ବାତ୍ୟା ପାଇଁ ଗୋପାଳପୁର ବନ୍ଦରରେ ଆନ୍ଧ୍ରର ୩୦ ଓ ପାରାଦ୍ୱୀପ ୪ ମାଛଧରା ଡଙ୍ଗାକୁ ମିଳିଲା ସୁରକ୍ଷିତ ଆଶ୍ରୟ
ଛତ୍ରପୁର(ଓ୍ବାଇଏନଏସ) : ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’କୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାର ଗୋପାଳପୁର ବନ୍ଦର ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରତିକୂଳ ପାଣିପାଗରେ ମତ୍ସ୍ୟଜୀବୀ ଓ ମାଛଧରା ଡଙ୍ଗାଗୁଡ଼ିକର ସୁରକ୍ଷାକୁ ପ୍ରାଥମିକତା ଦେଇ ବନ୍ଦର ହାର୍ବର ମଧ୍ୟରେ ଆନ୍ଧ୍ରପ୍ରଦେଶର ୩୦ଟି ଓ ପାରାଦ୍ୱୀପ ର ୪ଟି ମାଛଧରା ଡଙ୍ଗାକୁ ସୁରକ୍ଷିତ ଆଶ୍ରୟ ଦିଆଯାଇଛି। ସେହିପରି ଆର୍ଯ୍ୟପଲ୍ଲୀ ମତ୍ସ୍ୟଜେଟିରେ ଆନ୍ଧ୍ରପ୍ରଦେଶର ୨ଟି ବଡ଼ ମାଛଧରା ଡଙ୍ଗାକୁ ମଧ୍ୟ ସୁରକ୍ଷିତ ଭାବେ ରଖାଯାଇଛି। ଏହି ଦୁଇ ଡଙ୍ଗାରେ ଥିବା ୧୩ ଜଣ ମତ୍ସ୍ୟଜୀବୀଙ୍କୁ ମଧ୍ୟ ସୁରକ୍ଷିତ ରଖାଯାଇଛି। ଅନ୍ୟପକ୍ଷରେ, ଗୋପାଳପୁର ବନ୍ଦର ପରିସରରେ ପ୍ରାୟ ୨୫୦ ଜଣ ମତ୍ସ୍ୟଜୀବୀ ସୁରକ୍ଷିତ ଭାବେ ରହିଥିବା ଅତିରିକ୍ତ ମତ୍ସ୍ୟ ଅଧିକାରୀ ଦେବୀଦତ୍ତ ମହାନ୍ତି ସୂଚନା ଦେଇଛନ୍ତି। ଆଗୁଆ ପ୍ରସ୍ତୁତି ଓ ସମୟୋଚିତ ପଦକ୍ଷେପ ମାଧ୍ୟମରେ ମତ୍ସ୍ୟଜୀବୀଙ୍କ ଜୀବନ ଓ ଜଳଯାନଗୁଡ଼ିକର ସୁରକ୍ଷା ପାଇଁ ବନ୍ଦର ପକ୍ଷରୁ ଆବଶ୍ୟକୀୟ ବ୍ୟବସ୍ଥା କରାଯାଇଛି। ବାତ୍ୟା ମୁକାବିଲାରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ଅନ୍ୟ ସରକାରୀ ସଂସ୍ଥାଗୁଡ଼ିକୁ ସମସ୍ତ ପ୍ରକାର ସହଯୋଗ ଯୋଗାଇବାକୁ ବନ୍ଦର କର୍ତ୍ତୃପକ୍ଷ ପ୍ରସ୍ତୁତ ରହିଛନ୍ତି।


