ଓଡ଼ିଶା ଏକ ସାଧାରଣ ଭୂଖଣ୍ଡ ନୁହେଁ

ଅଧ୍ୟାପକ ହେମନ୍ତ କୁମାର ଗନ୍ତାୟତ
ପ୍ରତ୍ୟେକ ଜାତିର ଜୀବନୀ ଶକ୍ତି ଥାଏ ତାର ଭାଷା ଓ ସଂସ୍କୃତିରେ। କାରଣ ଉଭୟ- ଉଭୟଙ୍କ ବିନା ତିଷ୍ଠି ରହିବା ଅସମ୍ଭବ। ତେଣୁ କୁହାଯାଇଛି, ଯେଉଁ ଜାତିର ସଂସ୍କୃତି ଯେତେ ଉନ୍ନତ ତାର ଭାଷା ସେତେ ସୁସଂସ୍କୃତ ସମ୍ପନ୍ନ। ଆଜି ଯଦି ଆମେ ଓଡ଼ିଆ ବୋଲି ବିଶ୍ଵ ଦରବାରରେ ଗର୍ବିତ ଓ ଗୌରବାନ୍ୱିତ, ତେବେ ଏହାର ପଛରେ ଲୁଚିରହିଛି ଆମ ଭାଷା ଏବଂ ସଂସ୍କୃତି । ପୃଥିବୀର ଅନେକ ସଂସ୍କୃତି ସମୟ ସ୍ରୋତରେ ବିଲୀନ ହୋଇଯାଇଥିବା ବେଳେ, ଆମ ମାତୃଭାଷା ଓ ସଂସ୍କୃତି ହଜାର ହଜାର ବର୍ଷ ଧରି ନିଜର ସ୍ଵାତନ୍ତ୍ର୍ୟ ବଜାୟ ରଖିଛି। ଏହାର କାରଣ ଉତ୍କଳ ବା ଓଡ଼ିଶା କେବଳ ଏକ ଭୂଖଣ୍ଡ ନୁହେଁ, ବରଂ ଏକ ସମୃଦ୍ଧ ସଭ୍ୟତା। ଯାହା ଶ୍ରୀ ଜଗନ୍ନାଥ ସଂସ୍କୃତିର ଅନନ୍ୟ ମହାନ ପରମ୍ପରାର ଏକ ଜୀବନ୍ତ ପ୍ରତୀକ। ଯାର ସାହିତ୍ୟ, କଳା, ଭାସ୍କର୍ଯ୍ୟ, ନୌବାଣିଜ୍ୟ ଏବଂ ଉଦାର ମାନବବାଦ ପର୍ଯ୍ୟନ୍ତର ଏପରି ଅନେକ ଐତିହାସିକ ତଥ୍ୟ ରହିଛି, ଯାହା ଓଡ଼ିଶାକୁ ସାରା ବିଶ୍ଵରେ ଏକ ସ୍ଵତନ୍ତ୍ର ପରିଚୟ ପ୍ରଦାନ କରିପାରିଛି। ଏଣୁ ଆମ ଜାତି ଓ ସଂସ୍କୃତି ଆମ ଅସ୍ମିତାର ପରିଚୟ।
ଆମ ପ୍ରଦେଶ କେବଳ ଏକ ସାଧାରଣ ଭୂମିଖଣ୍ଡ ନୁହେଁ, ଏହା ଏପରି ଏକ ଭୂଖଣ୍ଡ, ଯାହା ଏ ଭୂମଣ୍ଡଳରେ ଦେଖିବା ଅତ୍ୟନ୍ତ ବିରଳ। ତେଣୁ କପିଳ ସଂହିତା ରେ କୁହା ଯାଇଛି ଯେ:
ବର୍ଷାଣାଂ ଭାରତ ଶ୍ରେଷ୍ଠ ଦେଶାନାଂ ଉତ୍କଳ ସ୍ମୃତଃ ।
ଉତ୍କଳସ୍ୟ ସମୋ ଦେଶୋ, ଦେଶଃ ନାସ୍ତି ମହୀତଳେ ॥
ଏହି ଭୂମି ଜାତି ବର୍ଣ୍ଣ ଓ ଧର୍ମ ନିର୍ବିଶେଷରେ ସମସ୍ତଙ୍କୁ ଏକ ସୂତ୍ରରେ ବାନ୍ଧି ରଖିଛି। ଯେଉଁ ଭୂମି ଦିନେ ଚଣ୍ଡାଶୋକଙ୍କୁ ଧର୍ମାଶୋକରେ ରୂପାନ୍ତରିତ କରିଦେଇଥିଲା, ତେଣୁ ଏ ଧର୍ମର ଭୂମି। କେବଳ ଏ ଭୂମି ଧର୍ମର ଭୂମି ନୁହେଁ; ଅପିତୁ ତ୍ୟାଗର ଭୂମି, ତପଃର ଭୂମି, ଜ୍ଞାନର ଭୂମି, ବିଜ୍ଞାନର ଭୂମି, ବୀରଙ୍କର ଭୂମି, ଶକ୍ତି, ଭକ୍ତି ଓ ମୁକ୍ତିର ଭୂମି ଏବଂ ସର୍ବାଦୌ ମହାପ୍ରଭୁ ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ନିତ୍ୟ ମାନବୀୟ ଲୀଳାର ଭୂମି। ଏହାର ଇତିହାସ, ସଂସ୍କୃତି ଓ ପରମ୍ପରା ଅତୀବ ପ୍ରାଚୀନ। ଯାହାର ଦୃଷ୍ଟାନ୍ତ ମହର୍ଷି ବେଦବ୍ୟାସଙ୍କ ବିରଚିତ ସ୍କନ୍ଦ ପୁରାଣର ଉତ୍କଳ ଖଣ୍ଡରେ ଦେଖିବାକୁ ମିଳେ:
ଉତ୍କଳୋନାମ ଦେଶୋଽସ୍ତି ଖ୍ୟାତଃ ପରମପାବନଃ ।
ଯତ୍ର ତୀର୍ଥାନ୍ୟନେକାନି ପୁଣ୍ୟାନ୍ୟାୟତନାନି ଚ ॥
ଏହି ଶ୍ଳୋକରେ ଜୈମିନି ମୁନି ଉତ୍କଳ ଦେଶର ମହିମା ବର୍ଣ୍ଣନାକରି କହିଛନ୍ତି ଯେ, ଉତ୍କଳ ନାମରେ ଏ’ପରି ଏକ ପରମ ପାବନ ଦେଶ ରହିଛି, ଯା’ର ଖ୍ୟାତି ଚତୁର୍ଦ୍ଦିଗରେ ସୁବିଦିତ। ଯେଉଁଠାରେ ଅନେକ ଗୁଡ଼ିଏ ପବିତ୍ର ତୀର୍ଥସ୍ଥାନ ଏବଂ ପୁଣ୍ୟମୟ ଦେବାଳୟାଦି ମଧ୍ୟ ରହିଆସିଛି । ତା’ ସହିତ ଏ ସ୍ଥାନ ଓ ପାତ୍ରର ମଧ୍ୟ ବିଶେଷତା କହିଛନ୍ତି:
ଦକ୍ଷିଣସ୍ୟୋଦଧେସ୍ତୀରେ ସ ତୁ ଦେଶଃ ପ୍ରତିଷ୍ଠିତଃ ।
ଯତ୍ର ସ୍ଥିତା ବୈପୁରୁଷାଃ ସଦାଚାରନିଦର୍ଶନାଃ ॥
ଏହି ଭୂଖଣ୍ତ ଭାରତବର୍ଷର ଦକ୍ଷିଣ ସମୁଦ୍ର କୂଳରେ ଅବସ୍ଥିତ। ଯେଉଁଠାରେ ବସବାସ କରୁଥିବା ମନୁଷ୍ୟମାନେ ଅତ୍ୟନ୍ତ ସଦାଚାର ବା ଉତ୍ତମ ଆଚରଣର ଜ୍ୱଳନ୍ତ ନିଦର୍ଶନ ଅଟନ୍ତି । ସେ’ପରି ପ୍ରାଚୀନ ବୌଦ୍ଧ ସାହିତ୍ୟ ଯଥା ‘ମହାଗୋବିନ୍ଦ ସୁତ୍ତାନ୍ତ’ ଏବଂ ବିଭିନ୍ନ ‘ଜାତକ’ ଗଳ୍ପରେ ଉତ୍କଳ ଓ କଳିଙ୍ଗର ବର୍ଣ୍ଣନା ରହିଛି। ଏ ପ୍ରଦେଶର ଲିଖିତ ଇତିହାସ ଆରମ୍ଭ ହେବା ପୂର୍ବରୁ, ଏହା ଏକ ଶକ୍ତିଶାଳୀ ଜନପଦ ଭାବରେ ପ୍ରତିଷ୍ଠିତ ହୋଇ ରହିଥିଲା। ଯା’ର ଉତ୍କୃଷ୍ଟ କଳା ଏଵଂ ଶିଳ୍ପ ନୈପୁଣ୍ୟତା ଅତ୍ୟନ୍ତ ଉଚ୍ଚକୋଟୀର ହୋଇଥିବା ଯୋଗୁଁ ଏହାର ନାମ ଉତ୍କଳ ବୋଲି କୁହାଯାଇଛି।
ଓଡ଼ିଆ ସଂସ୍କୃତି କହିଲେ ସ୍ୱତଃ ଭାବେ ଜଗନ୍ନାଥ ସଂସ୍କୃତିକୁ ହିଁ ବୁଝାଏ। ଯାହା ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ଭଳି। ଶ୍ରୀଜଗନ୍ନାଥ ହେଉଛନ୍ତି ଏହି ଜାତିର ସ୍ୱାଭିମାନ ଓ ଆତ୍ମା। ଏହି ସଂସ୍କୃତିର ସବୁଠାରୁ ବଡ଼ ବୈଶିଷ୍ଟ୍ୟ ହେଉଛି ସମାନତା। ଆମେ ଜାଣିଛେ ଶ୍ରୀମନ୍ଦିର ଭିତରେ ବ୍ରାହ୍ମଣଠାରୁ ଆରମ୍ଭ କରି ଚଣ୍ଡାଳ ପର୍ଯ୍ୟନ୍ତ ସମସ୍ତେ ସମାନ। ମହାପ୍ରଭୁଙ୍କ ‘ମହାପ୍ରସାଦ’ ବା ଅବଢ଼ା ସମସ୍ତେ ଗୋଟିଏ ସ୍ଥାନରେ ବସି ଏକାଠି ଖାଇଥାନ୍ତି। ଏଠାରେ କୌଣସି ଜାତିଭେଦ କିମ୍ବା ଉଚ୍ଚ-ନୀଚ୍ଚର ଭେଦଭାବ ନାହିଁ। ମୁସଲମାନ ଭକ୍ତ ସାଲବେଗ ଏବଂ ଅସ୍ପୃଶ୍ୟ ଦାସିଆ ବାଉରୀଙ୍କ କଥା ଏହାର ଜ୍ୱଳନ୍ତ ଦୃଷ୍ଟାନ୍ତ ହୋଇ ରହିଛି। ମହାପ୍ରଭୁ ଜଗନ୍ନାଥ କେବଳ ଜଣେ ଦେବତା ନୁହଁନ୍ତି, ସେ ହେଉଛନ୍ତି ପ୍ରତ୍ୟେକ ଓଡ଼ିଆଙ୍କ ସୁଖ-ଦୁଃଖର ସାଥୀ ଏବଂ ଏ ଜାତୀୟତାର ମୂଳଦୁଆ।
ଏହି ସଂସ୍କୃତି ଓଡ଼ିଆମାନଙ୍କର ସରଳତା, ଉଦାରତା ଏବଂ ସର୍ବଧର୍ମ ସମନ୍ୱୟର ଶିକ୍ଷା ଦିଏ। ଯାହା ବିଶ୍ୱକୁ ଶିଖାଏ ଯେ, ସମସ୍ତ ମାନବ ଜାତି ଏକ ଏବଂ ଆମେ ସମସ୍ତେ ସେହି ଗୋଟିଏ ପରମବ୍ରହ୍ମଙ୍କ ସନ୍ତାନ। ଆମ ସଂସ୍କୃତି ଜଗନ୍ନାଥଙ୍କ ବିନା ଅସମ୍ପୂର୍ଣ୍ଣ । ଓଡ଼ିଶାର ଜୀବନଶୈଳୀ, ପରମ୍ପରା, କଳା, ସାହିତ୍ୟ ଏବଂ ଚିନ୍ତାଧାରା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ କେନ୍ଦ୍ର କରି ଗଢ଼ି ଉଠିଛି। ଜଗନ୍ନାଥ ସଂସ୍କୃତି କେବଳ ଏକ ଧାର୍ମିକ ବିଶ୍ୱାସ ନୁହେଁ, ବରଂ ଏହା ଓଡ଼ିଆ ଜାତିର ପ୍ରାଣସ୍ପନ୍ଦନ ଏବଂ ପରିଚୟ। ଏହା ଶାବର (ଆଦିବାସୀ), ବୌଦ୍ଧ, ଜୈନ ଓ ସନାତନ ଧର୍ମର ଏକ ସୁନ୍ଦର ସମନ୍ୱୟ ଏବଂ ସର୍ବପୁରାତନ ଧାର୍ମିକ ସମାବେଶ ମଧ୍ୟରୁ ଗୋଟିଏ ବିଶ୍ଵପ୍ରସିଦ୍ଧ ରଥଯାତ୍ରା। ଏହି ସଂସ୍କୃତି ସହିତ ଏହାର ସାହିତ୍ୟ ଅଧ୍ୟ ଅଙ୍ଗାଙ୍ଗୀ ଭାଵେ ଜଡ଼ିତ। ସାରଳା ଦାସଙ୍କ ମହାଭାରତ ଓ ଜଗନ୍ନାଥ ଦାସଙ୍କ ଭାଗବତ ଠାରୁ ଆରମ୍ଭ କରି ବଳରାମ ଦାସଙ୍କ ଜଗମୋହନ ରାମାୟଣ ଏବଂ ଉପେନ୍ଦ୍ର ଭଞ୍ଜଙ୍କ ରୀତି ସାହିତ୍ୟ ପର୍ଯ୍ୟନ୍ତ ସବୁକିଛି ଓଡ଼ିଆ ଭାଷାର ଶାସ୍ତ୍ରୀୟତାକୁ ପ୍ରମାଣିତ କରେ। ଆଧୁନିକ ଯୁଗରେ ଫକୀର ମୋହନ ସେନାପତି, ରାଧାନାଥ ରାୟ ଏବଂ ଗଙ୍ଗାଧର ମେହେରଙ୍କ ଭଳି କବି ଓ ଲେଖକମାନେ ଏହି ପରମ୍ପରାକୁ ଆଗକୁ ନେଇଛନ୍ତି। ଏହାକୁ ଦୃଷ୍ଟିରେ ରଖି କୁହାଯାଉଛି:
ଜଗନ୍ନାଥେ ପ୍ରୀତି ଓଡ଼ିଆ ସଂସ୍କୃତି
ଉଡ଼ାଏ ସଂସାରେ ନେତ
ସାହିତ୍ୟ ଯାହାର ନାହିଁ ପଟାନ୍ତର
ଜଗନ୍ନାଥ ଭାଗବତ
କହଇ ହେମନ୍ତ ଗର୍ବେ
ଓଡ଼ିଆର କବି ଭାରି ଅନୁଭବି
ଭଞ୍ଜ ବଳଦେବ ସର୍ବେ।।
ଉପରୋକ୍ତ ଵିଷୟ ସୂଚାଏ ଓଡ଼ିଆ ଭାଷା କୌଣସି ଆଧୁନିକ ଭାଷାର ଉପଭାଷା ନୁହେଁ, ବରଂ ଏହା ଏକ ସ୍ଵୟଂସମ୍ପୂର୍ଣ୍ଣ ଏବଂ ଅତି ପ୍ରାଚୀନ ଭାଷା। ତେଣୁ ୨୦୧୪ ମସିହା ଫେବୃଆରୀ ୨୦ ତାରିଖରେ ଭାରତ ସରକାର ଏହି ଭାଷାକୁ ‘ଶାସ୍ତ୍ରୀୟ ଭାଷା’ (Classical Language) ର ମାନ୍ୟତା ପ୍ରଦାନ କରିଛନ୍ତି। ସବୁଠାରୁ ଗର୍ବର କଥା ହେଉଛି, ଦକ୍ଷିଣ ଭାରତୀୟ ଭାଷା (ତାମିଲ, ତେଲୁଗୁ, କନ୍ନଡ, ମାଲାୟାଲମ୍) ଓ ସଂସ୍କୃତ ପରେ ଓଡ଼ିଆ ହେଉଛି ଭାରତର ଷଷ୍ଠ ଭାଷା ଏବଂ ଉତ୍ତର-ପୂର୍ବ ଭାରତର ପ୍ରଥମ ଇଣ୍ଡୋ-ଆର୍ଯ୍ୟ ଭାଷା ଯାହାକୁ ଏହି ସମ୍ମାନ ମିଳିଛି। ଭାଷାବିତ୍ମାନଙ୍କ ଅନୁସାରେ ଓଡ଼ିଆ ଭାଷାର ଉତ୍ପତ୍ତି ଓ କ୍ରମବିକାଶର ଇତିହାସ ପ୍ରାୟ ୧୫୦୦ ରୁ ୨୦୦୦ ବର୍ଷରୁ ଅଧିକ ପୁରୁଣା ହେବ। ଖାରବେଳଙ୍କ ହାତୀଗୁମ୍ଫା ଶିଳାଲେଖ ଏବଂ ୧୦୫୧ ଖ୍ରୀଷ୍ଟାବ୍ଦର ଊର୍ଜାମ ଶିଳାଲେଖ ଏହାର ପ୍ରାଚୀନତାର ସ୍ପଷ୍ଟ ପ୍ରମାଣ ଦେଇଥାଏ। ସର୍ଵ ଭାଷାର ଜନନୀ କୁହାଯାଉଥିବା ସଂସ୍କୃତ ପରେ ଓଡ଼ିଶାରେ ସର୍ବାଧିକ ସଂଖ୍ୟକ ପ୍ରାଚୀନ ତାଳପତ୍ର ପୋଥି ଓ ପାଣ୍ଡୁଲିପି ସଂରକ୍ଷିତ ହୋଇ ରହିଛି, ଯାହା ଓଡ଼ିଆ ସାହିତ୍ୟର ବ୍ୟାପକତାକୁ ଦର୍ଶାଏ। ପରନ୍ତୁ ଇଂରେଜ ଶାସନ କାଳରେ ଓଡ଼ିଆ ଭାଷାକୁ ସମ୍ପୂର୍ଣ୍ଣ ଭାବେ ଲୋପ କରିଦେବା ପାଇଁ ଅପଚେଷ୍ଟା କରାଯାଇଥିଲା। କିନ୍ତୁ ତତ୍କାଳୀନ ଏ ମାଟିର ବରପୁତ୍ରମାନେ ଯଥା : ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ, ବ୍ୟାସକବି ଫକୀର ମୋହନ ସେନାପତି ଏବଂ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ଭଳି ଅନେକ ମହାନ ଜନନାୟକଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଓ ଓଡ଼ିଆ ଭାଷାର ସୁରକ୍ଷା ଆନ୍ଦୋଳନ ତେଜିଥିଲା। ଶେଷରେ ୧୯୩୬ ମସିହା ଏପ୍ରିଲ ୧ ତାରିଖ ଦିନ ଓଡିଶା ଭାରତର ଭାଷା ଭିତ୍ତିରେ ପ୍ରଥମ ରାଜ୍ୟ ଭାବେ ଗଠିତ ହେବାର ଗୌରବ ଅର୍ଜନ କରିଥିଲା। ଏହା କେବଳ ଓଡ଼ିଆ ଭାଷାର ପ୍ରେମ ଯୋଗୁଁ ହିଁ ନିଜର ଏକ ସ୍ଵତନ୍ତ୍ର ଭୂଗୋଳ ସୃଷ୍ଟି କରିଛି।
ଓଡ଼ିଆ ସଂସ୍କୃତି ହେଉଛି ଓଡ଼ିଶାର ମାଟି, ପାଣି, ପବନ ଏବଂ ଏଠାକାର ଅଧିବାସୀଙ୍କ ହୃଦୟର ସଂସ୍କୃତି। ଏହା ଶାନ୍ତି ଏବଂ ମୈତ୍ରୀର ବାର୍ତ୍ତା ପ୍ରସାରକ ଅଟେ। ଯାହାର ଦୃଷ୍ଟାନ୍ତ ଦିନେ ସମ୍ରାଟ ଅଶୋକ ଓଡ଼ିଶା ମାଟିରେ ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ ହୋଇଥିଲେ। ଏହା ଭାଷା ଏବଂ ସଂସ୍କୃତି କେବଳ ଅତୀତର ଇତିହାସ ନୁହେଁ, ଏହା ହେଉଛି ଆମର ବର୍ତ୍ତମାନ ଓ ଭବିଷ୍ୟତର ମୂଳଦୁଆ । ଏହାର ଶାସ୍ତ୍ରୀୟତା, ଶାନ୍ତିପ୍ରିୟତା, ସହନଶୀଳତା ଏବଂ ସାର୍ବଜନୀନ ଭାତୃଭାବ ଓଡ଼ିଶାକୁ ସାରା ପୃଥିବୀରେ ଏକ ସ୍ଵତନ୍ତ୍ର ଏବଂ ଗର୍ବିତ ସ୍ଥାନ ପ୍ରଦାନ କରିଛି । ଏହି ମହାନ ପରମ୍ପରାକୁ ବଜାୟ ରଖିବା ସହ, ଆମକୁ ଆମର ଆଗାମୀ ପିଢ଼ିଙ୍କ ପାଇଁ ଏ ଭାଷାକୁ ସୁରକ୍ଷିତ କରିବା ପ୍ରତ୍ୟେକ ଓଡ଼ିଆଙ୍କର ପରମ କର୍ତ୍ତବ୍ୟ ।
ବରିଷ୍ଠ ଦର୍ଶନ ଅଧ୍ୟାପକ
ଆସିକା , ଗଞ୍ଜାମ
୯୮୬୧୩୩୪୮୬୮


