ରାମ ନବମୀ ପାଇଁ ଶାନ୍ତି କମିଟି ବୈଠକ
ବାଲେଶ୍ୱର : ଆସନ୍ତା ରାମନବମୀ କିପରି ଶାନ୍ତି ଶୃଙ୍ଖଳା ସହ ପାଳନ କରାଯିବ ସେ ନେଇ ଏକ ଶାନ୍ତି କମିଟି ବୈଠକ ଆଜି ଅପରାହଣରେ ସ୍ଥାନୀୟ ସଦଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକ ପ୍ରାରମ୍ଭରେ ଗତବର୍ଷ ରାମ ନବମୀ ସମୟରେ ବାଲେଶ୍ୱର ସହରର ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷମାନେ ଯେଉଁ ପ୍ରକାର ଭାବେ ସହଯୋଗ ପ୍ରଦାନ କରିଥିଲେ ସେଥିପାଇଁ ଧନ୍ୟବାଦ ଜ୍ଞାପନ କରାଯାଇଥିଲା । ଆଗାମୀ ରାମ ନବମୀ ମଧ୍ୟ ଶାନ୍ତି ଶୃଙ୍ଖଳା ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣରେ କିପରି ହୋଇପାରିବ ଏବଂ କୌଣସି ଧନଜୀବନର ଯେପରି କ୍ଷୟକ୍ଷତି ନ ହେବ ସେ ନେଇ ଜିଲ୍ଲାପାଳ ଶ୍ରୀ ରାଉତ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଆରକ୍ଷୀ ଅଧିକ୍ଷକ ଶ୍ରୀ ବି. ଯୁଗଳ କିଶୋର କୁମାର ଏଥର ମଟର ସାଇକଲ ର୍ୟାଲି ସକାଳ ସମୟରେ କରିବାକୁ ପ୍ରସ୍ତାବ ଦେଇଥିଲେ । ର୍ୟାଲିରେ ଶିଶୁ ଓ କିଶୋରମାନଙ୍କୁ ସାମିଲ ନ କରିବା ପାଇଁ ସେ ଅନୁରୋଧ କରିଥିଲେ । ସ୍ଲୋଗାନ ଓ ସଙ୍ଗୀତ ଯେମିତି ଉତେଜନାପୂର୍ଣ୍ଣ ନ ହେବ ସେଥିପାଇଁ ସେ ପରାମର୍ଶ ଦେଇଥିଲେ । ତା ଛଡା ଖଣ୍ଡା, ତଲୱାର ଓ ଲୁହାରଡ ପ୍ରଭୃତି ର୍ୟାଲିରେ ବ୍ୟବହାର ନ କରିବାକୁ ସେ କହିଥିଲେ । ର୍ୟାଲି ଓ ପଦଯାତ୍ରା ଯେଉଁ ରାସ୍ତାରେ ଯିବ ସେ ରାସ୍ତା ପାଶ୍ୱର୍ରେ ପଡିଥିବା ଚିପସ୍, ବାଲି ପ୍ରଭୃତିକୁ ଘରମାଲିକମାନେ ୨ଦିନ ଆଗରୁ ଅପସାରଣ କରିନେବାକୁ ପଦକ୍ଷେପ ନେବେ । ଯେଉଁ ରାସ୍ତାରେ ର୍ୟାଲି ଯିବା ଲାଗି ଅନୁମତି ଦିଆଯାଇଛି କେବଳ ସେହି ରାସ୍ତାରେ ନିର୍ଦ୍ଦିଷ୍ଟ ସମୟରେ ତାହା ଆୟୋଜନ କରିବାକୁ ଉପସ୍ଥିତ ଶାନ୍ତିକମିଟିର ସଦସ୍ୟମାନଙ୍କୁ ପରାମର୍ଶ ଦିଆଯାଇଥିଲା । ଚଳିତ ବର୍ଷ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବା ଏବଂ ଠିକ୍ ରାମନବମୀ ସମୟରେ ଜିଲ୍ଲାରେ ଆୟୋଜିତ ହେଉଥିବା ପ୍ରସିଦ୍ଧ ଚନ୍ଦନେଶ୍ୱର ଚଡକ ମେଳାକୁ ଦୃଷ୍ଟିରେ ରଖି ପୁଲିସ ବାହିନୀ ଓ ସ୍ୱେଚ୍ଛାସେବୀମାନଙ୍କ ମଧ୍ୟରେ ଉପଯୁକ୍ତ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ଏବଂ ର୍ୟାଲି ଓ ପଦଯାତ୍ରା ସମୟରେ ଯେପରି ଟ୍ରାଫିକ ଜାମ ଯେପରି ନ ହେବ ସେଥିପାଇଁ ବ୍ୟବସ୍ଥା କରିବାକୁ ବୈଠକରେ ଆଲୋଚନା ହୋଇଥିଲା । ବିଭିନ୍ନ ଛକମାନଙ୍କରେ ପାଳନ କମିଟି ତରଫରୁ ସ୍ୱେଚ୍ଛାସେବୀ ମୁତୟନ କରାଯାଇ ଯାନବାହାନ ଯାତାୟତ ଶୃଙ୍ଖଳିତ କରାଯିବା ଏବଂ ପାନୀୟ ଜଳର ସୁବ୍ୟବସ୍ଥା ଲାଗି ସହଯୋଗ କରିବାକୁ କୁହାଯାଇଛି । ସହରରେ ଶାନ୍ତି ଶୃଙ୍ଖଳାର ସହ ଯେପରି ରାମ ନବମୀ ପାଳନ ହେବ ସେଥିପାଇଁ ସବୁ ସମ୍ପ୍ରଦାୟର ଲୋକେ ସହଯୋଗ କରିବାକୁ ବୈଠକରେ ପ୍ରତିଶ୍ରୁତି ଦେଇଥିଲେ । ବୈଠକରେ ଉପଜିଲ୍ଲାପାଳ ନୀଲୁ ମହାପାତ୍ର, ଡିଆଇପିଆରଓ ସୁବାଷ ନିଆଲ, ଆଡିସନାଲ ସବ କଲେକ୍ଟର ଆଶୁତୋଷ ସାମଲ ଏବଂ ବାଲେଶ୍ୱର ପୌରପାଳିକା ନିର୍ବାହୀ ଅଧିକାରୀ ଚିତ୍ରସେନ ରାଉତ ପ୍ରମୁଖ ମଂଚାସୀନ ଥିବା ବେଳେ ସହରର ସବୁ ଥାନାର ଆଇ.ଆଇ.ସି, ଡି.ଏସ.ପି, କ୍ରାଇମ, ବିଭିନ୍ନ ଆୟୋଜକ ଓ ଶାନ୍ତି କମିଟିର ସଦସ୍ୟମାନେ ଯୋଗ ଦେଇଥିଲେ ।


