ପରିବେଶ ସୁରକ୍ଷାର ବାର୍ତ୍ତା ନେଇ ମହର୍ଷି ଗୁରୁକୁଳର ଅଭିନବ ପ୍ରୟାସ
ଗୁଣପୁର (ୱାଇଏନଏସ):ପର୍ବପର୍ବାଣୀ କେବଳ ଆନନ୍ଦ ଓ ଉତ୍ସବର ମାଧ୍ୟମ ନୁହେଁ, ଏହା ସମାଜକୁ ଏକ ସୁନ୍ଦର ବାର୍ତ୍ତା ଦେବାର ମଧ୍ୟ ଏକ ସୁଯୋଗ। ଏହି ଚିନ୍ତାଧାରାକୁ ଆଧାର କରି ମହର୍ଷି ଗୁରୁକୁଳ ବିଦ୍ୟାଳୟ, ଗୁଣପୁର ପକ୍ଷରୁ ଦୀପାବଳି ଅବସରରେ ‘ସବୁଜ ଓ ସୁରକ୍ଷିତ ଦୀପାବଳି’ ସଚେତନତା ପଦଯାତ୍ରା ଆୟୋଜନ କରାଯାଇଥିଲା।
ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିଭିନ୍ନ ଆକର୍ଷଣୀୟ ପ୍ଲାକାର୍ଡ ଓ ସଚେତନତାମୂଳକ ସ୍ଲୋଗାନ ଧରି ବାଇପାସ୍ ଛକରୁ ଯାତ୍ରା ଆରମ୍ଭ କରି ସହରର ବିଭିନ୍ନ ଅଞ୍ଚଳ ପରିକ୍ରମା କରିଥିଲେ। ପରିବେଶକୁ ପ୍ରଦୂଷଣମୁକ୍ତ ରଖିବା, ମାଟି ଦୀପର ବ୍ୟବହାରକୁ ପ୍ରୋତ୍ସାହନ, ଅନୁମୋଦିତ ସବୁଜ ବାଣର ବ୍ୟବହାର, ଶବ୍ଦ ପ୍ରଦୂଷଣରୁ ଦୂରେଇ ରହିବା, ପଶୁପକ୍ଷୀଙ୍କ ସୁରକ୍ଷା ଏବଂ ବାଣ ଫୁଟାଇବା ପରେ ଆବର୍ଜନା ସଫା କରିବା ଭଳି ବିଷୟରେ ସେମାନେ ଲୋକଙ୍କୁ ସଚେତନ କରିଥିଲେ। ଏହି କାର୍ଯ୍ୟକ୍ରମର ଏକ ଆକର୍ଷଣୀୟ ଦିଗ ଥିଲା ଛାତ୍ରଛାତ୍ରୀଙ୍କ ଦ୍ୱାରା ନିଜ ହାତରେ ପ୍ରସ୍ତୁତ ଶୁଭେଚ୍ଛା କାର୍ଡ। ସେମାନେ ଗୁଣପୁର ଥାନାର ଆଇଆଇସି ଶ୍ରୀ କମଳାକାନ୍ତ ବସନ୍ତ କୁମାର କହଁର ଏବଂ ଗୁଣପୁର ବିଡିଓ ଶ୍ରୀ ସ୍ୱସ୍ତିକ ଜମାଦାରଙ୍କୁ ଏହି କାର୍ଡ ପ୍ରଦାନ କରି ଦୀପାବଳିର ଶୁଭେଚ୍ଛା ଜଣାଇବା ସହ ପରିବେଶ ସୁରକ୍ଷାର ସନ୍ଦେଶ ପହଞ୍ଚାଇଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ କୃଷ୍ଣଚନ୍ଦ୍ର ଶତପଥୀଙ୍କ ନେତୃତ୍ୱ ଓ ଅଧ୍ୟକ୍ଷତାରେ ଏହି ଅଭିଯାନ ସଫଳତାର ସହ ସମ୍ପନ୍ନ ହୋଇଥିଲା। ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ସହଯୋଗରେ ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଏଥିରେ ଅଂଶଗ୍ରହଣ କରିଥିଲେ।


