ପାରାଦୀପ ବନ୍ଦରରେ ଜାହାଜ ଆରେଷ୍ଟ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ,(ଓ୍ବାଇଏନଏସ): ପାରାଦୀପ ବନ୍ଦରରେ ଏକ ଜାହାଜକୁ ଆରେଷ୍ଟ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବ୍ୟାବସାୟିକ ବିବା‌ଦକୁ ନେଇ ସୋଗ୍‌ଲାସି ଇନସ୍ୟୁରାନ୍ସ କମ୍ପାନି ଲିମିଟେଡ ପକ୍ଷରୁ ଦାୟର ସାମୁଦ୍ରିକ ବିବାଦ ସଂପର୍କିତ ଆବେଦନର ହାଇକୋର୍ଟ ଶୁଣାଣି କରି ପାରାଦୀପ ବନ୍ଦରରେ ଏମଟି ୟୁନିଟି (ଆଇଏମଓ ୯୩୮୮୭୯୨) ଜାହାଜକୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଭି.ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ଆବେଦନକାରୀ ସଂସ୍ଥାର ଅନ୍ତରୀଣ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟ ପକ୍ଷରେ ଏ ସଂକ୍ରାନ୍ତୀୟ ମୂଳ ସାମୁଦ୍ରିକ ବିବାଦ ମାମଲାରେ ପ୍ରତିପକ୍ଷ ଏମଟି ୟୁନିଟି (ଆଇଏମଓ ୯୩୮୮୭୯୨)କୁ ହାଇକୋର୍ଟ ନୋଟିସ ଜାରି କରିଛନ୍ତି। ସେପ୍ଟେମ୍ବର ୯କୁ ମାମଲାର ପରବର୍ତ୍ତୀ ଶୁଣାଣି ଧାର୍ଯ୍ୟ କରାଯାଇଛି। ମାମଲାର ବିବରଣୀରୁ ପ୍ରକାଶ ଯେ ୩ କୋଟି ୧ ଲକ୍ଷ ୯୮ ହଜାର ୪୮୩ ଟଙ୍କା ଦାବି କରି ଜାହାଜ ବିରୋଧରେ ଆବେଦନକାରୀ ସଂସ୍ଥା ଏହି ମାମଲା ଦାୟର କରିଛି। ମୂଳ ସାମୁଦ୍ରିକ ବିବାଦ ମାମଲା ବିଚାରାଧୀନ ଥିବା ବେଳେ ଜାହାଜକୁ ଆରେଷ୍ଟ କରାଯାଉ ବୋଲି ଦର୍ଶାଇ ଆବେଦନକାରୀ ଅନ୍ତରୀଣ ଆବେଦନ ଦାୟର କରିଥିଲେ। ପ୍ରତିପକ୍ଷ ଜାହାଜଟି ଖୁବ ଶୀଘ୍ର ପାରାଦୀପ ବନ୍ଦର ଛାଡ଼ି ଚାଲିଯାଇ ପାରେ ବୋଲି ଆବେଦନକାରୀ ଦର୍ଶାଇଥିଲେ। ଯଦି ପାରାଦୀପ ବନ୍ଦରରୁ ଜାହାଜ ଅନ୍ୟତ୍ର ଚାଲିଯାଏ ତେବେ ଏହି ମାମଲା ଅପ୍ରାସଂଗିକ ହୋଇଯିବ ବୋଲି ଶୁଣାଣି ବେଳେ ସ୍ପଷ୍ଟ ‌ହୋଇଥିଲା। ଏହାପରେ ହାଇକୋର୍ଟ ଜାହାଜକୁ ପାରଦୀପ ବନ୍ଦରରେ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ