‘ବିଭୁବୈଭବ’ର ଚତୁର୍ବିଂଶତମ ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନା ସମାରୋହ

ନାଉଗାଁ, (ପ୍ରଦୋଷ ମହାନ୍ତି):  ଚେତନାଧର୍ମୀ ଆଧ୍ୟାତ୍ମିକ ପତ୍ରିକା ‘ବିଭୁବୈଭବ’ର ଚତୁର୍ବିଂଶତମ ବାର୍ଷିକ ଉତ୍ସବ, ଶାରଦୀୟ ବିଶେଷାଙ୍କ ଉନ୍ମୋଚନ ଓ ସମ୍ବର୍ଦ୍ଧନା ସମାରୋହ ସିଂହପୁରସ୍ଥିତ ମହାକାଳେଶ୍ୱର ମନ୍ଦିର ପରିସରରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଗୁରୁପୂଜନ, ଭଜନ, ଧ୍ୟାନ ଓ ସ୍ୱାଧ୍ୟାୟ ସହିତ ଆଧ୍ୟାତ୍ମିକ କବିତା ପାଠ କାର୍ଯ୍ୟକ୍ରମ ଏକ ମାଙ୍ଗଳିକ ପରିବେଶରେ ସମ୍ପନ୍ନ ହୋଇଥିଲା। ଉଦ୍‌ଘାଟକ ଭାବେ ସିଦ୍ଧଗିରି ଆଶ୍ରମର ବାବାଜୀ ଶ୍ରୀଶ୍ରୀ ବିଶ୍ୱନାଥ ଦାସ ମହାରାଜ ଓ ବାବାଜୀ ଶ୍ରୀଶ୍ରୀ ବିଶ୍ୱାତ୍ମାନନ୍ଦ ଗିରି ମହାରାଜ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରିବା ସହିତ ପତ୍ରିକାର ଶାରଦୀୟ ବିଶେଷାଙ୍କ ଉନ୍ମୋଚନ କରି ଆଶୀର୍ବଚନ ପ୍ରଦାନ କରିଥିଲେ।
‘ବିଭୁବୈଭବ’ ପରିବାର ଓ ଆଧ୍ୟାତ୍ମିକ ଚେତନା ପରିଷଦ ଆନୁକୂଲ୍ୟରେ ଆୟୋଜିତ ସ୍ୱଧର୍ମ ସଭାରେ ଆଧ୍ୟାତ୍ମିକ ଚେତନା ଜାଗ୍ରତ ହେଲେ ‘ସେ’ ଓ ‘ମୁଁ’ ମଧ୍ୟରେ ଥିବା ଭେଦଭାବ ଦୂର ହୋଇଥାଏ। ଏହା ମନୁଷ୍ୟ ଜୀବନରେ ଶାନ୍ତି ଓ ଆନନ୍ଦର ଅନୁଭୂତି ଆଣିବା ସହିତ ଏକାତ୍ମବୋଧ ଓ ପାରସ୍ପରିକ ଅନୁରକ୍ତି ମାଧ୍ୟମରେ ଜାତୀୟ ସଂହତି ପ୍ରତିଷ୍ଠାରେ ସହାୟକ ହୋଇଥାଏ ବୋଲି ଆଧ୍ୟାତ୍ମିକ ସାଧକମାନେ ମତବ୍ୟକ୍ତ କରିଥିଲେ। ‘ବିଭୁବୈଭବ’ର ସମ୍ପାଦକ ତଥା ଲୋକଶିକ୍ଷକ ଡକ୍ଟର ଲକ୍ଷ୍ମୀପ୍ରସାଦ ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ପୂର୍ବତନ ବିଧାୟକ ଜ୍ୟୋତିଷ ଚନ୍ଦ୍ର ଦାସ ମୁଖ୍ୟ ଅତିଥି, ଡାକ୍ତର ସର୍ବେଶ୍ୱର ପରିଡ଼ା ମୁଖ୍ୟବକ୍ତା, ଆନ୍ତର୍ଜାତୀୟ ଚାରଣ ଗୋଷ୍ଠୀର ଉପସଭାପତି ତଥା ବରିଷ୍ଠ ଆଇନଜୀବୀ ଡକ୍ଟର ବାମଦେବ ବରାଳ ବିଶିଷ୍ଟ ଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଜ୍ୟୋତିର୍ବିଦ୍ ତଥା ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଡକ୍ଟର ଅରୁଣ କୁମାର ପାଣି, ଦୈନିକ ‘ସମ୍ବାଦ’ର ସହସମ୍ପାଦକ ଚିତ୍ତରଞ୍ଜନ ବେହେରା,   ବିଶିଷ୍ଟ ସାହିତ୍ୟିକା ଡକ୍ଟର ବସନ୍ତ ମଞ୍ଜରୀ ଦାସ, ସମାଜସେବୀ ତଥା ସୁସଂଗଠକ ସୁକୁମାର ସାମଲ, ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ଡକ୍ଟର ସୁବାଷ ରାଉତ ଓ ପରିବେଶବିତ୍ ଉତ୍କଳ ରଞ୍ଜନ ମହାନ୍ତି ପ୍ରମୁଖ ମଞ୍ଚାସୀନ ହୋଇ ଆଧ୍ୟାତ୍ମିକ ଜୀବନ ଦର୍ଶନ ସମ୍ପର୍କରେ ନିଜସ୍ୱ ମତ ଉପସ୍ଥାପନ କରିଥିଲେ। ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପ୍ରାକ୍ତନ ପରିଚାଳକ ତଥା ‘ଆମ ଓଡ଼ିଶା ଏଜୁକେସନ ସୋସାଇଟି’ର ନିର୍ଦ୍ଦେଶକ ନିତ୍ୟାନନ୍ଦ ମହାନ୍ତିଙ୍କ ସଂଯୋଜନା ଓ ଡକ୍ଟର ତ୍ରିଲୋଚନ ଦାଶଙ୍କ ପ୍ରମୁଖ ପରିଚାଳନାରେ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଶ୍ରୀଶ୍ରୀ ରାଧାରମଣ ସେବାଶ୍ରମର ପୀଠାଧୀଶ ବାବାଜୀ ଶ୍ରୀଶ୍ରୀ ନୀଳାଚଳ ଦାସ ମହାରାଜଙ୍କୁ ‘ସନ୍ଥ ଆନନ୍ଦ ଭରଦ୍ୱାଜ ସ୍ମୃତି ସମ୍ମାନ-୨୦୨୬’ ପ୍ରଦାନ କରାଯାଇଥିଲା। ସେହିପରି କର୍ମକାଣ୍ଡି ପଣ୍ଡିତ ତଥା ବରିଷ୍ଠ ଶିକ୍ଷାବିତ୍ ନାରାୟଣ ଚନ୍ଦ୍ର ଦାଶ, ବିଶିଷ୍ଟ ଚିକିତ୍ସକ ଡାକ୍ତର ସର୍ବେଶ୍ୱର ପରିଡ଼ା ଓ ବିଶିଷ୍ଟ ସମାଜସେବୀ ତଥା ପ୍ରାକ୍ତନ ବିଧାୟକ ଜ୍ୟୋତିଷ ଚନ୍ଦ୍ର ଦାସଙ୍କୁ ‘ଭାଗିରଥି କର୍ମଯୋଗୀ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ଅନୁଷ୍ଠାନ ପକ୍ଷରୁ ସମସ୍ତ ସମ୍ମାନିତ ପ୍ରତିଭାଙ୍କୁ ଉପଢୌକନ ଓ ବିଭୁ ଆଶୀର୍ବାଦ ପତ୍ର ପ୍ରଦାନ କରାଯାଇଥିଲା।
ଏଥିସହିତ ସୁନାମଧନ୍ୟ କୁଇଜ୍ ମାଷ୍ଟର ଡକ୍ଟର ତ୍ରିଲୋଚନ ଦାଶ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାଧାରଣଜ୍ଞାନ ପ୍ରତିଯୋଗିତା ପରିଚାଳନା କରିଥିଲେ। ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବା ସହିତ ଅଂଶଗ୍ରହଣ କରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ପ୍ରାରମ୍ଭରେ ନିତ୍ୟାନନ୍ଦ ମହାନ୍ତି ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବାବେଳେ ଶେଷରେ ଡକ୍ଟର ବସନ୍ତ ମଞ୍ଜରୀ ଦାସ ଅନୁଷ୍ଠାନ ପକ୍ଷରୁ ଉପସ୍ଥିତ ସମସ୍ତ ଅତିଥି, ସାଧକ ଓ ସହଯୋଗୀଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ