ସରପଞ୍ଚଙ୍କ ସ୍ବାମୀଙ୍କୁ ହତ୍ୟା ଉଦ୍ୟମ ମାମଲା: ୩ ଗିରଫ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ କାମିନୀ ନାୟକଙ୍କ ସ୍ବାମୀ ଟୁନା ନାୟକଙ୍କୁ ଯୋଜନାବଦ୍ଧ ହତ୍ୟା ଉଦ୍ୟମ ଘଟଣାରେ ସମ୍ପୃକ୍ତ ଥିବା ୩ ଅଭିଯୁକ୍ତଙ୍କୁ ଶନିବାର ତଦନ୍ତକାରୀ ଅଧିକାରୀ ଏସ.ଆଇ ମହାପ୍ରସାଦ ମହାନ୍ତି ଗିରଫ କରି ବିଳମ୍ବିତ ସନ୍ଧ୍ୟାରେ ବ୍ରହ୍ମପୁର ଏସଡିଜେଏମ କୋର୍ଟକୁ ଚାଲାଣ କରିଛନ୍ତି। ଅଭିଯୁକ୍ତ ମାନେ ହେଲେ କୁକୁଡ଼ାଖଣ୍ଡି ବ୍ଲକ ଦିଗପହଣ୍ଡି ଥାନା ଚାଞ୍ଚଡାପଲ୍ଲୀ ଗ୍ରାମର ଭରତ ଗୌଡ଼(୨୭), ସଞ୍ଜୟ ଗୌଡ଼(୨୧) ଏବଂ ଟୁକୁନା ଗୌଡ଼(୩୨)। ଦିଗପହଣ୍ଡି ଥାନା ମାମଲା ନଂ.୪୩୨/୨୬ ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ସମସ୍ତ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଛି। ଟୁନା ଗୁରୁବାର ସନ୍ଧ୍ୟା ପ୍ରାୟ ସାଢେ ୭ ଟାରେ ଚାଞ୍ଚଡ଼ାପଲ୍ଲୀ ଗ୍ରାମରୁ କାମସାରି ନିଜ ଗାଁ ବନ୍ଥପଲ୍ଲୀ ଗାଁକୁ ବାଇକ ଯୋଗେ ଫେରୁଥିବା ବେଳେ ଚାଞ୍ଚଡ଼ାପଲ୍ଲୀ ଗାଁ ଠାକୁରାଣୀ ମନ୍ଦିର ପାଖରେ ଅଭିଯୁକ୍ତ ମାନେ ତାଙ୍କୁ ଅତର୍କିତ ଭାବେ ଖଣ୍ଡାରେ ମୁଣ୍ଡ , ବାମଗୋଡର ଆଣ୍ଠୁ ଓ ଡାହାଣ ଗୋଡ଼ର ପାଦକୁ ଖଣ୍ଡା ରେ ହାଣି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଏନେଇ ସରପଞ୍ଚ କାମିନୀ ଘଟଣାର ପରଦିନ ଦିଗପହଣ୍ଡି ଥାନାରେ ପହଞ୍ଚି ଏତଲା ଦେବାପରେ ଆଇଆଇସି କିଶୋର କୁମାର ସାମଲ ଅଭିଯୁକ୍ତ ମାନଙ୍କ ନାଁ ରେ ମକଦ୍ଦମା ରୁଜୁ କରିଥିଲେ। ଆଇଆଇସି ଏବଂ ତଦନ୍ତକାରୀ ଅଧିକାରୀ ସଦଳବଳେ ବିଭିନ୍ନ ସନ୍ଦିଗ୍ଧ ଅଞ୍ଚଳରେ ଶନିବାର ପ୍ରାୟ ସାଢ଼େ ୧୧ ଟାରେ ଚଢାଉ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ। ଠାକୁରାଣୀ ମନ୍ଦିର ନିକଟ ବୁଦା ମୂଳରେ ଲୁଚାଇ ରଖିଥିବା ଖଣ୍ଡାକୁ ଭରତ ଗୌଡ଼ ପୋଲିସକୁ ଦେଇଥିଲେ। ପୋଲିସ ଖଣ୍ଡା,ଟୁନା ଙ୍କ ରକ୍ତ ଭିଜା ଜୋତା,ସାର୍ଟ ଜବତ କରିଥିଲେ। ଗତ ସେପ୍ଟେମ୍ବର ୧୬ ତାରିଖରେ ଚାଷ ଜମିରେ ପାଣି ମଡାଇବାକୁ ନେଇ ଟୁନାଙ୍କ ସହ କିଛି ଲୋକଙ୍କ ବଚସା ହୋଇଥିଲା। ତାଙ୍କୁ ସେମାନେ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ପରେ ଭଦ୍ର ଲୋକଙ୍କ ହସ୍ତକ୍ଷେପ ପରେ ଆପୋଷ ସମାଧାନ ହୋଇଥିବା ରୁ ସେ ଥାନାରେ ଏତଲା ଏତଲା ଦେଇନଥିବା ଟୁନା ଙ୍କ ସ୍ତ୍ରୀ ସରପଞ୍ଚ କାମିନୀ ପୋଲିସ ନିକଟରେ ବୟାନ ଦେଇଛନ୍ତି।


