ଡାଲି ଓ ତୈଳବୀଜର ଏମ୍ଏସ୍ପି ସଚେତନତା ତାଲିମ ଶିବିର
ନାଉଗାଁ ,(ପ୍ରଦୋଷ ମହାନ୍ତି): ଡାଲି ଓ ତୈଳବୀଜ ଜାତୀୟ ଫସଲର ଉପଯୁକ୍ତ ମୂଲ୍ୟ ପାଇବା ସହ ସରକାରୀ ବ୍ୟବସ୍ଥାରେ ଉତ୍ପାଦିତ ଫସଲ ବିକ୍ରୟ କରିବା ନେଇ ଚାଷୀଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ନାଫେଡ୍ ଭୁବନେଶ୍ୱର ଓ ମାର୍କଫେଡ୍ ଓଡ଼ିଶା ପକ୍ଷରୁ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକରେ ଏକ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ ଗୁରୁବାର ଆୟୋଜିତ ହୋଇଯାଇଛି। ଡେରିକି ସମବାୟ ସମିତି ଲିଃ.ର ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି),ଚାଷୀ ପଞ୍ଜୀକରଣ ଓ ସରକାରୀ ମଣ୍ଡିରେ ଫସଲ ବିକ୍ରୟ ସମ୍ପର୍କରେ ବିସ୍ତୃତ ତାଲିମ ଦିଆଯାଇଥିଲା। କାର୍ଯ୍ୟକ୍ରମରେ ନାଫେଡ୍ର ଓଡ଼ିଶା ରାଜ୍ୟ ମୁଖ୍ୟ ତଥା ପୂର୍ବାଞ୍ଚଳ ଆଞ୍ଚଳିକ ପ୍ରବନ୍ଧକ ଅନିନ୍ଦିତା ଗୁହା, ସହକାରୀ ପ୍ରବନ୍ଧକ ଗୋବିନ୍ଦ ମୁର୍ମୁ, ଜଗତସିଂହପୁର ସମବାୟ ସମିତିର ଉପନିବନ୍ଧକ ସନ୍ତୋଷ କୁମାର ମଲ୍ଲିକ, ସହକାରୀ ନିବନ୍ଧକ ରଶ୍ମିପ୍ରଭା ରାୟ ଓ ଡେରିକି ସମବାୟ ସମିତିର ସଭାପତି ପ୍ରକାଶ ଚନ୍ଦ୍ର ଜେନା ଯୋଗଦେଇ ଚାଷୀଙ୍କୁ ଏମ୍ଏସ୍ପି ବ୍ୟବସ୍ଥାର ସୁଯୋଗ ନେବାକୁ ପରାମର୍ଶ ଦେଇଥିଲେ। ଖରିଫ-୨୦୨୬ ଓ ରବି-୨୦୨୭ ଋତୁ ପାଇଁ ବିଭିନ୍ନ ଫସଲର ଧାର୍ଯ୍ୟ ଏମ୍ଏସ୍ପି ସମ୍ପର୍କରେ ଚାଷୀଙ୍କୁ ଅବଗତ କରାଯାଇଥିଲା। ଏଥିସହ ଇ-ସମୃଦ୍ଧି ପୋର୍ଟାଲ ମାଧ୍ୟମରେ ଚାଷୀମାନେ କିପରି ପଞ୍ଜୀକରଣ କରିବେ ଏବଂ ଏମ୍ଏସ୍ପି ଆଧାରରେ ନିଜ ଉତ୍ପାଦିତ ଫସଲ କିପରି ବିକ୍ରୟ କରିପାରିବେ, ସେନେଇ ପ୍ରାୟୋଗିକ ତାଲିମ ପ୍ରଦାନ କରାଯାଇଥିଲା। ସରକାରୀ ସହାୟତାର ସୁଯୋଗ ନେଇ ଚାଷୀମାନେ ନିଜ ଉତ୍ପାଦର ଉଚିତ ମୂଲ୍ୟ ପାଇବା ସହ କୃଷି କ୍ଷେତ୍ରରେ ଆର୍ଥିକ ଭାବେ ସ୍ୱାବଲମ୍ବୀ ହୋଇପାରିବେ ବୋଲି ଅତିଥିମାନେ ମତ ଦେଇଥିଲେ। କାର୍ଯ୍ୟକ୍ରମକୁ ନାଫେଡ୍ର ମନୋଜ କୁମାର ପ୍ରତିହାରୀ ଓ ଅମରେନ୍ଦ୍ର କୁମାର ପରିଡ଼ା, ଡେରିକି ସମବାୟ ସମିତିର ସମ୍ପାଦକ ବାପୁଜୀ ଜେନା, ତିରୁଣା ସମ୍ପାଦକ ରଞ୍ଜନ ବେହେରା, ନାଉଗାଁର ଜ୍ୟୋତିପ୍ରକାଶ ଲେଙ୍କା ଓ ଶିଖରର ପ୍ରସନ୍ନ ସ୍ୱାଇଁଙ୍କ ସମେତ ଅନ୍ୟ କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ। ଚାଷୀ ଅଶୋକ ସ୍ୱାଇଁ, ପ୍ରଫୁଲ୍ଲ ପରିଡ଼ା, ଧରଣୀଧର ସ୍ୱାଇଁ, ବିଷ୍ଣୁ ବେହେରା, ପ୍ରିୟରଞ୍ଜନ ସ୍ୱାଇଁ, କେଦାର ଜେନା, ସଞ୍ଜୟ ବିଶ୍ୱାଳ, ଅର୍ଜୁନ ଜେନା, ପ୍ରହଲ୍ଲାଦ ବିଶ୍ୱାଳ ଓ ନିର୍ଭୟ ନାୟକଙ୍କ ସମେତ ୨୦୦ରୁ ଊର୍ଦ୍ଧ୍ୱ ଚାଷୀ ଯୋଗଦେଇଥିଲେ।


