ଲଛମନପଲ୍ଲୀ ଏବଂ ଲାଲାଶାସନ ବାସିନ୍ଦାଙ୍କୁ ଘରବାରି ପଟ୍ଟା ପ୍ରଦାନରେ ବିଳମ୍ବ
ଆସିକା(ୱାଇଏନ୍ଏସ୍) :ଆସିକା ରାଜସ୍ୱ ବିଭାଗ କାର୍ଯ୍ୟାଳୟ ଅଧୀନସ୍ଥ ଲଛମନପଲ୍ଲୀ ଏବଂ ଲାଲାଶାସନ ରାଜସ୍ୱ ମୌଜାରେ ବସବାସ କରୁଥିବା ଜନସାଧାରଣଙ୍କୁ ଘରବାରି ପଟ୍ଟା ପ୍ରଦାନ ଦାବୀରେ ଆସନ୍ତା ୨ ତାରିଖ ଠାରୁ ମୁହଁରେ କଳାପଟି ବାନ୍ଧି ଶାନ୍ତିପୂର୍ଣ୍ଣ ଭାବେ ଧାରଣାରେ ବସିବାକୁ ସ୍ଥାନୀୟ ଅଞ୍ଚଳବାସୀ ସଜବାଜ ହେଉଥିବା ଜଣାପଡିଛି । ଆସିକା ପୌର ପରିଷଦ ଅଧିନସ୍ଥ ୧୬ ନମ୍ବର ୱାର୍ଡର ଲଛମନପଲ୍ଲୀ ଗ୍ରାମ ଏବଂ ୧୭ ନମ୍ବର ୱାର୍ଡର ଲାଲାଶାସନ ଗ୍ରାମର ବାସିନ୍ଦାଙ୍କୁ ଘରବାରି ପଟ୍ଟା ପ୍ରଦାନ ପାଇଁ ଦୀର୍ଘ ଦିନ ହେଲା ଦାବୀ ହୋଇଆସୁଥିଲେ ମଧ୍ୟ ସମସ୍ୟାର ସମାଧାନ କରିବା ଦିଗରେ ପ୍ରଶାସନ ପକ୍ଷରୁ ସେଭଳି କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଉନଥିବା ଯୋଗୁଁ ସ୍ଥାନୀୟ ଅଞ୍ଚଳର ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଏବଂ ପ୍ରତିକ୍ରିୟା ପ୍ରକାଶ ପାଉଥିବା ଦେଖିବାକୁ ମିଳୁଛି । ଆସିକା ରାଜସ୍ୱ ବିଭାଗ କାର୍ଯ୍ୟାଳୟ ଅଧିନସ୍ଥ ଲଛମନପଲ୍ଲୀ ଏବଂ ଲାଲାଶାସନ ରାଜସ୍ୱ ମୌଜାର ଜନସାଧାରଣଙ୍କୁ ଘରବାରି ପଟ୍ଟା ପ୍ରଦାନ ଦିଗରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ସୁଫଳ ନ ମିଳିବାରୁ ସ୍ଥାନୀୟ ଅଞ୍ଚଳବାସୀ ବାଧ୍ୟ ହୋଇ ଆସନ୍ତା ନଭେମ୍ବର ମାସ ୨ ତାରିଖ ଠାରୁ ଧାରଣାରେ ବସିବା ଲାଗି ନିଷ୍ପତ୍ତି ନେଇ ଏ ସଂକ୍ରାନ୍ତରେ ଏକ ସ୍ମାରକପତ୍ର ଆସିକା ତହସିଲଦାରଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ତହସିଲଦାର ଅମରେଶ୍ ସାବତଙ୍କୁ ପ୍ରଦାନ କରିଥିବା ବେଳେ ଏହାର ନକଲ ବିଭିନ୍ନ ବିଭାଗର ପଦାଧିକାରୀଙ୍କ ନିକଟକୁ ପ୍ରେରଣ କରିଥିବା ଜଣାପଡିଛି । ଗତ ୨୦୧୭ ମସିହାରୁ ଭୂବନ୍ଦବସ୍ତ କରି ଆସିକା ରାଜସ୍ୱ ବିଭାଗ କାର୍ଯ୍ୟାଳୟ ଅଧୀନସ୍ଥ ଲଛମନପଲ୍ଲୀ ଏବଂ ଲାଲାଶାସନ ରାଜସ୍ୱ ମୌଜାର ବାସିନ୍ଦାଙ୍କୁ ଘରବାରି ପଟ୍ଟା ପ୍ରଦାନ କରିବା ଲାଗି ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲେ ବି ପ୍ରଶାସନିକ ଅବହେଳା ଯୋଗୁଁ ତାହା ଫଳପ୍ରଦ ହୋଇନପାରିବା ଘଟଣାକୁ ନେଇ ଏହି ବୈଠକରେ ଗଭୀର କ୍ଷୋଭ ଓ ଉଦ୍ବେଗ ପ୍ରକାଶ ପାଉଥିବା ଦେଖିବାକୁ ମିଳୁଛି । ଆସନ୍ତା ୨ ତାରିଖ ଠାରୁ ଘରବାରି ପଟ୍ଟା ପ୍ରଦାନ ଦାବୀରେ ଆରମ୍ଭ ହେବାକୁ ଥିବା ଶାନ୍ତିପୂର୍ଣ୍ଣ ଧାରଣା ସଂକ୍ରାନ୍ତରେ ବିଭାଗୀୟ ଅଧିକାରୀଙ୍କୁ ସ୍ମାରକପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ଲାଲାଶାସନ ଗ୍ରାମ୍ୟ କମିଟି ସଭାପତି ପ୍ରସନ୍ନ କୁମାର ତ୍ରିପାଠୀ ଓ ସଂପାଦକ ଉପେନ୍ଦ୍ରନାଥ ମିଶ୍ର,କାଉନସିଲର ରାଘବ ସିୟ, ସମାଜସେବୀ ଗଙ୍ଗାଧର ଶତପଥୀଙ୍କ ସମେତ ବହୁ ସଚେତନ ନାଗରିକ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା । ରାଜ୍ୟ ସରକାର ତଥା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ଆସିକା ତହସିଲ୍ ଅନ୍ତର୍ଗତ ଆସିକା ପୌର ପରିଷଦ ଅଧିନସ୍ଥ ଲାଲାଶାସନ ଓ ଲଛମନପଲ୍ଲୀ ରାଜସ୍ୱ ମୌଜାର ଜନସାଧାରଣ ଘରବାରି ପଟ୍ଟା ପ୍ରଦାନ ଦାବୀରେ ଶାନ୍ତିପୂର୍ଣ୍ଣ ଭାବେ ଧାରଣାକୁ ଓହ୍ଲାଇବା ପୂର୍ବରୁ ସମସ୍ୟାକୁ ସମାଧାନ କରିବା ଦିଗରେ ପଦକ୍ଷେପ ନେବାକୁ ଲାଲାଶାସନ ଗ୍ରାମ୍ୟ କମିଟି ସଭାପତି ପ୍ରସନ୍ନ କୁମାର ତ୍ରିପାଠୀ ଅନୁରୋଧ କରିଛନ୍ତି ।


