ବାତ୍ୟାରେ ଧାନ ଫସଲ କ୍ଷତି : ଋଷିକୂଲ୍ୟା ରୟତ ମହାସଭା ପକ୍ଷରୁ ଦାବିପତ୍ର ପ୍ରଦାନ

ପୋଲସରା, (ଅନୀଲ କୁମାର ମହାରଣା) : ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ ବନ୍ୟା ହୋଇ ଫସଲ ସହ ସହର ଓ ଗ୍ରାମରେ ବହୁ ଉଚ୍ଚରେ ପାଣି ପ୍ରବାହିତ ହୋଇ ବ୍ୟାପକ କ୍ଷୟକ୍ଷତି କରିଅଛି। ପୋଲସରା ତହସିଲର ୨୬ ଗୋଟି ପଂଚାୟତର ୧୩୬ ଗୋଟି ରାଜସ୍ବ ଗ୍ରାମରେ ପ୍ରାୟ ୯ ହଜାର ହେକ୍ଟର ଜମିରେ ଧନଫସଲ କରାଯାଇଛି। ସେଥିମଧ୍ୟରୁ ପ୍ରାୟ ୯୦ ପ୍ରତିଶତ ଧାନ ଫସଲ ଅର୍ଣ୍ଣବ ବାତ୍ୟାର ପ୍ରଭାବରେ ଲଗାଣ ବର୍ଷା ସାଙ୍ଗକୁ ପବନ ଫଳରେ ଧାନ ଫସଲ ଗୁଡିକ ପାଣିରେ ବୁଡି ନଷ୍ଟ ହୋଇଯାଇଛି। ଋଣ କରି ଚାଷୀ ଫଳାଇଥିବା ଫସଲ ନଷ୍ଟ ହୋଇଥିବା ବେଳେ ଋଣ କିପରି ପରିଶୋଧ ହେବ ସେହି ଚିନ୍ତାରେ ଚାଷୀ ମୁଣ୍ଡରେ ହାତଦେଇ ବସିଛି। ଶନିବାର ଦିନ ଋଷିକୂଲ୍ୟା ରୟତ ମହାସଭା ପକ୍ଷରୁ ତହସିଲଦାର ଦିପ୍ତିମୟୀ ପାତ୍ର ଓ ବିଡ଼ିଓ ଶଶିଭୂଷଣ ମହାପାତ୍ରଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟ ରେ ଦାବିପତ୍ର ପ୍ରଦାନ କରାଯାଇଛି। ଦାବିପତ୍ର ପ୍ରଦାନ ସମୟରେ ଋଷିକୂଲ୍ୟା ରୟତ ମହାସଭାର ଆବାହକ ହୀନ ସ୍ୱାଇଁ, ସମ୍ପାଦକ ଶିବ ପ୍ରସାଦ ସାହୁ, ଉପଦେଷ୍ଟା ପ୍ରମୋଦ କୁମାର ରଥ, ନାରାୟଣ ପ୍ରଧାନ, ରାମକୃଷ୍ଣ ପ୍ରଧାନ, ଦୁଃଖିଶ୍ୟାମ ପ୍ରଧାନ, ଶଙ୍କର ଡାକୁଆ ସମେତ ବହୁ ଚାଷୀ ଉପସ୍ଥିତ ଥିଲେ। ତହସିଲଦାର ଶ୍ରୀମତୀ ପାତ୍ର ପ୍ରକାଶ କରିଥିଲେ ଯେ ସମସ୍ତ ଚାଷୀଙ୍କର କ୍ଷେତ୍ର ପରିଦର୍ଶନ କରି କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରୀ ନିୟମ ଅନୁସାରେ ତୁରନ୍ତ ସହାୟତା ପ୍ରଦାନ କରାଯିବ। ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ତୁରନ୍ତ ସହାୟତା ଦିଆଯିବାର ବ୍ୟବସ୍ଥା କରାଯାଉଛି ବୋଲି ବିଡ଼ିଓ ଶ୍ରୀ ମହାପାତ୍ର ପ୍ରକାଶ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ