ଏସ୍. ସାରଦା ରେଡ୍ଡୀ ଛତ୍ରପୁର ବ୍ଲକର ଭାରପ୍ରାପ୍ତ ଅଧ୍ୟକ୍ଷା ଭାବେ ନେଲେ ଦାୟିତ୍ୱ
ଛତ୍ରପୁର(ଓ୍ବାଇଏନଏସ): ପଞ୍ଚାୟତ ସମିତିର ଭାରପ୍ରାପ୍ତ ଅଧ୍ୟକ୍ଷା ଭାବେ ଏସ୍. ସାରଦା ରେଡ୍ଡୀ ଶୁକ୍ରବାର ବିଧିବଦ୍ଧ ଭାବେ ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଙ୍କ ଉପସ୍ଥିତ ରେ ଦାୟିତ୍ୱ ଗ୍ରହଣ କରିଛନ୍ତି।ଛତ୍ରପୁର ପୌର ପରିଷଦ ଗଠନ ପରେ ବ୍ଲକ ଅଧୀନର ୫ଟି ପଞ୍ଚାୟତ ପୌର ପରିଷଦରେ ସାମିଲ ହୋଇଥିଲା। ପୂର୍ବତନ ବ୍ଲକ ଅଧ୍ୟକ୍ଷା କିରଣ କୁମାରୀ ଦାସ ପ୍ରତିନିଧିତ୍ୱ କରୁଥିବା ଅଗସ୍ତି ନୂଆଗାଁ ପଞ୍ଚାୟତ ମଧ୍ୟ ପୌର ପରିଷଦ ଅଧୀନକୁ ଚାଲିଯିବା ପରେ ଦୀର୍ଘଦିନ ଧରି ବ୍ଲକ ଅଧ୍ୟକ୍ଷା ପଦ ଖାଲି ପଡ଼ିଥିଲା। ବ୍ଲକ ଉପାଧ୍ୟକ୍ଷା ଭାବେ କାର୍ଯ୍ୟରତ ଏସ୍. ସାରଦା ରେଡ୍ଡୀଙ୍କୁ ଭାରପ୍ରାପ୍ତ ଅଧ୍ୟକ୍ଷା ଦାୟିତ୍ୱ ଦିଆଯିବା ପରେ ସେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ବ୍ଲକ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସମ୍ବିତ ସଂଗ୍ରାମଜିତ୍ ସାହୁଙ୍କ ଉପସ୍ଥିତିରେ ନୂତନ ଭାରପ୍ରାପ୍ତ ଅଧ୍ୟକ୍ଷାଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିରେ ବ୍ଲକ ଅଧୀନ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ/ସଭ୍ୟାଙ୍କ ସମେତ ବହୁ ଜନପ୍ରତିନିଧି ଉପସ୍ଥିତ ଥିଲେ। ଏହି ଅବସରରେ ଆୟୋଜିତ ‘ସେବା ସେତୁ’ ଶିବିରରେ ବିଭିନ୍ନ ହିତାଧିକାରୀଙ୍କୁ ଭତ୍ତା ଓ ରାଶନ କାର୍ଡ ବଣ୍ଟନ କରାଯାଇଥିଲା। ଏଥିସହ ୬ଟି ମିଶନ ଶକ୍ତି ମହିଳା ଗୋଷ୍ଠୀଙ୍କୁ ମୋଟ ୯ ଲକ୍ଷ ଟଙ୍କାର ଋଣ ସହାୟତା ପ୍ରଦାନ କରାଯାଇଥିଲା।


