ଗୁଣପୁର ଲାଞ୍ଜିଆ ସୌରା ଆଦିବାସୀ ମଞ୍ଚ ଗଠିତ
ଗୁଣପୁର,(ୱାଇଏନଏସ): ଲାଞ୍ଜିଆସୌରା ଆଦିବାସୀ ସମାଜର ଏକତା, ସ୍ବାଭିମାନ, ଅଧିକାରର ସୁରକ୍ଷା ଓ ସ୍ଥାୟୀ ବିକାଶକୁ ଲକ୍ଷ୍ୟରେ ଲାଞ୍ଜିଆସୌରା ଆଦିବାସୀ ମଞ୍ଚ ଗଠନ କରାଯାଇଛି। ଆଦିବାସୀଙ୍କ ସାମ୍ବିଧାନିକ ଓ ଆଇନଗତ ଅଧିକାର ସମ୍ପର୍କରେ ସଚେତନତା ସୃଷ୍ଟି, ପାରମ୍ପରିକ ସଂସ୍କୃତିର ସୁରକ୍ଷା, ଜୀବିକାର ବିକାଶ ଏହି ମଞ୍ଚର ପ୍ରମୁଖ ଲକ୍ଷ୍ୟ ବୋଲି କୁହାଯାଇଛି। ମଞ୍ଚର ସଭାପତି ଭାବେ କୁଲୁସିଂ ଗ୍ରାମର ପାଉଲୋ ମଣ୍ଡଳ ମନୋନୀତ ହୋଇଥିବାବେଳେ ଉପସଭାପତି ଭାବେ ରେଜିଙ୍ଗତାଲର ଲକ୍ଷ୍ମୀ ଶବର ଓ ଶଗଡା ପଇତନ ଗମାଙ୍ଗ ଦାୟିତ୍ଵ ଗ୍ରହଣ କରିଛନ୍ତି। ସେହିପରି ପାତିଲିର ଇସ୍ପାଇଲ ଶବର ସମ୍ପାଦକ, ଜଳତାରର ମାର୍କା ଦଳବେହେରା କାର୍ଯ୍ୟକାରୀ ସଭାପତି ଏବଂ ଶଗଡାର ଜତୀନ୍ଦ୍ର ଶବର ମହାସଚିବ ଭାବେ ମନୋନୀତ ହୋଇଛନ୍ତି। ମହିଳା ସମିତିର ସଭାପତି ଭାବେ ଚିନାସାରୀର ସିନେମି
ଶବର, ସମ୍ପାଦିକା ଭାବେ ଟଳନାର ଏସନୋତି ଗମାଙ୍ଗ ଏବଂ କୋଷାଧ୍ୟକ୍ଷ ଭାବେ ଟଳନାର ଅଲିଆଜାର ଶବର ମନୋନୀତ ହୋଇଛନ୍ତି । ମଞ୍ଚର ପରାମର୍ଶଦାତା ଭାବେ ଚିନାସାରୀ ସରପଞ୍ଚ ରାଜେଶ୍ବର ଶବର, ଆଇନଜୀବୀ କୈଳାସ ଶବର, ପୁଟାସିଂ ସରପଞ୍ଚ ଏସିଅ ଶବର, ଶଗଡା ସରପଞ୍ଚ ହୀରାମଣି ଶବର, ଅନାରିମୋ ଶବର ଏବଂ ମାଣିଙ୍ଗୁଆଲ ଜିସାନ୍ତୋ ଗମାଙ୍ଗଙ୍କୁ ମନୋନୀତ କରାଯାଇଛି। ଆଇଟି ସେଲ୍ର କୁଲୁସିଂର ଶିଲା ଗମାଙ୍ଗ ଓ ଶଗଡାର ଅଶ୍ୱିନ ଗମାଙ୍ଗଙ୍କୁ ଦାୟିତ୍ଵ ଦିଆଯାଇଛି। ମଞ୍ଚ ପକ୍ଷରୁ ଗ୍ରାମ ସଭା ସହ ପେସା ଆଇନ ସମ୍ପର୍କରେ ଗ୍ରାମବାସୀଙ୍କୁ ସଚେତନ କରାଯିବ। ଜଳ, ଜଙ୍ଗଲ ଓ ଜମି ଉପରେ ଆଦିବାସୀ ସମୁଦାୟର ଅଧିକାର ଏବଂ ଏହାର ସୁରକ୍ଷା ସମ୍ପର୍କରେ ଜନସଚେତନତା ସୃଷ୍ଟିକରିବା ସହ ଆଦିବାସୀଙ୍କ ଜମି ଅଧିକାର ଓ ଜମି ସୁରକ୍ଷା ସମ୍ବନ୍ଧୀୟ ଆଇନଗତ ବ୍ୟବସ୍ଥା ବିଷୟରେ ଅବଗତ କରାଯିବ ବୋଲି ମଞ୍ଚ ପକ୍ଷରୁ କୁହାଯାଇଛି। ଏଥିସହ ଲାଞ୍ଜିଆସୌରା ସମୁଦାୟର ପାରମ୍ପରିକ ଜ୍ଞାନ, ସଂସ୍କୃତି, ଭାଷା, କଳା ଓ ପରମ୍ପରାର ସୁରକ୍ଷା ସହ ଏହାର ପ୍ରଚାର ଓ ପ୍ରସାର ଉପରେ ମଞ୍ଚ ଗୁରୁତ୍ବ ଦେବ। ସେହିପରି
ପାରମ୍ପରିକ କୃଷି ପଦ୍ଧତିର ସୁରକ୍ଷା, ଦେଶୀ ବିହନ ସଂରକ୍ଷଣ, ଜୈବିକ ଚାଷ ଓ ସ୍ଥାୟୀ ଜୀବିକାର ବିକାଶକୁ ମଧ୍ୟ ପ୍ରାଥମିକତା ଦିଆଯିବ। ସାମାଜିକ କ୍ଷେତ୍ରରେ ବାଲ୍ୟବିବାହ, ମହିଳା ନିର୍ଯାତନା, ମାନବ ନିର୍ଯାତନା ଓ ମାନବ ଚାଲାଣ ବିରୋଧରେ ସଚେତନତା ସୃଷ୍ଟି କରାଯିବ। ଆଦିବାସୀ ଶିଶୁ, ଯୁବକ ଓ ଯୁବତୀଙ୍କ ପାଇଁ ଶିକ୍ଷା, ଦକ୍ଷତା ବିକାଶ ଓ ନିଯୁକ୍ତି ସୁଯୋଗ ବୃଦ୍ଧି ନିମନ୍ତେ ଉଦ୍ୟମ କରାଯିବ। ଏଥିସହ ଗ୍ରାମର ପ୍ରାକୃତିକ ସମ୍ପଦ, ସାମୁଦାୟିକ ସମ୍ପତି ଓ ପରିବେଶର ସୁରକ୍ଷା ପାଇଁ ମଞ୍ଚ କାର୍ଯ୍ୟ କରିବ।


