ସରକାରୀ କାର୍ଯ୍ୟାଳୟରୁ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁକୁ ନେଇ ରହସ୍ୟ
କଟକ, (ଓ୍ବାଇଏନଏସ): କଟକର ଏକ ସରକାରୀ କାର୍ଯ୍ୟାଳୟ ପରିସରରୁ ଜଣେ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ମୃତକ ହେଉଛନ୍ତି ଦୀନେଶ ଶତପଥୀ। ସେ କଟକ ଜିଲ୍ଲା ଜଳ ପରୀକ୍ଷାଗାର ଓ ପରିମଳ କାର୍ଯ୍ୟାଳୟର ମାନବ ସମ୍ବଳ ବିଭାଗରେ କାର୍ଯ୍ୟରତ ଥିଲେ। ତାଙ୍କ ଘର କଟକ ଜିଲ୍ଲାର ଟାଙ୍ଗୀ ଅଞ୍ଚଳରେ ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, କାର୍ଯ୍ୟାଳୟ ଭିତରେ ଦୀନେଶଙ୍କ ମୃତଦେହ ବେକରେ ରଶି ଲାଗି ଝୁଲୁଥିବା ଅବସ୍ଥାରେ ଠାବ ହୋଇଥିଲା। ଏ ସମ୍ପର୍କରେ ଖବର ପାଇ ଚାଉଳିଆଗଞ୍ଜ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସ ମୃତଦେହକୁ ଉଦ୍ଧାର କରିବା ସହ ଆବଶ୍ୟକ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି। ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ କଟକ ଏସସିବି ମେଡିକାଲକୁ ପଠାଯାଇଛି। ତେବେ ଦୀନେଶଙ୍କ ମୃତ୍ୟୁ କେଉଁ ପରିସ୍ଥିତିରେ ଓ କେଉଁ କାରଣରୁ ଘଟିଛି, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ। ଏହା ଆତ୍ମହତ୍ୟା ନା ମୃତ୍ୟୁ ପଛରେ ଅନ୍ୟ କୌଣସି କାରଣ ରହିଛି, ସେନେଇ ପୋଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ ଚଳାଇଛି। ବ୍ୟବଚ୍ଛେଦ ରିପୋର୍ଟ ଓ ପୋଲିସ ତଦନ୍ତ ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ।


