କେନ୍ଦ୍ରାପଡାରେ ଯୋଗଦେଲେ ନୂତନ ଉପଜିଲ୍ଲାପାଳ ଜ୍ୟୋତିକାନ୍ତ ଭୁଜବଳ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡ଼ାର ନୂତନ ଉପଜିଲ୍ଲାପାଳ ଭାବେ ଗୁରୁବାର ଯୋଗ ଦେଇଛନ୍ତି ଜ୍ୟୋତିକାନ୍ତ ଭୁଜବଳ। ସେ ଏହାପୂର୍ବରୁ ପୁରୀ ଶ୍ରୀମନ୍ଦିର ପ୍ରଶାସନର ଉପ ପ୍ରଶାସକ(ରାଜସ୍ୱ) ଭାବେ କାର୍ଯ୍ୟରତ ଥିଲେ। ଏଠାରେ ଥିବା ବହୁ ଚର୍ଚ୍ଚିତ ତଥା ବିବାଦୀୟ ଉପଜିଲ୍ଲାପାଳ ଅରୁଣ କୁମାର ନାୟକ ଭାରମୁକ୍ତ ହୋଇଛନ୍ତି। ରାଜ୍ୟ ସରକାର ତାଙ୍କୁ ପୁରୀ ଜିଲ୍ଲା ପରିଷଦର ଅତିରିକ୍ତ ନିର୍ବାହୀ ଅଧିକାରୀ ଭାବେ ଅବସ୍ଥାପିତ କରିଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ ପୂର୍ବତନ ଉପଜିଲ୍ଲାପାଳ ଶ୍ରୀ ନାୟକ କେନ୍ଦ୍ରାପଡ଼ାରେ କାର୍ଯ୍ୟଭାର ଗ୍ରହଣ କରିବା ପରଠାରୁ ତାଙ୍କ କାର୍ଯ୍ୟଶୈଳୀ ଓ ଆଚରଣକୁ ନେଇ କ୍ରମାଗତ ଭାବେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇ ଆସୁଥିଲା। ବିଭିନ୍ନ ସମୟରେ ତାଙ୍କର ଅପ୍ରୀତିକର ବ୍ୟବହାର ଓ ମନମୁଖୀ କାର୍ଯ୍ୟକଳାପ ନେଇ ଜିଲ୍ଲାର ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଲାଗି ରହିଥିଲା। ପୂର୍ବରୁ ସେ ସ୍ଥାନୀୟ ଆଇନଜୀବୀମାନଙ୍କ ପ୍ରତି ଅଶାଳୀନ ବ୍ୟବହାର ପ୍ରଦର୍ଶନ କରିବା ସହ ଗଣମାଧ୍ୟମ ପ୍ରତିନିଧି ତଥା ସାମ୍ବାଦିକମାନଙ୍କୁ ମଧ୍ୟ ଦୁର୍ବ୍ୟବହାର କରିଥିବା ନେଇ ବାରମ୍ବାର ବିବାଦ ଉପୁଜିଥିଲା। ଏପରିକି ସମାଜର ମୁରବି ତଥା ବରିଷ୍ଠ ନାଗରିକମାନଙ୍କୁ ମଧ୍ୟ ସେ ଅଣଦେଖା ଓ ଅସମ୍ମାନ କରିବାକୁ ପଛାଇ ନ ଥିଲେ। ସାଧାରଣ ଲୋକେ ନିଜର ଦୁଃଖ, ସମସ୍ୟା ଓ ନ୍ୟାୟର ଆଶା ନେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଗଲେ ସେମାନଙ୍କୁ ସହାନୁଭୂତି ମିଳିବା ବଦଳରେ ରୁକ୍ଷ ବ୍ୟବହାରର ସମ୍ମୁଖୀନ ହେବାକୁ ପଡ଼ୁଥିଲା ବୋଲି ଅଭିଯୋଗ ହୋଇଥିଲା। ଲୋକଙ୍କ ସମସ୍ୟା ଶୁଣିବା ପରିବର୍ତ୍ତେ ତାଙ୍କର ଦୁର୍ବ୍ୟବହାର ଯୋଗୁଁ ସାଧାରଣ ଜନତାଙ୍କ ମନରେ ପ୍ରଶାସନ ପ୍ରତି ଘୋର ଅବିଶ୍ୱାସ ସୃଷ୍ଟି ହୋଇଥିଲା। ଏହି ଘଟଣାକୁ ନେଇ କ୍ଷୁବ୍ଧ କେନ୍ଦ୍ରାପଡା ଜିଲ୍ଲା ବାର୍ ଆସୋସିଏସନ, ସାମ୍ବାଦିକ ସଂଘ ଓ ସାଧାରଣ ନାଗରିକଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ ତାଙ୍କ ବିରୋଧରେ ଲିଖିତ ଅଭିଯୋଗ ଦାଖଲ କରାଯାଇଥିଲା। ଜିଲ୍ଲାରେ ଦିନକୁ ଦିନ ଉପୁଜୁଥିବା ଅସନ୍ତୋଷ ଓ ବିବାଦୀୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ତାଙ୍କୁ ଏଠାରୁ ବଦଳି କରିଥିଲେ। ଶ୍ରୀ ନାୟକ ଏଠାରୁ ଭାରମୁକ୍ତ ହେବା ଖବର ପ୍ରକାଶ ପାଇବା ପରେ ସ୍ଥାନୀୟ ଆଇନଜୀବୀ, ଗଣମାଧ୍ୟମ ପ୍ରତିନିଧି ତଥା ଜନସାଧାରଣଙ୍କ ମଧ୍ୟରେ ଆଶ୍ୱସ୍ତି ପ୍ରକାଶ ପାଇଛି। ଅପରପକ୍ଷରେ ନୂତନ ଉପଜିଲ୍ଲାପାଳ ଶ୍ରୀ ଭୂଜବଳ କାର୍ଯ୍ୟଭାର ଗ୍ରହଣ କରିବାରୁ ଏଠାରେ ପ୍ରଶାସନିକ ସ୍ୱଚ୍ଛତା ଓ ଲୋକାଭିମୁଖୀ ସେବା ସୁନିଶ୍ଚିତ ହେବ ବୋଲି ସହରବାସୀ ଆଶା ରଖିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ