ସମ୍ଭାବ୍ୟ ବାତ୍ୟାକୁ ନେଇ କଟକରେ ହାଇଆଲର୍ଟ, ୫୩୬ ଆଶ୍ରୟସ୍ଥଳୀ ପ୍ରସ୍ତୁତ

କଟକ, (ଓ୍ବାଇଏନଏସ): ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାର ମୁକାବିଲା ପାଇଁ କଟକ ଜିଲ୍ଲାରେ ପ୍ରଶାସନିକ ତତ୍ପରତା ବଢ଼ିଛି। ଧନଜୀବନର ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଶୂନ୍ୟ ଜୀବନହାନି ଲକ୍ଷ୍ୟରେ ବହୁମୁଖୀ ପ୍ରସ୍ତୁତି ହାତକୁ ନିଆଯାଇଛି। ଏଥିପାଇଁ ତିନିଟି ଓଡ୍ରାଫ୍‌ ଟିମ୍‌ ଓ ୩୦୦ ଆପଦା ମିତ୍ରଙ୍କୁ ନିୟୋଜିତ କରାଯାଇଛି। ଅତିରିକ୍ତ ଜିଲ୍ଲାପାଳ ଦିବ୍ୟଲୋଚନ ମହନ୍ତ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାର ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଛନ୍ତି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଅକ୍ଟୋବର ୨୬ରେ କଟକ ଜିଲ୍ଲା ପାଇଁ ହଳଦିଆ ସତର୍କ ସୂଚନା ଏବଂ ୨୭ ଓ ୨୮ ତାରିଖରେ କମଳା ସତର୍କ ସୂଚନା ଜାରି ହୋଇଛି। ପ୍ରବଳ ବର୍ଷା ସହ ପବନର ଆଶଙ୍କା ଥିବାରୁ ସମସ୍ତ ସମ୍ପୃକ୍ତ ବିଭାଗକୁ ସତର୍କ ରହିବାକୁ କୁହାଯାଇଛି। ଆବଶ୍ୟକ ପରିସ୍ଥିତିରେ ଅକ୍ଟୋବର ୨୬ରୁ ବିପଦସଙ୍କୁଳ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ଯୋଜନା ରହିଛି। ବିଶେଷକରି ମହାନଦୀ ଓ କାଠଯୋଡ଼ି ନଦୀ ଅବବାହିକାରେ ଥିବା ଗାଁଗୁଡ଼ିକ ଉପରେ ପ୍ରଶାସନର ସ୍ୱତନ୍ତ୍ର ନଜର ରହିବ। ମହାନଦୀ ଅବବାହିକାର ୪୭୪ଟି ଏବଂ କାଠଯୋଡ଼ି ଅବବାହିକାର ୨୩ଟି ଗାଁକୁ ଗୁରୁତ୍ୱପୂର୍ଣ୍ଣ ଭାବେ ଚିହ୍ନଟ କରାଯାଇଛି। ଏଥିସହ ଜିଲ୍ଲାର ୫୩୬ଟି ବାତ୍ୟା ଆଶ୍ରୟସ୍ଥଳୀକୁ ପ୍ରସ୍ତୁତ ରଖିବା ସହ ଲୋକଙ୍କ ପାଇଁ ଖାଦ୍ୟ, ପାନୀୟ ଜଳ, ବିଦ୍ୟୁତ୍‌ ଓ ସ୍ୱାସ୍ଥ୍ୟସେବା ଉପଲବ୍ଧ କରାଇବା ନେଇ ବ୍ୟବସ୍ଥା ହେଉଛି। ପ୍ରତ୍ୟେକ ଆଶ୍ରୟସ୍ଥଳୀରେ ଜଣେ ଲେଖାଏଁ ନୋଡାଲ ଅଫିସର ଦାୟିତ୍ୱରେ ରହିବେ। ସହରାଞ୍ଚଳରେ ଜଳବନ୍ଦୀ ସମସ୍ୟା ଏଡ଼ାଇବା ଉପରେ ମଧ୍ୟ ଜୋର୍‌ ଦିଆଯାଇଛି। କଟକ ମହାନଗର ନିଗମ (KMC) ଅଞ୍ଚଳରେ ୩୦୦ରୁ ଅଧିକ ମୋଟର ପମ୍ପ ନିୟୋଜନ ସହ ଡ୍ରେନ୍‌ ସଫେଇ ଓ ଜଳ ନିଷ୍କାସନ ବ୍ୟବସ୍ଥାକୁ ସଜାଗ ରଖିବାକୁ ନିର୍ଦ୍ଦେଶ ରହିଛି। ଅନ୍ୟପକ୍ଷରେ ନଦୀବନ୍ଧ ଓ କେନାଲ ବନ୍ଧର ମରାମତି ଉପରେ ଜଳସମ୍ପଦ ବିଭାଗକୁ ଗୁରୁତ୍ୱ ଦେବାକୁ କୁହାଯାଇଛି।ବାତ୍ୟା ସମୟରେ ଅସୁରକ୍ଷିତ ତୋରଣ, ଗେଟ୍‌ ଓ ହୋର୍ଡିଂ ଭାଙ୍ଗି ଦୁର୍ଘଟଣା ଘଟିବା ଆଶଙ୍କା ଥିବାରୁ ସେଗୁଡ଼ିକୁ ହଟାଇବା ପାଇଁ ୪୮ ଘଣ୍ଟାର ସମୟସୀମା ଦିଆଯାଇଛି। ନିର୍ଦ୍ଦେଶ ଅବମାନନା କଲେ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯିବ। ଗଜଲକ୍ଷ୍ମୀ ପୂଜା ପାଇଁ ତୋରଣ ନିର୍ମାଣ କରୁଥିବା କମିଟିଗୁଡ଼ିକୁ ଅସୁରକ୍ଷିତ ଢାଞ୍ଚା ନିର୍ମାଣରୁ ଦୂରେଇ ରହିବାକୁ ଅନୁରୋଧ କରାଯାଇଛି। ଅତ୍ୟାବଶ୍ୟକ ହେଲେ ପ୍ରବଳ ପବନ ସହ୍ୟ କରିପାରୁଥିବା ସୁରକ୍ଷିତ ଢାଞ୍ଚା ନିର୍ମାଣ ଉପରେ ଗୁରୁତ୍ୱ ଦିଆଯାଇଛି। ବାତ୍ୟା ପରେ ରାସ୍ତାରେ ଗଛ ଉପୁଡ଼ିବା, ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗିବା ଓ ଯୋଗାଯୋଗ ବ୍ୟାହତ ହେବା ଭଳି ସମସ୍ୟାର ତୁରନ୍ତ ମୁକାବିଲା ପାଇଁ ଅଗ୍ନିଶମ ବିଭାଗ ଓ TPCODLର ସ୍ୱତନ୍ତ୍ର ଟିମ୍‌ ପ୍ରସ୍ତୁତ ରହିବେ। ପରିସ୍ଥିତି ଉପରେ ନିରନ୍ତର ନଜର ରଖି ଆବଶ୍ୟକସ୍ଥଳେ ତ୍ୱରିତ ପଦକ୍ଷେପ ନେବାକୁ ପ୍ରଶାସନ ଯୋଜନା କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ