ମହିଳାଙ୍କୁ ଖଣ୍ଡାରେ ଆକ୍ରମଣ ମାମଲା ଅଭିଯୁକ୍ତଙ୍କୁ ୩ ବର୍ଷ କାରାଦଣ୍ଡ
ଛତ୍ରପୁର,(ପ୍ରଶାନ୍ତ କୁମାର ମହାରଣା): ମହିଳାଙ୍କୁ ଖଣ୍ଡାରେ ଆକ୍ରମଣ କରି ଗୁରୁତର ଆହତ କରିବା ମାମଲାରେ ଅଭିଯୁକ୍ତଙ୍କୁ ୩ ବର୍ଷ କାରାଦଣ୍ଡ ହୋଇଛି। ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା ଅନ୍ତର୍ଗତ ନାରାୟଣପୁର ଗ୍ରାମରେ ୨୦୨୫ ମସିହାରେ ଘଟିଥିବା ଏହି ଘଟଣାର ବିଚାର କରି ଛତ୍ରପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ପ୍ରଦୀପ କୁମାର ସାମଲ ଅଭିଯୁକ୍ତ ପ୍ରେମାନନ୍ଦ ପ୍ରଧାନଙ୍କୁ ଦୋଷୀ ସାବ୍ୟସ୍ତ କରି ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ମାମଲାର ବିବରଣୀ ଅନୁଯାୟୀ, ୨୦୨୫ ନଭେମ୍ବର ୯ ତାରିଖ ଭୋର ପ୍ରାୟ ୫ଟା ସମୟରେ ନାରାୟଣପୁର ଗ୍ରାମର ଅଭିମନ୍ୟୁ ପ୍ରଧାନଙ୍କ ପତ୍ନୀ ସବିତା ପ୍ରଧାନ ଘରେ ରୋଷେଇ କରୁଥିବା ବେଳେ ବାରିପଟେ ଶୌଚାଳୟ ନିକଟରୁ କିଛି ଶବ୍ଦ ଶୁଣିବାକୁ ପାଇଥିଲେ। ଏହାକୁ ନେଇ ସେ କିଏ ବୋଲି ପାଟି କରି ପଚାରିଥିଲେ। କୌଣସି ଉତ୍ତର ନମିଳିବାରୁ ସେ ଗାଳିଗୁଲଜ କରିଥିଲେ। ଏହି ସମୟରେ ଗ୍ରାମର ପ୍ରେମାନନ୍ଦ ପ୍ରଧାନ ହଠାତ୍ ଏକ ଖଣ୍ଡାରେ ସବିତାଙ୍କୁ ଆକ୍ରମଣ କରିଥିଲେ। ତାଙ୍କ ମୁଣ୍ଡକୁ ଲକ୍ଷ୍ୟ କରି ଖଣ୍ଡା ଚୋଟ ମାରିବାରୁ ସେ ହାତ ଦେଖାଇ ନିଜକୁ ରକ୍ଷା କରିବାକୁ ଉଦ୍ୟମ କରିଥିଲେ। ଫଳରେ ତାଙ୍କ ହାତରେ ଗଭୀର ଆଘାତ ଲାଗିଥିଲା। ଜୀବନ ବିକଳରେ ସେ ଘଟଣାସ୍ଥଳରୁ ଦୌଡ଼ି ପଡ଼ୋଶୀଙ୍କ ଘରେ ଆଶ୍ରୟ ନେଇଥିଲେ। ପରେ ଆହତ ସବିତା ଛତ୍ରପୁର ଡାକ୍ତରଖାନାରେ ଚିକିତ୍ସିତ ହେବା ପରେ ଚମାଖଣ୍ଡି ଥାନାରେ ଅଭିଯୁକ୍ତ ପ୍ରେମାନନ୍ଦଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଏନେଇ ପୁଲିସ ୫୧୨/୨୫ ନମ୍ବରରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରି ଅଦାଲତ ଚାଲାଣ କରିଥିଲା। ସେ ପ୍ରାୟ ୬ ମାସ ଜେଲ୍ରେ ରହିବା ପରେ ଜାମିନରେ ମୁକୁଳିଥିଲେ। ପରବର୍ତ୍ତୀ ସମୟରେ ୨୬୧/୨୫ ନମ୍ବର ମାମଲାର ବିଚାର ଅଦାଲତରେ ଚାଲିଥିଲା। ମାମଲାରେ ୫ ଜଣ ସାକ୍ଷୀଙ୍କ ବୟାନ ଓ ଉପସ୍ଥାପିତ ପ୍ରମାଣକୁ ଆଧାର କରି ମାନ୍ୟବର ଅଦାଲତ ଭାରତୀୟ ନ୍ୟାୟ ସଂହିତାର ୧୧୮(୧) ଧାରାରେ ଅଭିଯୁକ୍ତ ପ୍ରେମାନନ୍ଦ ପ୍ରଧାନଙ୍କୁ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସରକାରଙ୍କ ପକ୍ଷରୁ କ୍ୟାଡର ଅତିରିକ୍ତ ପବ୍ଲିକ ପ୍ରଶିକ୍ୟୁଟର ନିହାର ରଞ୍ଜନ ଜେନା ମାମଲା ପରିଚାଳନା କରିଥିବା ବେଳେ ସରକାରୀ ଓକିଲ ପ୍ରଦୀପ କୁମାର ପାଢ଼ୀ ଓ ଗଙ୍ଗାଧର ପଣ୍ଡା ସହଯୋଗ କରିଥିଲେ।


