ବାଇକରେ ବାରହା ମାଂସ ଚାଲାଣ ବେଳେ ଦୁଇ ଗିରଫ
ପାତ୍ରପୁର,(ୱାଇଏନଏସ):ଜଙ୍ଗଲୀ ବାରହା ମାଂସ ବେଆଇନ ଭାବେ ପରିବହନ କରୁଥିବା ଅଭିଯୋଗରେ ତୁରୁବୁଡ଼ି ବନ ବିଭାଗ ଦୁଇ ଜଣଙ୍କୁ ଗିରଫ କରିଛି। ଏଥିସହ ମାଂସ ଓ ଚାଲାଣରେ ବ୍ୟବହୃତ ମୋଟରସାଇକେଲକୁ ଜବତ କରାଯାଇଛି। ସୂଚନା ଅନୁଯାୟୀ, ବୁଢ଼ାଗଡ଼-ବେଲାପଡ଼ା ପିଡବ୍ଲ୍ୟୁଡି ରାସ୍ତାରେ ଓଡି-୦୭-ଡବ୍ଲ୍ୟୁ-୩୭୫୩ ନମ୍ବର ବିଶିଷ୍ଟ ଏକ ହିରୋ ସ୍ପ୍ଲେଣ୍ଡର ମୋଟରସାଇକେଲରେ ବାରହା ମାଂସ ନେଇ ଯାଉଥିବା ବେଳେ ବେଲାପଡ଼ା ଗ୍ରାମର ଭୈର ସେଠୀ ଓ ଲକ୍ଷ୍ମଣ ସାହୁଙ୍କୁ ବନ ବିଭାଗର ଫରେଷ୍ଟର ଧରିଥିଲେ। ଏହି ଘଟଣାରେ ସାମନ୍ତିଆପାଲି ରେଞ୍ଜ ପକ୍ଷରୁ ୨୦୨୬-୨୭ ବର୍ଷର ଓ.ଆର. ମାମଲା ନଂ ୧୫୫ ରୁଜୁ କରାଯାଇଛି। ପରେ ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି।


