ହାଟଡିହିରେ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପ୍ରଭାବହୀନ

ହାଟଡିହି (ଓ୍ବାଇଏନଏସ): କେନ୍ଦ୍ର ସରକାରଙ୍କ ଜନବିରୋଧୀ ନୀତି, ଏମ୍‌.ଏମ୍‌.ଡି.ଆର୍‌ (ସଂଶୋଧିତ) ଆଇନ-୨୦୨୬ ରଦ୍ଦ କରିବା, ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ତୁରନ୍ତ ବରଖାସ୍ତ କରିବା ସହ ଓଡ଼ିଶାର ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିରେ ଇଣ୍ଡିଆ ମେଣ୍ଟ ପକ୍ଷରୁ ଆଜି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦିଆଯାଇଥିଲା। ତେବେ କେନ୍ଦୁଝର ଜିଲ୍ଲାର ହାଟଡିହି ବ୍ଲକ ଅଞ୍ଚଳରେ ଏହି ବନ୍ଦର ବିଶେଷ ପ୍ରଭାବ ପଡ଼ିନଥିବା ଦେଖିବାକୁ ମିଳିଛି। ବନ୍ଦ ସତ୍ତ୍ୱେ ହାଟଡିହି ବ୍ଲକ, ତହସିଲ, ବିଇଓ କାର୍ଯ୍ୟାଳୟ, ଉପକୋଷାଗାର, ବ୍ୟାଙ୍କ ସମେତ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ସ୍ୱାଭାବିକ ଭାବେ ଖୋଲା ରହିଥିଲା। ସରକାରୀ କାର୍ଯ୍ୟାଳୟଗୁଡ଼ିକରେ କର୍ମଚାରୀମାନେ ନିୟମିତ ଭାବେ କାର୍ଯ୍ୟ କରୁଥିବା ବେଳେ ସାଧାରଣ ଲୋକଙ୍କ ଯାତାୟାତ ଓ ବିଭିନ୍ନ କାର୍ଯ୍ୟ ମଧ୍ୟ ଜାରି ରହିଥିଲା। ସେହିପରି ବ୍ଲକର ବିଭିନ୍ନ ସ୍କୁଲ ଓ କଲେଜ ମଧ୍ୟ ସ୍ୱାଭାବିକ ଭାବେ ଚାଲିଥିଲା। ଛେନାପଦି ଛକ, ହାଟଡିହି, ମରେଇଗାଁ, ବସନ୍ତିଆ, ଢେଙ୍କା, ବିଦ୍ୟାଧରପୁର, ଶାଳଣିଆଁ, ବରାଙ୍ଗଛକ, ହଦଗଡ଼ ସମେତ ବ୍ଲକର ବିଭିନ୍ନ ପ୍ରମୁଖ ବଜାର ଅଞ୍ଚଳରେ ଦୋକାନ ବଜାର ଖୋଲା ରହିଥିଲା। ବ୍ୟବସାୟୀମାନେ ନିଜ ନିଜ ବ୍ୟବସାୟ ପ୍ରତିଷ୍ଠାନ ଖୋଲିଥିବା ବେଳେ ଗ୍ରାହକଙ୍କ ଯାତାୟାତ ମଧ୍ୟ ସ୍ୱାଭାବିକ ରହିଥିଲା। ବିଭିନ୍ନ ପେଟ୍ରୋଲ ପମ୍ପ ମଧ୍ୟ ଖୋଲା ରହିଥିବାରୁ ଯାନବାହନ ଚଳାଚଳରେ ବିଶେଷ ସମସ୍ୟା ଦେଖାଯାଇନଥିଲା। ତେବେ ବନ୍ଦକୁ ସମର୍ଥନ କରି ଦିନ ପ୍ରାୟ ୧୧ଟା ସମୟରେ କଂଗ୍ରେସ ନେତା ଚିତ୍ତରଞ୍ଜନ ପାତ୍ର ଓ ଚଣ୍ଡୀପ୍ରସାଦ ପାଣିଗ୍ରାହୀଙ୍କ ନେତୃତ୍ୱରେ କିଛି କଂଗ୍ରେସ କର୍ମୀ ବିଭିନ୍ନ ସ୍ଥାନରେ ପିକେଟିଂ କରିଥିଲେ। ସେମାନେ  ଦୋକାନ ବଜାର ବନ୍ଦ କରିବାକୁ ବ୍ୟବସାୟୀମାନଙ୍କୁ ଅନୁରୋଧ କରୁଥିବା ଦେଖାଯାଇଥିଲା। ଫଳରେ କେତେକ ସ୍ଥାନରେ କିଛି ସମୟ ପାଇଁ ବ୍ୟବସାୟିକ କାର୍ଯ୍ୟକଳାପ ପ୍ରଭାବିତ ହୋଇଥିଲେ ମଧ୍ୟ ସାମଗ୍ରିକ ଭାବେ ବନ୍ଦର ପ୍ରଭାବ ନଗଣ୍ୟ ରହିଥିଲା। ଅନ୍ୟପକ୍ଷରେ ଆନନ୍ଦପୁର-ଭଦ୍ରକ ମୁଖ୍ୟ ରାସ୍ତାରେ ସାଧାରଣ ବସ୍‌ ଚଳାଚଳ ବନ୍ଦ ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ବସ୍‌ଗୁଡ଼ିକ ଚଳାଚଳ କରୁଥିବା ଦେଖିବାକୁ ମିଳିଥିଲା। ଏହି ବନ୍ଦ ଡାକରା ଯୋଗୁଁ ଏ ଅଞ୍ଚଳର ଦୈନନ୍ଦିନ ଜୀବନଯାତ୍ରା ଉପରେ ଏହାର ବଡ଼ ପ୍ରଭାବ ପଡ଼ିଥିଲା।

ହାଟଡିହି ଅଞ୍ଚଳ ଜିଲ୍ଲା କଂଗ୍ରେସ ସଭାପତିଙ୍କ ନିଜ ଅଞ୍ଚଳ ହୋଇଥିବାରୁ ଏଠାରେ ବନ୍ଦର ପ୍ରଭାବ ଅଧିକ ରହିବ ବୋଲି ରାଜନୈତିକ ମହଲରେ ଆଶା କରାଯାଉଥିଲା। ମାତ୍ର ଦୋକାନ ବଜାର, ସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ ଓ ଅନ୍ୟାନ୍ୟ ସ୍ୱାଭାବିକ କାର୍ଯ୍ୟକଳାପ ଚାଲୁ ରହିବା ଯୋଗୁଁ ହାଟଡିହି ବ୍ଲକରେ ବନ୍ଦର ପ୍ରଭାବ ସେତେଟା ପରିଲକ୍ଷିତ ହୋଇନଥିଲା। ସେହିପରି ନନ୍ଦିପଦା ଓ ସୋ ସୋ ପୋଲିସ ପକ୍ଷରୁ ପ୍ରତି ଛକ ବଜାରରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ଉଦେଶ୍ୟରେ ପୋଲିସ ମୃତୟନ କରା ଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ