୧୦୬ ଜୁଆ ଆଡ୍ଡାରେ ଚଢ଼ାଉ, ୫୯୩ ଜୁଆଡ଼ି ଗିରଫ

ଛତ୍ରପୁର, (ଓ୍ବାଇଏନଏସ) : ପାର୍ବଣ ଋତୁରେ ଗଞ୍ଜାମ ଜିଲ୍ଲାରେ ଜୁଆ ଖେଳ ଉପରେ ପୋଲିସର ଚଢ଼ାଉ ଅଭିଯାନ ଜୋରଦାର ହୋଇଛି। ଗତ ଚାରି ଦିନ ମଧ୍ୟରେ ଗଞ୍ଜାମ ପୋଲିସ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ମୋଟ ୧୦୬ଟି ଜୁଆ ଆଡ୍ଡା ଉପରେ ଚଢ଼ାଉ କରାଯାଇଛି। ଏହି ଚଢ଼ାଉରେ ୫୯୩ ଜଣ ଜୁଆଡ଼ିଙ୍କୁ ଗିରଫ କରାଯାଇଥିବା ବେଳେ ୧୬ ଲକ୍ଷ ୨୨ ହଜାର ୨୯୧ ଟଙ୍କା ନଗଦ, ୧୪୨ଟି ମୋବାଇଲ ଫୋନ୍‌ ଓ ୨୫ଟି ଗାଡ଼ି ଜବତ କରାଯାଇଛି। ଅକ୍ଟୋବର ୨୩ ତାରିଖରେ ଗୋଟିଏ ଦିନରେ ବିଭିନ୍ନ ଥାନା ଅଞ୍ଚଳରେ ୨୭ଟି ଜୁଆ ଆଡ୍ଡାରେ ଚଢ଼ାଉ କରାଯାଇଥିଲା। ଏଥିରେ ୧୫୩ ଜଣ ଜୁଆଡ଼ି ଗିରଫ ହୋଇଥିବା ବେଳେ ୪ ଲକ୍ଷ ୫୭ ହଜାର ୩୫୫ ଟଙ୍କା ନଗଦ ସହ ୨୯ଟି ମୋବାଇଲ ଫୋନ ଜବତ ହୋଇଥିଲା। ଗିରଫ ସମସ୍ତଙ୍କ ଉପରେ ଆଇନ ଅନୁଯାୟୀ ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଏସପି କହିଛନ୍ତି। ପୋଲିସ ସୂଚନା ଅନୁଯାୟୀ, ବିଶେଷକରି ଭଞ୍ଜନଗର ଥାନା ପକ୍ଷରୁ ଗୋଟିଏ ମାମଲାରେ ୯ ଜଣଙ୍କୁ ଗିରଫ କରାଯାଇ ୬୫ ହଜାର ୪୧୫ ଟଙ୍କା ଜବତ କରାଯାଇଛି। ସେହିପରି ରମ୍ଭା ଥାନା ପକ୍ଷରୁ ଗୋଟିଏ ମାମଲାରେ ୭ ଜଣଙ୍କୁ ଗିରଫ କରି ୧ ଲକ୍ଷ ୬ ହଜାର ୫୧୦ ଟଙ୍କା ଜବତ କରାଯାଇଛି। ପୋଲସରା ଥାନା ପକ୍ଷରୁ ଗୋଟିଏ ମାମଲାରେ ୬୦ ହଜାର ୩୦୦ ଟଙ୍କା ଜବତ କରାଯାଇଛି। ପାର୍ବଣ ସମୟରେ ଜୁଆ ଖେଳ ସମେତ ବିଭିନ୍ନ ବେଆଇନ କାର୍ଯ୍ୟକଳାପ ଉପରେ ପୋଲିସର କଡ଼ା ନଜର ରହିଛି ବୋଲି ଗଞ୍ଜାମ ଏସ୍‌ପି ହରିଶ ବି.ସି. କହିଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ