ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜ ଛାତ୍ର ନିର୍ବାଚନ ପରବର୍ତ୍ତୀ ହିଂସା ଓ ହତ୍ୟାଉଦ୍ୟମ ଘଟଣାରେ ସମ୍ପୃକ୍ତ ୨ ଅଣଛାତ୍ର ଙ୍କୁ ଶନିବାର ଦିଗପହଣ୍ଡି ପୋଲିସ ଗିରଫ କରିଛନ୍ତି। ତଦନ୍ତକାରୀ ଅଧିକାରୀ ଅତିରିକ୍ତ ଆଇଆଇସି କୃଷ୍ଣମୟୀ ବରାଳ ଶନିବାର ପୂର୍ବାହ୍ନ ପ୍ରାୟ ସାଢେ ୧୦ ଟାରେ ସଦଳବଳେଦିଗପହଣ୍ଡି ପିଏଚଡି ରୋଡ଼ ସାହି ରେ ରହୁଥିବା ବି. ତାରେଣୀ ପାତ୍ର ଓରଫ ରାଜୁ(୨୮) ଙ୍କ ଘରେ ଚଢ଼ାଉ କରି ତାଙ୍କୁ ଏବଂ ରାମଚନ୍ଦ୍ରପୁର ଗ୍ରାମର ଅରୁଣ ସେଠୀ(୨୩) ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଥାନା ମାମଲା ନଂ.୪୩୯/୨୬ ବିଏନଏସ ର ଧାରା – ୧୯୧(୨)/୧୯୧(୩)/୧୨୬(୨)/୧୧୫(୨)/୧୧୭(୨)/୧୦୯/୩୨୪(୪)/୨୯୬/୩୫୧(୨)/୧୯୦ ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତ ଦ୍ବୟ ଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି। ଗତ ୧୫ ତାରିଖ ରେ ସ୍ଥାନୀୟ ଖେମୁଣ୍ଡି କଲେଜ ଛାତ୍ର ସଂସଦ ନିର୍ବାଚନ ରେ ଛାତ୍ର କଂଗ୍ରେସ ର ପୂର୍ବତନ ଗଞ୍ଜାମ ଜିଲା ସଭାପତି ବିକାଶ ପଶୁପାଳକ ଙ୍କ ସଭାପତି ପ୍ରାର୍ଥୀ ଡି.ସଞ୍ଜୀବ କୁମାର ଦୋରା ପ୍ରତିପକ୍ଷ ତାରେଣୀ ପାତ୍ର ଓରଫ ରାଜୁ ଙ୍କ ସ୍ଵାଧୀନ ପ୍ରାର୍ଥୀ ରାଜେନ୍ଦ୍ର ସେଠୀ ଙ୍କୁ ୩ ଭୋଟ ବ୍ୟବଧାନରେ ପରାଜିତ କରି ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ଏଥିରେ ଉତ୍ତେଜିତ ହୋଇ ରାଜୁ ତାଙ୍କ ଗୋଷ୍ଠୀର କିଛି ଯୁବକ ମାନଙ୍କୁ ସାଙ୍ଗରେ ଧରି ବିକାଶ ପଶୁପାଳକ ଙ୍କୁ ଆକ୍ରମଣ ପାଇଁ କଲେଜ ନିକଟ ଶୁଣ୍ଡିପଲ୍ଲୀ ଗାଁ ଛକ କୁ ଯାଇ ତାଙ୍କୁ ଖୋଜି ଥିଲେ। କିନ୍ତୁ ବିକାଶ ଙ୍କୁ ପାଇ ନଥିଲେ। ସେଠାରେ ସଭାପତି ପ୍ରାର୍ଥୀ ସଞ୍ଜୀବ ଙ୍କ ନିର୍ବାଚନ ପ୍ରଚାର କାର୍ଯ୍ୟରେ ବ୍ୟବହୃତ ବିକାଶ ଙ୍କ ଭାଇ ରାକେଶ ପଶୁପାଳକ ଙ୍କ କାର (ନଂ. ଓଡ଼ି୦୨ ବିୟୁ -୬୫୪୩) କୁ ଦେଖି ରାତି ପ୍ରାୟ ୧ ଟାରେ ରାଜୁ ଙ୍କ ନିର୍ଦ୍ଦେଶକ୍ରମେ ତାଙ୍କ ଗୋଷ୍ଠୀର କିଛି ଅଣଛାତ୍ର ବ୍ୟାପକ ଭଙ୍ଗାରୁଜା କରିଥିଲେ। ପ୍ରତିବାଦ କରିବାରୁ ନୂଆମଳାଭଞ୍ଜା ଗ୍ରାମର କାର ଚାଳକ ଶିବଶଙ୍କର ନାହାକ ଏବଂ କାର ରେ ଥିବା ତାଙ୍କ ସାଙ୍ଗ ମେସିନ ଅପରେଟର ଦୀପକ ସେଠୀ ଙ୍କୁ ସେମାନେ ସଂଘବଦ୍ଧ ଭାବେ ଲାଠି ରେ ମାଡ଼ ମାରି ହତ୍ୟା ଉଦ୍ୟମ କରିଥିଲେ। ପାଟିଶୁଣି ଶୁଣ୍ଡିପଲ୍ଲୀ ଗ୍ରାମର କିଛି ବ୍ୟକ୍ତି ଘଟଣାସ୍ଥଳ କୁ ଦୌଡ଼ି ଆସିବାରୁ ସେମାନେ ସେଠାରୁ ୪ ଟି ବାଇକ ଯୋଗେ ପଳାଇଥିଲେ। ଖବରପାଇ କାର ମାଲିକ ରାକେଶ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ମେଡିକାଲରେ ଭର୍ତ୍ତି କରିଥିଲେ। କଲେଜ ନିର୍ବାଚନ ସହ ଏ ଦୁହିଁ ଙ୍କ କୌଣସି ସମ୍ପର୍କ ନଥିଲେ ମଧ୍ୟ ଉଭୟଙ୍କୁ ସେମାନେ ଘାତକ ଆକ୍ରମଣ କରିଥିଲେ। କାର ମାଲିକ ରାକେଶ ଏନେଇ ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ।ଏତଲା ପ୍ରକାରେ ଆଇଆଇସି କିଶୋର କୁମାର ସାମଲ ଅଭିଯୁକ୍ତ ମାନଙ୍କ ବିରୋଧରେ ମକଦ୍ଦମା ରୁଜୁ କରି ତଦନ୍ତ ନିମନ୍ତେ ଅତିରିକ୍ତ ଆଇଆଇସି ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଅଭିଯୁକ୍ତ ରାଜୁ ଙ୍କ ନାଁ ରେ ଦିଗପହଣ୍ଡି ଥାନାରେ ପୂର୍ବରୁ ୨ ଟି ସଙ୍ଗୀନ ଅପରାଧିକ ମାମଲା ରହିଥିବା ଆଇଆଇସି କହିଛନ୍ତି। ପୂର୍ବରୁ ଏହି ଘଟଣାରେ ସମ୍ପୃକ୍ତ ଥିବା ଦିଗପହଣ୍ଡି ସାହାଣୀ ସାହିର ରକି ଦାସ ଏବଂ ହିମାଂଶୁ ଦାସ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି କହିଛନ୍ତି।