ଜ୍ଞାନେଶ କୁମାର ଇସ୍ତଫା ଦାବୀରେ ଅସ୍ତରଙ୍ଗ କଂଗ୍ରେସର ପ୍ରତିବାଦ
କାକଟପୁର/ଅସ୍ତରଙ୍ଗ(ଶୁଭାଶିଷ ଖଣ୍ଡୁଆଳ): ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବୀରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ କଂଗ୍ରେସ ପକ୍ଷରୁ ଶୁକ୍ରବାର ପ୍ରତିବାଦ କାର୍ଯ୍ୟକ୍ରମ କରାଯାଇଛି। ଅସ୍ତରଙ୍ଗ ବ୍ଲକ କଂଗ୍ରେସ କାର୍ଯ୍ୟାଳୟରୁ ଶୋଭାଯାତ୍ରା ବାହାରି ମୁଖ୍ୟ ବଜାର ପରିକ୍ରମା କରି ଅସ୍ତରଙ୍ଗ ତହସିଲ ସାମ୍ନାରେ ପହଞ୍ଚି କର୍ମୀମାନେ ମୁଖ୍ୟ ଆୟୁକ୍ତଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି। ବ୍ଲକ କଂଗ୍ରେସ ସଭାପତି ପ୍ରତାପ ଖୁଣ୍ଟିଆଙ୍କ ନେତୃତ୍ୱରେ ଆୟୋଜିତ ଏହି ପଦଯାତ୍ରାରେ ପୂର୍ବତନ ବ୍ଲକ କଂଗ୍ରେସ ସଭାପତି ସୁକାନ୍ତ ମହାନ୍ତି, ବ୍ଲକ କଂଗ୍ରେସ ସଭାପତି ପ୍ରତାପ ଖୁଣ୍ଟିଆ, ଯୁବ ନେତା ଲିଟୁ ବିଶ୍ୱାଳ, ସୁଭାଷ ବିଶ୍ୱାଳ, ବିଦୁର ନାୟକ, ଅରୁଣ ବେହେରା, କୈଳାଶ ମୁଦୁଲି ପ୍ରମୁଖ ସାମିଲ ଥିଲେ। ଏହାବ୍ୟତୀତ ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ, ମହିଳା କଂଗ୍ରେସ ଓ ବିଭିନ୍ନ ପଞ୍ଚାୟତର ବୁଥ୍ ସ୍ତରର କର୍ମୀ ଉପସ୍ଥିତ ଥିଲେ। ମଧ୍ୟାହ୍ନ ରେ କାର୍ଯ୍ୟାଳୟ ସମ୍ମୁଖରୁ ବାହାରିଥିବା ପଦଯାତ୍ରା ସମୟରେ କର୍ମୀମାନେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଇସ୍ତଫା ଦିଅ, ଭୋଟ ଚୋରୀ ବନ୍ଦ କର, ଗଣତନ୍ତ୍ର ବଞ୍ଚାଅ ଭଳି ସ୍ଲୋଗାନ ଦେଇଥିଲେ। ମୁଖ୍ୟ ବଜାରରେ ବ୍ୟବସାୟୀ ଓ ସାଧାରଣ ଲୋକେ ଏହି ଶୋଭାଯାତ୍ରା ଦେଖିବାକୁ ଭିଡ ଜମାଇଥିଲେ। ତହସିଲ ସାମ୍ନାରେ କୁଶପୁତ୍ତଳିକା ଦାହ ପରେ ଆୟୋଜିତ ସଭାରେ ନେତୃମଣ୍ଡଳୀ କେନ୍ଦ୍ର ସରକାର ଓ ନିର୍ବାଚନ ଆୟୋଗକୁ ତୀବ୍ର ସମାଲୋଚନା କରିଥିଲେ। ସେମାନେ କହିଥିଲେ ବିହାର ସମେତ ବିଭିନ୍ନ ରାଜ୍ୟରେ ଏସଆଇଆର ନାଁରେ ଭୋଟର ତାଲିକାରୁ ଗରିବ, ଦଳିତ ଓ ସଂଖ୍ୟାଲଘୁ ଭୋଟରଙ୍କ ନାଁ କଟା ଯାଉଛି। ଏହା ବିରୋଧରେ ଆୟୋଗ କୌଣସି ପଦକ୍ଷେପ ନେଉ ନାହିଁ। ଇଭିଏମ ଓ ନିର୍ବାଚନ ପରିଚାଳନାକୁ ନେଇ ଲୋକଙ୍କ ମନରେ ଯେଉଁ ପ୍ରଶ୍ନ ଅଛି ତାହାର ଉତ୍ତର ଦେବା ବଦଳରେ ଆୟୁକ୍ତ ଚୁପ୍ ରହୁଛନ୍ତି। ଏହା ଗଣତନ୍ତ୍ର ପାଇଁ ବଡ ବିପଦ। ଏହି ଆନ୍ଦୋଳନ ଜରିଆରେ ଅସ୍ତରଙ୍ଗ ବ୍ଲକ କଂଗ୍ରେସ ଜାତୀୟ ସ୍ତରରେ ଚାଲିଥିବା ଗଣତନ୍ତ୍ର ବଞ୍ଚାଅ ଅଭିଯାନକୁ ସମର୍ଥନ ଜଣାଇଛି। ଆଗାମୀ ଦିନରେ ଏହି ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ସଭାପତି ପ୍ରତାପ ଖୁଣ୍ଟିଆ ଚେତାବନୀ ଦେଇଛନ୍ତି।


