ରେଳ ଧାରଣାରୁ ଆଇଟିଆଇ ଛାତ୍ରଙ୍କ ମୃତଦେହ ଉଦ୍ଧାର

କଟକ, (ଓ୍ବାଇଏନଏସ): କଟକ ସହରର ଖାନନଗର ଅଞ୍ଚଳରେ ରେଳ ଧାରଣା ଉପରୁ ଜଣେ ଆଇଟିଆଇ ଛାତ୍ରଙ୍କ ମୃତଦେହ ଉଦ୍ଧାର ହେବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ସୋମବାର ସକାଳେ ରେଳ ଧାରଣା ଉପରେ ଯୁବକଙ୍କ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ମୃତକ ଜଣକ ଯାଜପୁର ଜିଲ୍ଲା ବଡ଼ଚଣା ତହସିଲ ଅନ୍ତର୍ଗତ ଗଜେନ୍ଦ୍ରପୁର ଗ୍ରାମର ଦେବେନ୍ଦ୍ର ଜେନା ବୋଲି ଜଣାପଡ଼ିଛି। ସେ ଆଇଟିଆଇର ପ୍ରଥମ ବର୍ଷର ଛାତ୍ର ଥିଲେ। ସୂଚନା ପାଇ ମଧୁପାଟଣା ଥାନା ପୁଲିସର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ମୃତଦେହ ନିକଟରୁ ମିଳିଥିବା ମୋବାଇଲ୍ ଫୋନ୍ ଓ ଅନ୍ୟାନ୍ୟ ସାମଗ୍ରୀ ଆଧାରରେ ପୁଲିସ ମୃତକଙ୍କ ପରିଚୟ ଜାଣିବାକୁ ସକ୍ଷମ ହୋଇଥିଲା। ପରେ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ପରିବାର ସଦସ୍ୟଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଯାଇଛି।ପରିବାର ଲୋକଙ୍କ କହିବା ଅନୁଯାୟୀ, ଦେବେନ୍ଦ୍ର ସୋମବାର ସକାଳେ କଟକରେ କିଛି କାମ ଥିବା କହି ଘରୁ ବାହାରିଥିଲେ। ହେଲେ ପରେ ଖାନନଗର ରେଳ ଧାରଣା ଉପରୁ ତାଙ୍କ ମୃତଦେହ ମିଳିବା ଘଟଣା ପରିବାରକୁ ସ୍ତବ୍ଧ କରିଦେଇଛି। ତାଙ୍କ ମୃତ୍ୟୁ କେଉଁ ପରିସ୍ଥିତିରେ ଘଟିଲା, ତାହା ଏବେ ଅସ୍ପଷ୍ଟ ରହିଛି। ଏହା ଆତ୍ମହତ୍ୟା ନା ଦୁର୍ବୃତ୍ତଙ୍କ ଆକ୍ରମଣରେ ଯୁବକଙ୍କ ଜୀବନ ଯାଇଛି, ସେ ନେଇ ପୁଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ ଚଳାଇଛି। ବ୍ୟବଚ୍ଛେଦ ରିପୋର୍ଟ ଓ ପୁଲିସ ତଦନ୍ତ ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ