ଆଜି ଧରାବତରଣ କରିବେ ମା ଗଜଲକ୍ଷ୍ମୀ
ଆସିକା (ୱାଇଏନ୍ଏସ୍) : ଆସିକା ତାଲୁକା ଛକ ଅଞ୍ଚଳର ଆଗ୍ରହୀ ଯୁବପିଢୀ ଏବଂ ପୂଜା ପରିଚାଳନା କମିଟିର ସକ୍ରିୟ ସହଯୋଗରେ ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଥିବା ମା ଅନ୍ନପୂର୍ଣ୍ଣାଙ୍କ ପୂଜା ପାଇଁ ଶନିିବାର ଅପରାହ୍ନରେ ବିଲ୍ୱବରଣ ଶେଷ ସହ କଳସ ଯାତ୍ରାରୁ ମା ଅନ୍ନପୂର୍ଣ୍ଣା ତଥା ଆଦିଲକ୍ଷ୍ମୀଙ୍କ ପୂଜାର ଅୟମାରମ୍ଭ ହୋଇଯାଇଛି । ଆସନ୍ତାକାଲି ଅର୍ଥାତ୍ ରବିବାର ଧରାପୃଷ୍ଠକୁ ଅବତରଣ କରିବେ ମା ଗଜଲକ୍ଷ୍ମୀ । ଧନଦାତ୍ରୀ ମା ଗଜଲକ୍ଷ୍ମୀଙ୍କ ପୂଜା ଅବସରରେ ଶନିବାର ଅପରାହ୍ନରେ ଆସିକାର ପ୍ରସିଦ୍ଧ ଶୈବ୍ୟ ପୀଠ ତ୍ରିବିଦ୍ଧେଶ୍ୱର ମନ୍ଦିର ନିକଟରେ କେଉଁ ଆବାହମାନ କାଳରୁ ପୂଜା ଆସୁଥିବା ପବିତ୍ର ଋଷିକୁଲ୍ୟା ନଦୀ ପଠାରେ ପୋଲସରା ନିକଟସ୍ଥ ହାତୀଓଟ ଗ୍ରାମ ସ୍ଥିତ ଚନ୍ଦ୍ରମାଦେଇପୁର ଶାସନ ଗ୍ରାମର ବିଦ୍ୱାନ ପଣ୍ଡିତ କାଳୁଚରଣ ମହାପାତ୍ର ଓ ତାଲୁକା ଛକ ଅଞ୍ଚଳର ବିଦ୍ୱାନ୍ ଅଭିଜ୍ଞ ପଣ୍ଡିତ କାହ୍ନା ତ୍ରିପାଠୀଙ୍କ ମନ୍ତ୍ରୋଚାରଣରେ ବିଧିବିଧାନ ଓ ନୀତିକାନ୍ତି ଅନୁଯାୟୀ ପୂଜାର୍ଚ୍ଚନା ଶେଷ ପରେ ବାଦ୍ୟବାଜଣାରେ ତାଳେତାଳେ ଏକ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା । ଆଧ୍ୟାତ୍ମିକପ୍ରେମୀ ଶ୍ରଦ୍ଧାଳୁ ପୁରୁଷ ଓ ମହିଳା ଭକ୍ତମାନେ କଳସଯାତ୍ରାରେ ବାହାରି ବଜାର ସାହି, ଓଡିଆ ସାହି, ତାଲୁକା ରୋଡ ଇତ୍ୟାଦି ଅଞ୍ଚଳ ପରିକ୍ରମା କରିବା ପରେ ତାଲୁକା ଛକ ସ୍ଥିତ ଅସ୍ଥାୟୀ ପୂଜା ମଣ୍ଡପରେ ପହଞ୍ଚିଥିଲେ । ଆସନ୍ତାକାଲି ଆଶ୍ୱିନ ପୂର୍ଣ୍ଣିମା ତିଥି ତାଲୁକା ଛକ ସ୍ଥିତ ପୂଜା ମଣ୍ଡପରେ ବିରାଜିବେ ମା ଗଜଲକ୍ଷ୍ମୀ । ଆଉ ବିଦ୍ୱାନ ପଣ୍ଡିତ କାଳୁଚରଣ ମହାପାତ୍ର ଓ କାହ୍ନା ତ୍ରିପାଠୀଙ୍କ ମନ୍ତ୍ରୋଚାରଣରେ ପ୍ରକମ୍ପିତ ହେବ ପୂଜାମଣ୍ଡପ । ଚଳିତବର୍ଷ ମା ଗଜଲକ୍ଷ୍ମୀଙ୍କ ପୂଜା ପାଇଁ ନୁଆଁ ରଙ୍ଗରେ ନବବଧୂ ଭଳି ସଜେଇ ହୋଇଛ ତାଲୁକା ଛକ ପୂଜାମଣ୍ଡପ । ଅତି ଆକର୍ଷଣୀୟ ତୋରଣ ସାଙ୍ଗକୁ ରଙ୍ଗବେରଙ୍ଗର ଆଲୋକମାଳାରେ ଝଲସିବ ପୂଜାମଣ୍ଡପ । ଝିଲ୍ମିଲ୍ ଆଲୋକ ସଜ୍ଜା ସାଙ୍ଗକୁ ସୁଉଚ୍ଚ ତୋରଣ ତାଲୁକା ଛକ ସ୍ଥିତ ମା ଗଜଲକ୍ଷ୍ମୀଙ୍କ ପୂଜାମଣ୍ଡପର ଶୋଭାକୁ ଆହୁରି ବଢାଇ ଦେଇଥିବା ସଚେତନ ନାଗରିକ ମହଲରେ ଚର୍ଚ୍ଚା ହେଉଛି । ମା ଗଜଲକ୍ଷ୍ମୀଙ୍କୁ ସ୍ୱାଗତ କରିବା ପାଇଁ ଶ୍ରଦ୍ଧାଳୁ ଭକ୍ତଙ୍କ ପକ୍ଷରୁ ଚାଲିଥିବା ପ୍ରସ୍ତୁତି ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଞ୍ଚିସାରିଛି । ମା ଗଜଲକ୍ଷ୍ମୀଙ୍କ ଆବାହନ ପାଇଁ ଶ୍ରଦ୍ଧାଳୁ ଭକ୍ତ ବେଶ୍ ଉତ୍ସାହିତ ହୋଇପଡିଥିଲା ବେଳେ ଓମ୍ ବିଶ୍ୱରୂପସ୍ୟ ଭାଜ୍ୟୋର୍ସି ପଦୋ ପଦ୍ମାଳୟେ ଶୁଭେ, ସର୍ବତ୍ର ପାହି ମାଁ ଦେବୀ ଗଜଲକ୍ଷ୍ମୀ ନମସ୍ତୁତେ ଧ୍ୱନୀରେ ପ୍ରକମ୍ପିତ ହେବ ପୂଜାମଣ୍ଡପ । ମା ଗଜଲକ୍ଷ୍ମୀଙ୍କ ଧରାବତରଣ ପାଇଁ ଆସିକା ତାଲୁକା ଛକ ଅଞ୍ଚଳରେ ଉତ୍ସବର ମାହୋଲ୍ ସୃଷ୍ଟି ହୋଇଥିଲା ବେଳେ ଧରଣୀପୃଷ୍ଠକୁ ମାଙ୍କ ଆବାହନ ପାଇଁ ଚାଲିଛି ବ୍ୟାପକ ପ୍ରସ୍ତୁତି । ଏହି ମା ଗଜଲକ୍ଷ୍ମୀଙ୍କ ପୂଜାକୁ ଶାନ୍ତିଶୃଙ୍ଖଳାର ସହ ନୀତିକାନ୍ତି ଓ ବିଧିବିଧାନ ସାଙ୍ଗକୁ ଉତ୍ସାହ ଓ ଉଦ୍ଦୀପନାର ସହ ସୁପରିଚାଳନା କରିବା ପାଇଁ ଆଧ୍ୟାତ୍ମିକପ୍ରେମୀ ସୂର୍ଯ୍ୟକାନ୍ତ ପରିଡା, ବସନ୍ତ କୁମାର ନାହାକ, ଶ୍ରୀମତୀ ଅନିମା ପରିଡା, ସୁଦିପ୍ତା ଦାଶ, ପଦ୍ମଲୋଚନ ଶତପଥୀ, କୁନା ପାତ୍ର, ପିତବାସ ପରିଡା, ଦିବାକର ପରିଡା, ଜିତୁ ପରିଡା, ନାରାୟଣ ନାହାକ, ଜଗତ୍ଜୀବନ ବେହେରା, ନାରାୟଣ ସାବତ, ଚିତ୍ରସେନ ସେଠୀ, ସୁନିଲ୍ କୁମାର ଗୌଡ, ରାମଚନ୍ଦ୍ର ସାହୁ, ପ୍ରଦୀପ କୁମାର ଗୌଡ, ମଙ୍ଗୁଳୁ ସାହୁଙ୍କ ସମେତ ସ୍ଥାନୀୟ ଅଞ୍ଚଳବାସୀ, ଯୁବପିଢୀ, ଶ୍ରଦ୍ଧାଳୁ ଭକ୍ତ ପ୍ରମୁଖ ସହଯୋଗ କରୁଥିବା ଦେଖିବାକୁ ମିଳୁଛି ।


