ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି
କଟକ, (ଓ୍ବାଇଏନଏସ): ସାଧାରଣ ଲୋକଙ୍କ ସମସ୍ୟାର ସମାଧାନ ଓ ବିଭିନ୍ନ ସରକାରୀ ସେବା ସମ୍ପର୍କିତ ଅଭିଯୋଗର ତ୍ୱରିତ ନିଷ୍ପତ୍ତି ଲକ୍ଷ୍ୟରେ ସୋମବାର କଟକ ଜିଲ୍ଲାର ବାରଙ୍ଗ ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଆୟୋଜିତ ହୋଇଥିଲା। ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ଶିବିରରେ ମୋଟ ୬୨ଟି ଅଭିଯୋଗ ଦାଖଲ ହୋଇଥିଲା। ସେଥିମଧ୍ୟରୁ ୫୮ଟି ବ୍ୟକ୍ତିଗତ ଏବଂ ୪ଟି ସାମୂହିକ ଅଭିଯୋଗ ରହିଥିଲା। ଏଥିସହ ୧୬ଟି ଅଭିଯୋଗର ତ୍ୱରିତ ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇଥିଲା। ଶିବିରରେ କୃଷି, ଶିକ୍ଷା, ବିଦ୍ୟୁତ୍, ପାନୀୟ ଜଳ ଯୋଗାଣ, ଭିନ୍ନକ୍ଷମଙ୍କ ସମସ୍ୟା ଏବଂ ବିଭିନ୍ନ ଭତ୍ତା ସମ୍ପର୍କିତ ଅଭିଯୋଗଗୁଡ଼ିକର ଶୁଣାଣି କରାଯାଇଥିଲା। ଅଭିଯୋଗ ଗୁଡ଼ିକର ଯଥାଶୀଘ୍ର ସମାଧାନ ସୁନିଶ୍ଚିତ କରିବାକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ଶୁଣାଣିରେ ଅତିରିକ୍ତ ଜିଲ୍ଲାପାଳ କମଲଜିତ ଦାସ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଶାନ୍ତ କୁମାର ନାୟକ, ପୁଲିସ ଅତିରିକ୍ତ ଉପଆୟୁକ୍ତ ଅମରେନ୍ଦ୍ର ପଣ୍ଡା ଏବଂ କଟକ ସଦର ଉପଜିଲ୍ଲାପାଳ ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ। ସୂଚନାନୁଯାୟୀ, ଆସନ୍ତା ୨୬ ତାରିଖରେ କଣ୍ଟାପଡ଼ା ବ୍ଲକ କାର୍ଯ୍ୟାଳୟରେ ପରବର୍ତ୍ତୀ ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେବ।


