କୌଣସି ଯୋଗ୍ୟ ବ୍ୟକ୍ତି ଭତ୍ତାରୁ ବଞ୍ଚିତ ହେବେ ନାହିଁ- ରାଜସ୍ୱ ମନ୍ତ୍ରୀ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ବାର୍ଦ୍ଧକ୍ୟ ଓ ଅନ୍ୟାନ୍ୟ ସାମାଜିକ ସୁରକ୍ଷା ଭତ୍ତା ପାଇଁ ବର୍ଷ ବର୍ଷ ଧରି ଅପେକ୍ଷା କରିଥିବା ରାଜ୍ୟର ୫ ଲକ୍ଷରୁ ଊର୍ଦ୍ଧ୍ୱ ଯୋଗ୍ୟ ହିତାଧିକାରୀଙ୍କୁ ଚଳିତ ବର୍ଷ ଅକ୍ଟୋବରରୁ ଭତ୍ତା ପ୍ରଦାନ ଆରମ୍ଭ ହୋଇଛି। ଏହି କ୍ରମରେ କେନ୍ଦ୍ରାପଡ଼ା ଜିଲ୍ଲାର ୨୩,୮୯୭ ଜଣ ନୂତନ ହିତାଧିକାରୀଙ୍କୁ ମଧୁବାବୁ ପେନସନ୍ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। ବୁଧବାର ଜିଲ୍ଲା ସଂସ୍କୃତି ଭବନରେ ଜିଲ୍ଲା ପ୍ରଶାସନ ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଆୟୋଜିତ ଏକ ଭବ୍ୟ ସମାରୋହରେ ଏହାର ଶୁଭାରମ୍ଭ ହୋଇଯାଇଛି। ଏଥିସହ ଏକୀକୃତ ପେନସନ୍ ପରିଚାଳନା ପୋର୍ଟାଲ୍ ଏବଂ ଜନସଚେତନତା ରଥର ଶୁଭାରମ୍ଭ କରାଯାଇଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନୂତନ ହିତାଧିକାରୀଙ୍କ ପାଇଁ ଭତ୍ତା ବଣ୍ଟନର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ମନ୍ତ୍ରୀ କହିଥିଲେ ଯେ ସରକାରଙ୍କ ଯୋଜନାରୁ କୌଣସି ଯୋଗ୍ୟ ବ୍ୟକ୍ତି ବଞ୍ଚିିତ ହେବେ ନାହିଁ। ବୟସ୍କ, ଅସହାୟ ତଥା ଦିବ୍ୟାଙ୍ଗମାନଙ୍କୁ ଭତ୍ତା ପାଇବା ପାଇଁ ଆଉ କାର୍ଯ୍ୟାଳୟ ଧାଇଁବାକୁ ପଡ଼ିବ ନାହିଁ ବରଂ ଅଧିକାରୀମାନେ ନିଜେ ଘରେ ପହଞ୍ଚି ଭତ୍ତା ଯୋଗାଇଦେବେ। ୬୦ ବର୍ଷ ପୂରଣ କରିଥିବା ପ୍ରତ୍ୟେକ ଯୋଗ୍ୟ ବ୍ୟକ୍ତି ବ୍ଲକ୍ କାର୍ଯ୍ୟାଳୟ କିମ୍ବା ଅନଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ। ଆବେଦନର ଗୋଟିଏ ମାସ ମଧ୍ୟରେ ଯୋଗ୍ୟ ବ୍ୟକ୍ତିଙ୍କୁ ଭତ୍ତା ମିଳିବ। ସେହିପରି ହିତାଧିକାରୀଙ୍କୁ ୮୦ ବର୍ଷ ପୂରଣ ହେବା ପରେ କୌଣସି ଆବେଦନ ବିନା ସ୍ୱତଃପ୍ରବୃତ୍ତ ଭାବେ ବର୍ଦ୍ଧିତ ୩,୫୦୦ ଟଙ୍କା ଲେଖାଏଁ ଭତ୍ତା ପ୍ରଦାନ କରାଯିବ। କେନ୍ଦ୍ରାପଡ଼ାର ସର୍ବାଙ୍ଗୀନ ବିକାଶ ପାଇଁ ସରକାର ସମସ୍ତ ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ସେ ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ୨୦ ଜଣଙ୍କୁ ବାର୍ଦ୍ଧକ୍ୟ ଭତ୍ତା ଏବଂ ୫ ଜଣଙ୍କୁ ଜମି ପଟ୍ଟା ପ୍ରଦାନ କରାଯାଇଥିଲା। ସୂଚନାଯୋଗ୍ୟ ଯେ, ଜିଲ୍ଲାରେ ପୂର୍ବରୁ ୧,୪୧,୦୨୪ ଜଣ ଭତ୍ତା ପାଉଥିବା ବେଳେ ଏବେ ନୂତନ ୨୩, ୮୯୭ ଜଣଙ୍କୁ ମିଶାଇ ମୋଟ ହିତାଧିକାରୀ ସଂଖ୍ୟା ୧,୬୪,୯୨୧ରେ ପହଞ୍ଚିଛି। ନୂତନ ତାଲିକା ଅନୁଯାୟୀ ଆଳିରେ ୨,୩୯୪, ଡେରାବିଶରେ ୨,୩୮୫, ଗରଦପୁରରେ ୧,୨୫୮, କେନ୍ଦ୍ରାପଡ଼ା ବ୍ଲକରେ ୩,୨୩୧, ମହାକାଳପଡ଼ାରେ ସର୍ବାଧିକ ୪,୪୬୦, ମାର୍ଶାଘାଇରେ ୧,୬୮୯, ପଟ୍ଟାମୁଣ୍ଡାଇ ବ୍ଲକରେ ୨,୯୮୩, ରାଜକନିକାରେ ୨,୮୫୪, ରାଜନଗରରେ ୧,୫୦୯, କେନ୍ଦ୍ରାପଡ଼ା ପୌରାଞ୍ଚଳରେ ୫୭୭ ଏବଂ ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ୫୫୭ ଜଣ ଉପକୃତ ହୋଇଛନ୍ତି। ସମାରୋହରେ ମହାକାଳପଡ଼ା ବିଧାୟକ ଡ. ଦୁର୍ଗା ପ୍ରସନ୍ନ ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ବିଜେପି ସଭାପତି ଶଶାଙ୍କ ଶେଖର ସେଠୀ, ଜିଲ୍ଲାପାଳ ରଘୁରାମ ଆର. ଆୟର, ଅତିରିକ୍ତ ଜିଲ୍ଲାପାଳ ନବକ୍ରିଷ୍ଣ ଜେନା, ଜିଲ୍ଲା ପରିଷଦ ସିଡିଓ ଅଶୋକ କୁମାର ବେହୁରିଆ, ଉପଜିଲ୍ଲାପାଳ ଅରୁଣ କୁମାର ନାୟକ ଓ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସଂଗ୍ରାମ କେଶରୀ ବେଉରା ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ପରେ ମନ୍ତ୍ରୀ କେନ୍ଦ୍ରାପଡ଼ା ତହସିଲ କାର୍ଯ୍ୟାଳୟ ପରିଦର୍ଶନ କରି ସେବା ପ୍ରଦାନ ବ୍ୟବସ୍ଥାର ସମୀକ୍ଷା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ