ଧାର ଟଙ୍କା ମାଗିବାରୁ ମରଣାନ୍ତକ ଆକ୍ରମଣ, ଅଭିଯୁକ୍ତ ଗିରଫ
ହାଟଡିହି (ଓ୍ବାଇଏନଏସ): ଧାର ଟଙ୍କା ମାଗିବାକୁ କେନ୍ଦ୍ର କରି କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ନନ୍ଦିପଦା ଗ୍ରାମକୁ ଭଜନ, କୀର୍ତ୍ତନ କରିବାକୁ ଯାଇଥିବା ଜଣେ ବ୍ୟକ୍ତି ମରଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି l ଆହତ ବ୍ୟକ୍ତି ଜଣକ ପ୍ରଥମେ ଭଦ୍ରକ ଏବଂ ପରେ କଟକର ଏକ ଘରୋଇ ମେଡିକାଲ ଆଇସିୟୁରେ ରହି ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି l ଚଳିତ ମାସ ଗତ ଅକ୍ଟୋବର ୨୨ ରେ ଅଭିଯୋଗ ହେବା ପରେ ପୋଲିସ ମାମଲା ନଂ ୩୮୯/୨୦୨୬ ପଞ୍ଜିକରଣ କରିଛି l ଅଭିଯୋଗ ଅନୁସାରେ ସୋସୋ ଥାନା ଖପରାଖାଇ ଗ୍ରାମର ମଙ୍ଗୁଳି ଚରଣ ଯେନା(୫୫ ବର୍ଷ) ନନ୍ଦିପଦା ଗ୍ରାମର ପୁରେନ୍ଦ୍ର ଯେନାଙ୍କ ଘରକୁ ଚଳିତ ମାସ ଗତ ଅକ୍ଟୋବର ୬ ରେ ଭଜନ, କୀର୍ତ୍ତନ କରିବାକୁ ଯାଇଥିଲେ l ସେଠାରେ ପୂର୍ବରୁ ମଙ୍ଗୁଳିଙ୍କ ଠାରୁ ୨୦ ହଜାର ଟଙ୍କା ଧାର ନେଇଥିବା ଖେତୁଆଳି ଗ୍ରାମର ଗଣେଶ ଯେନାଙ୍କ ସହ ଦେଖା ହୋଇଥିଲା l ଧାର ଟଙ୍କା ଫେରାଇବା ପାଇଁ ଗଣେଶକୁ ମଙ୍ଗୁଳି କହିଥିଲେ l ପରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହେବାରୁ ଜୀବନରୁ ମାରିଦେବା ଉଦ୍ଦେଶ୍ୟ ରଖି ମଙ୍ଗୁଳିର ମୁଣ୍ଡକୁ ଗଣେଶ ଆକ୍ରମଣ କରିଥିଲେ l ଚେତାଶୂନ୍ୟ ଅବସ୍ଥାରେ ସ୍ଥାନୀୟ ଲୋକ ତାଙ୍କୁ ମେଡିକାଲ ନେଇଥିଲେ l ମଙ୍ଗୁଳିଙ୍କ ସ୍ତ୍ରୀ ଜୟନ୍ତୀ ଏ ନେଇ ନନ୍ଦିପଦା ଥାନାରେ ଅଭିଯୋଗ କରିଥିଲେ। ଗଣେଶ କିଛିଦିନ ହେଲା ଫେରାର ହୋଇଯାଇ ଥିବା ବେଳେ ଅଭିଯୁକ୍ତକୁ ଗିରଫ ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିବା ବେଳେ ଆଜି ଗିରଫ କରିବାରେ ସଫଳ ହୋଇଥିବା ତଦନ୍ତକାରୀ ଅଧିକାରିଣୀ ବିନିତା ଲାକ୍ରା କହିଛନ୍ତି l


