ଦେବଗଡ଼ରୁ କୁଚିଣ୍ଡା ଅଭିମୁଖେ ରାଜୁ ହାତୀ
କୁଚିଣ୍ଡା,(ଲିପନ ନାୟକ): ଦେବଗଡ଼ରୁ ସମ୍ବଲପୁର ଜିଲ୍ଲା ଅଭିମୁଖେ ଆସିଥିବା ‘ରାଜୁ’ ନାମକ ହାତୀ ଏବେ ଜମନକିରା ଅଞ୍ଚଳରେ ଲୋକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଛି। ବାମରା ବନ୍ୟପ୍ରାଣୀ ବନଖଣ୍ଡ ଅଧୀନ ଜମନକିରା ରେଞ୍ଜର ଭୋଜପୁର ବିଟ୍ ଅଞ୍ଚଳରେ ରାଜୁକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମୁଛି। କେହି ମୋବାଇଲ୍ରେ ଫଟୋ ଉଠାଉଛନ୍ତି, ଆଉ କେହି ଭିଡିଓ କରି ସୋସିଆଲ ମିଡିଆରେ ଅପଲୋଡ୍ କରୁଛନ୍ତି। ସୂଚନା ଅନୁସାରେ, ରାଜୁ ଗତ ଶୁକ୍ରବାର ରାତିରୁ ଦେବଗଡ଼ ଅଞ୍ଚଳରୁ ଆସି ଜମନକିରା ରେଞ୍ଜର ସିରିଡ଼ ବିଟ୍ ଅଞ୍ଚଳରେ ପହଞ୍ଚିଥିଲା। ହାତୀଟିର ଶାନ୍ତ ସ୍ୱଭାବ ଯୋଗୁଁ ଲୋକଙ୍କ ମଧ୍ୟରେ ଏହାକୁ ନେଇ ଉତ୍ସୁକତା ବଢ଼ିଥିଲା। ବୁଧବାର ରାଜୁ କୁଚିଣ୍ଡା ଅଭିମୁଖେ ଯାଉଥିବା ଦେଖାଯାଇଥିଲା। ରାଜୁ ଯେଉଁ ରାସ୍ତା ଦେଇ ଯାଉଛି, ସେହି ରାସ୍ତାରେ ଲୋକେ ତା’ ପଛେ ପଛେ ଯାଉଥିବା ଦେଖାଯାଉଛି। କେହି କଦଳୀ ଓ ଅନ୍ୟାନ୍ୟ ଖାଦ୍ୟ ଦେଉଥିବା ବେଳେ ଅନେକେ ଫଟୋ ଓ ଭିଡିଓ ଉତ୍ତୋଳନ କରି ସୋସିଆଲ ମିଡିଆରେ ଛାଡ଼ୁଛନ୍ତି। ହାତୀଟିକୁ ଦେଖିବା ପାଇଁ ରାସ୍ତାରେ ଯାନବାହନ ମଧ୍ୟ ଅଟକି ଯାଉଛି।
ତେବେ ହାତୀଟି ଏପର୍ଯ୍ୟନ୍ତ କାହାରି କ୍ଷତି କରିନଥିବାରୁ ଲୋକଙ୍କ ମଧ୍ୟରେ ଭୟ ଅପେକ୍ଷା ଉତ୍ସାହ ଅଧିକ ଦେଖାଯାଉଛି। ଏପରିକି କିଛି ଲୋକ ହାତୀ ନିକଟକୁ ଯାଇ ଖାଦ୍ୟ ଦେଉଥିବା ଦେଖାଯାଉଛି। ଏହାକୁ ନେଇ ମଣିଷ ଓ ହାତୀ ମଧ୍ୟରେ ଏକ ନିଆରା ସମ୍ପର୍କର ଚିତ୍ର ସାମ୍ନାକୁ ଆସିଛି। ଅନ୍ୟପକ୍ଷରେ, ରାଜୁର ସୁରକ୍ଷା ପାଇଁ ଜମନକିରା ବନ ବିଭାଗ ପକ୍ଷରୁ ୨୪ ଘଣ୍ଟିଆ ନଜର ରଖାଯାଉଛି। ହାତୀଟି ଜନବସତି ଆଡ଼କୁ ଆସିଲେ ବିଦ୍ୟୁତ ବିଭାଗକୁ ସତର୍କ କରାଯାଇ ବିଦ୍ୟୁତ ସରବରାହ ବନ୍ଦ କରାଯାଉଥିବା ଜଣାପଡ଼ିଛି। ହାତୀଟିର ସୁରକ୍ଷିତ ଗତିବିଧି ଉପରେ ବନ ବିଭାଗ ନଜର ରଖିଛି। ବର୍ତ୍ତମାନ ରାଜୁ କୁଚିଣ୍ଡା ଅଭିମୁଖେ ଆଗକୁ ବଢ଼ୁଥିବା ବେଳେ ତା’ର ଗତିବିଧି ଦେଖିବାକୁ ରାସ୍ତାକଡ଼ରେ ଲୋକଙ୍କ ଭିଡ଼ ଲାଗି ରହିଛି।


