଏସ): ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ବିଭାଗ ଆନୁକୂଲ୍ୟରେ ବିଶ୍ୱ ପ୍ରାଣୀ ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ବିଶ୍ୱବିଦ୍ୟାଳୟର ଗଣେଶ କନଫରେନ୍ସ ହଲରେ ଏକ ସଭାର ଆୟୋଜନ କରାଯାଇଥିଲା। ବିଭାଗୀୟ ମୁଖ୍ୟ ଡ. ସୁଶୀଲ କୁମାର ରାଠୋରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭାରତୀୟ ପ୍ରାଣୀ ଅନୁସନ୍ଧାନ ସଂସ୍ଥାନ (Z. S. I.) ର ବରିଷ୍ଠ ବୈଜ୍ଞାନିକ ତଥା ନିର୍ଦ୍ଦେଶକ ଡ. ଅନିଲ କୁମାର ମହାପାତ୍ର ନିଜ ବାକ୍ତବ୍ୟରେ ଗଞ୍ଜାମର ଦୁର୍ମୂଲ୍ୟ ପ୍ରାଣୀ ସମ୍ପଦ ତଥା ସେମାନଙ୍କର ରକ୍ଷଣାବେକ୍ଷଣ ନିମନ୍ତେ ନିଆଯାଇଥିବା ନିଆରା ପଦକ୍ଷେପ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବରେ ଯୋଗଦେଇ ସଂସ୍ଥାନର ଅନ୍ୟତମ ବରିଷ୍ଠ ବୈଜ୍ଞାନିକ ଡ. ପ୍ରସାଦ ଚନ୍ଦ୍ର ଟୁଡୁ ନିଜ ବକ୍ତବ୍ୟରେ ବିଶ୍ୱ ପ୍ରାଣୀ ଦିବସର ଉଦ୍ଦେଶ୍ୟ ଓ ମହତ୍ତ୍ଵ ସମ୍ପର୍କରେ ବର୍ଣ୍ଣନା କରିଥିଲେ। ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷା ଡ. ଉଷାରାଣୀ ରଥ ଯୋଗଦେଇ ପ୍ରାଣୀମାନଙ୍କ ପ୍ରତି ନିଷ୍ଠୁର ନହୋଇ ସେମାନଙ୍କର ଉପଯୁକ୍ତ ଯତ୍ନ ନେବା ନିମନ୍ତେ ଗଳ୍ପ ଛଳରେ ପରାମର୍ଶ ଦେଇଥିଲେ। ବିଭାଗର ଅଧ୍ୟାପକ ଡ. ବିଭୂତି ପ୍ରସାଦ ବାରିକ ଅତିଥିମାନଙ୍କୁ ସ୍ୱାଗତ କରିଥିବା ବେଳେ ବିଭାଗ ମୁଖ୍ୟ ଡ. ସୁଶୀଲ କୁମାର ରାଠୋର ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମର ଦ୍ୱିତୀୟ ଅଧିବେଶନଟି ବୈଷୟିକ ଥିଲା। ଓଡ଼ିଶାର ପ୍ରାଣୀ ସମ୍ପଦର ବୈଚିତ୍ର୍ୟ ଓ ବିବିଧତା ତଥା ସଂରକ୍ଷଣ ସମ୍ପର୍କରେ ଉଭୟ ବୈଜ୍ଞାନିକ ବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ। କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ସ୍ନାତକ ତୃତୀୟ ବର୍ଷର ଛାତ୍ରୀ ଜିସାଲିନ୍। ଗବେଷିକା କୁମାରୀ ଦିବ୍ୟା ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମଟି ଛାତ୍ରଛାତ୍ରୀଙ୍କ ନିମନ୍ତେ ଅତି ଉତ୍ସାହପ୍ରଦ ଥିଲା। ଏଥିରେ ବିଭାଗୀୟ ଅଧ୍ୟାପକ ଡ. ସୁରେନ୍ଦ୍ର ସେଠୀ, ଡ. ସନ୍ତୋଷ ଗୌଡ଼ ଓ ଡ. ବିବାରାଣୀ ତ୍ରିପାଠୀ ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ