ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି
କଟକ, (ଓ୍ବାଇଏନଏସ): କଟକ ଜିଲ୍ଲା ନରସିଂହପୁର ବ୍ଲକ କାର୍ଯ୍ୟାଳୟଠାରେ ଆଜି ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଜନ ଅଭିଯୋଗ ଶୁଣାଣିରେ ସମୁଦାୟ ୧୩୫ଟି ଅଭିଯୋଗ ହସ୍ତଗତ ହୋଇଥିବାବେଳେ ତନ୍ମଧ୍ୟରେ ୧୨୮ ଟି ବ୍ୟକ୍ତିଗତ ଅଭିଯୋଗ ଏବଂ ୦୭ ଟି ସାମୁହିକ ଅଭିଯୋଗ ରହିଥିଲା ।ଅଭିଯୋଗ ଶୁଣାଣି ଶିବିରରେ ୪୭ ଟି ଅଭିଯୋଗର ତ୍ୱରିତ ସମାଧାନ ନିମନ୍ତେ ବିହିତ ପଦକ୍ଷେପ ଗ୍ରହଣ କରାଯାଇଥିଲା ।ଏହି ଅଭିଯୋଗ ଶୁଣାଣିସ୍ଥଳରେ ଆରକ୍ଷୀ ଅଧୀକ୍ଷକ ବିନୀତ ଆଗ୍ରୱାଲ, ଅତିରିକ୍ତ ଜିଲ୍ଲାପାଳ କମଲଜିତ ଦାସ, ଆଠଗଡ ଉପଜିଲ୍ଲାପାଳ ଅନିମେଶ ପ୍ରଧାନଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଏଥି ସହ କୃଷି, ଶିକ୍ଷା, ବିଦ୍ୟୁତ, ପାନୀୟ ଜଳ, ଭିନ୍ନକ୍ଷମ ଏବଂ ଅନ୍ୟାନ୍ୟ ଭତ୍ତା ଆଦି ସମ୍ପର୍କିତ ବିଭିନ୍ନ ପଞ୍ଜିକୃତ ଅଭିଯୋଗର ଶୁଣାଣି ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ବିଭିନ୍ନ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏଠାରେ ସୂଚନାଯୋଗ୍ୟ, ଆସନ୍ତା ୦୯ ତାରିଖରେ ତିଗିରିଆ ବ୍ଲକ କାର୍ଯ୍ୟାଳୟଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ ।


