ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷାଙ୍କ ବାଲେଶ୍ୱର ଜିଲ୍ଲା ଗସ୍ତ

ବାଲେଶ୍ୱର,(ସରୋଜ ପଣ୍ଡା): ଜଳେଶ୍ୱର ଅଞ୍ଚଳରେ ଜଣେ ନାବାଳିକାଙ୍କ ସହ ଘଟିଥିବା ଦୁଷ୍କର୍ମ ଓ ପରବର୍ତ୍ତୀ ହତ୍ୟା ସମ୍ପର୍କିତ ନ୍ୟୁଜ୍ କ୍ଲିପିଂରେ ପ୍ରକାଶିତ ଘଟଣାକୁ ନେଇ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (OSCPCR)ର ମାନ୍ୟବର ଅଧ୍ୟକ୍ଷା ଶ୍ରୀମତୀ ବବିତା ପାତ୍ର ଏବଂ ମାନ୍ୟବର ସଦସ୍ୟା ଶ୍ରୀମତୀ ସୁଜାତା ନାୟକ ବାଲେଶ୍ୱର ଜିଲ୍ଲା ଗସ୍ତ କରିଥିଲେ।  ମାନ୍ୟବର ଚେୟାରପର୍ସନ ଓ ସଦସ୍ୟ ପୂର୍ବାହ୍ନ ପ୍ରାୟ ୧୧.୦୦ ଘଟିକା ସମୟରେ ସର୍କିଟ୍ ହାଉସ୍, ବାଲେଶ୍ୱର ଠାରେ ପହଞ୍ଚିଥିଲେ। ସେଠାରେ ସେମାନେ ଆରକ୍ଷୀ ଅଧୀକ୍ଷକ, ବାଲେଶ୍ୱରଙ୍କ ସହ ଉକ୍ତ ମାମଲା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଘଟଣାର ତଦନ୍ତର ଅଗ୍ରଗତି, ଗ୍ରହଣ କରାଯାଇଥିବା ଆଇନଗତ ପଦକ୍ଷେପ ଏବଂ ପୀଡ଼ିତାଙ୍କ ପରିବାରକୁ ଦିଆଯାଉଥିବା ସହାୟତା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହା ପରେ ମାନ୍ୟବର ଚେୟାରପର୍ସନ ଓ ସଦସ୍ୟ, DCPO, ବାଲେଶ୍ୱର ଏବଂ Additional SP, ବାଲେଶ୍ୱରଙ୍କ ସହିତ ପୀଡ଼ିତା ନାବାଳିକାଙ୍କ ପରିବାରବର୍ଗଙ୍କୁ ସାକ୍ଷାତ କରିଥିଲେ। ସେମାନେ ପରିବାରର ସଦସ୍ୟମାନଙ୍କ ସହ ଆଲୋଚନା କରି ଘଟଣା ସମ୍ପର୍କିତ ତଥ୍ୟ ଜାଣିବା ସହିତ ପରିବାରର ବର୍ତ୍ତମାନ ସ୍ଥିତି ଓ ଆବଶ୍ୟକତା ସମ୍ପର୍କରେ ଅବଗତ ହୋଇଥିଲେ। ପରବର୍ତ୍ତୀ ସମୟରେ ସେମାନେ ଘଟଣାସ୍ଥଳ ପରିଦର୍ଶନ କରିଥିଲେ, ଯେଉଁ ସ୍ଥାନରେ ଉକ୍ତ ନାବାଳିକାଙ୍କ ସହ ଦୁଷ୍କର୍ମ ପରେ ମୃତ୍ୟୁ ଘଟିଥିବା ସମ୍ପର୍କରେ ଅଭିଯୋଗ/ସୂଚନା ରହିଛି। ଘଟଣାସ୍ଥଳର ପରିସ୍ଥିତି ଏବଂ ମାମଲା ସମ୍ପର୍କିତ ଉପଲବ୍ଧ ତଥ୍ୟ ବିଷୟରେ ଅଧିକାରୀମାନଙ୍କଠାରୁ ସୂଚନା ଗ୍ରହଣ କରାଯାଇଥିଲା।
ଏହା ପରେ ଅପରାହ୍ନ ୪.୦୦ ଘଟିକା ସମୟରେ ସର୍କିଟ୍ ହାଉସ୍, ବାଲେଶ୍ୱର ଠାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (OSCPCR)ର ମାନ୍ୟବର ଅଧ୍ୟକ୍ଷା ଶ୍ରୀମତୀ ବବିତା ପାତ୍ର ଏବଂ ମାନ୍ୟବର ସଦସ୍ୟା ଶ୍ରୀମତୀ ସୁଜାତା ନାୟକ, ଆରକ୍ଷ ଅଧିକ୍ଷକ ଶ୍ରୀଯୁକ୍ତ ପ୍ରତ୍ୟୁଷ ଦିବାକର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ଖୁସିରାମ ଗହୀର, SJPO/DSP ଶ୍ରୀମତୀ ନିର୍ମଳା ଭଟ୍ଟାଚାର୍ଯ୍ୟଙ୍କ ସମେତ ସମ୍ପୃକ୍ତ ଅଧିକାରୀମାନେ ଉପସ୍ଥିତ ଥିଲେ।
ବୈଠକରେ ଉକ୍ତ ମାମଲାର ସମସ୍ତ ପ୍ରମୁଖ ଦିଗ, ତଦନ୍ତର ଅଗ୍ରଗତି, ପୀଡ଼ିତାଙ୍କ ପରିବାରକୁ ଆବଶ୍ୟକ ସହାୟତା, ଶିଶୁ ସୁରକ୍ଷା ସମ୍ପର୍କିତ ବିଷୟ ଏବଂ ଭବିଷ୍ୟତରେ ଆବଶ୍ୟକ ପଦକ୍ଷେପ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ଓ ସମୀକ୍ଷା କରାଯାଇଥିଲା। ମାମଲାରେ ଆଇନ ଅନୁଯାୟୀ ଆବଶ୍ୟକ ପଦକ୍ଷେପ ଏବଂ ଶିଶୁର ସର୍ବୋତ୍ତମ ସ୍ୱାର୍ଥ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ସମସ୍ତ କାର୍ଯ୍ୟକ୍ରମ ଓ ସମୀକ୍ଷା ସମାପ୍ତ କରି ମାନ୍ୟବର ଚେୟାରପର୍ସନ ଓ ସଦସ୍ୟ ସନ୍ଧ୍ୟା ପ୍ରାୟ ୬.୦୦ ଘଟିକା ସମୟରେ ବାଲେଶ୍ୱରରୁ ଭୁବନେଶ୍ୱର ଅଭିମୁଖେ ପ୍ରସ୍ଥାନ କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ