ଧାନ ଫସଲରେ ରୋଗପୋକ ନେଇ କୃଷି ବିଭାଗର ତତ୍ପରତା
ଛତ୍ରପୁର (ଓ୍ବାଇଏନଏସ): ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳରେ ଧାନ ଫସଲରେ ପତ୍ରପୋଡ଼ା, ମହିଷା ରୋଗ, ମାଟିଆଗୁଣ୍ଡି ପୋକ ଆଦି ଲାଗିଥିବା ଖବର ପ୍ରକାଶ ପାଇବା ପରେ କୃଷି ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ବିଭାଗୀୟ ଅଧିକାରୀ, କୃଷି ଅଧୀଦର୍ଶକ ଓ ଗ୍ରାମ୍ୟ କୃଷି କର୍ମଚାରୀମାନେ ବିଭିନ୍ନ ଅଞ୍ଚଳର ଧାନ ଜମିକୁ ଯାଇ ଫସଲର ସ୍ଥିତି ଅନୁଧ୍ୟାନ କରିବା ସହ ଚାଷୀମାନଙ୍କୁ ରୋଗ ଓ ପୋକ ନିୟନ୍ତ୍ରଣ ସମ୍ପର୍କରେ ସଚେତନ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି କୃଷି ବିଭାଗର ଏକ ଟିମ୍ ଛତ୍ରପୁର ବ୍ଲକ ଅନ୍ତର୍ଗତ ବିପୁଳିଙ୍ଗି ଗ୍ରାମ ପଞ୍ଚାୟତର କରତାଳି ଗ୍ରାମର ଧାନ ଜମି ପରିଦର୍ଶନ କରିଥିଲେ। ଟିମ୍ର ସଦସ୍ୟମାନେ ଧାନ ଫସଲରେ ଲାଗିଥିବା ରୋଗ ଓ ପୋକର ସ୍ଥିତି ଅନୁଧ୍ୟାନ କରିବା ସହ ଉପସ୍ଥିତ ଚାଷୀମାନଙ୍କୁ ଏହାର ପ୍ରତିକାର ଓ ନିୟନ୍ତ୍ରଣ ପାଇଁ ବିଭିନ୍ନ କୃଷି ପରାମର୍ଶ ପ୍ରଦାନ କରିଥିଲେ। ଏହି ଟିମ୍ରେ କୃଷି ବିଜ୍ଞାନ କେନ୍ଦ୍ର-୨, ଗୋଳନ୍ଥରାର ବରିଷ୍ଠ ବୈଜ୍ଞାନିକ ଡ. ସୁଜିତ କୁମାର ନାଥ, ଛତ୍ରପୁର କୃଷି ଜିଲ୍ଲା ଅଧିକାରୀ ରଶ୍ମିତା ମହାପାତ୍ର, କୃଷି ବୈଜ୍ଞାନିକ ଡ. ସନ୍ଦୀପ ମହାନ୍ତି, ଛତ୍ରପୁର ଗୋଷ୍ଠୀ କୃଷି ଅଧିକାରୀ ଚୌଧୁରୀ ସାନମାର୍ଗ କର, କୃଷି ଅଧୀଦର୍ଶକ ଦୁର୍ଗା ପ୍ରସାଦ ପ୍ରଧାନ ଓ ଗ୍ରାମ୍ୟ କୃଷି କର୍ମଚାରୀ ବୈରାଗୀ ସ୍ୱାଇଁ ଉପସ୍ଥିତ ଥିଲେ। ଏହି ଅବସରରେ ଚାଷୀ ହେମନ୍ତ ନାହାକ, ସଞ୍ଜୟ ନାହାକ, ବାସୁଦେବ ପ୍ରଧାନ, ଘନଶ୍ୟାମ ମୁଦୁଲି, ମୋହନ ରେଡ୍ଡୀ, ହାଡୁ ରେଡ୍ଡୀ ଓ ସୋମନାଥ ନାହାକଙ୍କ ସମେତ ବହୁ ଚାଷୀ ଉପସ୍ଥିତ ଥିଲେ। କୃଷି ବିଭାଗ ପକ୍ଷରୁ ଚାଷୀମାନଙ୍କୁ ଧାନ ଫସଲରେ ରୋଗପୋକ ଦେଖାଦେଲେ ନିଜେ ଅନୁମାନ କରି କୌଣସି ଔଷଧ ପ୍ରୟୋଗ ନକରି କୃଷି ବିଭାଗର କର୍ମଚାରୀଙ୍କ ପରାମର୍ଶ ନେବାକୁ ସଚେତନ କରାଯାଇଥିଲା।


