ମହିଳାଙ୍କ ବେକରୁ ସୁନା ଚେନ୍ ଲୁଟ୍
କଟକ,(ଓ୍ବାଇଏନଏସ) : କଟକ ସହରରେ ମହିଳା ଓ ବରିଷ୍ଠ ନାଗରିକଙ୍କ ସୁରକ୍ଷାକୁ ନେଇ ପୁଣି ଉଦ୍ବେଗ ପ୍ରକାଶ ପାଇଛି। ଶିଖରପୁର ଏଣ୍ଟ୍ରାନ୍ସ ନିକଟସ୍ଥ ପ୍ରଧାନ ଟ୍ରାନ୍ସପୋର୍ଟ ଅଫିସ୍ ସମ୍ମୁଖରେ ମହାନଦୀ ବିହାର ସେକ୍ଟର-୧ର ଜଣେ ବରିଷ୍ଠ ମହିଳାଙ୍କ ବେକରୁ ଦୁର୍ବୃତ୍ତମାନେ ସୁନା ଚେନ୍ ଛିନ୍ତାଇ କରି ଫେରାର ହୋଇଯାଇଛନ୍ତି। ଏହି ଘଟଣାରେ ଆହତ ମହିଳାଙ୍କୁ ପୋଲିସର ସହଯୋଗରେ ଚିକିତ୍ସା ପାଇଁ କଟକ ବଡ଼ ଡାକ୍ତରଖାନାକୁ ପଠାଯାଇଥିଲା । ସେ ମହାନଦୀ ବିହାରର ପ୍ଲଟ୍ ନମ୍ବର ୧୩୯ର ବାସିନ୍ଦା ବୋଲି ଜଣାପଡ଼ିଛି। ଏହି ଘଟଣା ପରେ ମହାନଦୀ ବିହାର ଅଞ୍ଚଳରେ ପୋଲିସ ସୁରକ୍ଷା ଓ ନିୟମିତ ପାଟ୍ରୋଲିଂ ବ୍ୟବସ୍ଥାକୁ ନେଇ ମହାନଦୀ ବିହାର ଡେଭଲପମେଣ୍ଟ ଆସୋସିଏସନ ପକ୍ଷରୁ କମିଶନରେଟ୍ ପୋଲିସ ନିକଟରେ ଦୃଢ଼ ଦାବି ଉପସ୍ଥାପନ କରାଯାଇଛି। ମହାନଦୀ ବିହାର ଓ ଶିଖରପୁର ଏଣ୍ଟ୍ରାନ୍ସ ଅଞ୍ଚଳରେ ନିୟମିତ ଏବଂ ଘନଘନ ପୋଲିସ ପାଟ୍ରୋଲିଂ କରିବା ସହ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବାକୁ ସଂଘ ଦାବି କରିଛି। ଏଥିସହ ମହାନଦୀ ବିହାରରେ ସ୍ଥାପିତ ପୋଲିସ ଫାଣ୍ଡିକୁ ଅଧିକ କାର୍ଯ୍ୟକ୍ଷମ କରିବା ସହ ଜଣେ ଉପନିରୀକ୍ଷକ ପାହ୍ୟାର ଅଧିକାରୀଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ ଦେବାକୁ ଦାବି କରାଯାଇଛି। ଚାଉଳିଆଗଞ୍ଜ ଥାନାର ଅନ୍ୟାନ୍ୟ ଅତିରିକ୍ତ ଦାୟିତ୍ୱରୁ ଏହି ଅଧିକାରୀଙ୍କୁ ଯଥାସମ୍ଭବ ମୁକ୍ତ ରଖି ମହାନଦୀ ବିହାର ଅଞ୍ଚଳର ଆଇନଶୃଙ୍ଖଳା ଓ ନାଗରିକଙ୍କ ସୁରକ୍ଷା ଉପରେ ସ୍ୱତନ୍ତ୍ର ନଜର ରଖିବାକୁ ମହାନଦୀ ବିହାର ଡେଭଲପମେଣ୍ଟ ଆସୋସିଏସନ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ବିଶେଷକରି ମହିଳା ଓ ବରିଷ୍ଠ ନାଗରିକଙ୍କ ସୁରକ୍ଷାକୁ ସ୍ୱତନ୍ତ୍ର ପ୍ରାଥମିକତା ଦେବା ସହ ପୋଲିସ ଓ ମହାନଦୀ ବିହାର ଡେଭଲପମେଣ୍ଟ ଆସୋସିଏସନର ମିଳିତ ସହଯୋଗରେ ନିୟମିତ ପୋଲିସ-ଜନସାଧାରଣ ସମନ୍ୱୟ ବୈଠକ ଏବଂ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବାକୁ ମଧ୍ୟ ଦାବି ହୋଇଛି। ପୋଲିସ ପ୍ରଶାସନର କାର୍ଯ୍ୟ ଓ ସହଯୋଗକୁ ସମ୍ମାନ ଜଣାଇ ସଂଘ ପକ୍ଷରୁ କୁହାଯାଇଛି ଯେ, ସୀମିତ କର୍ମଚାରୀ ଓ ଅଧିକ କାର୍ଯ୍ୟଭାର ସତ୍ତ୍ୱେ ପୋଲିସ ନିଜ ଦାୟିତ୍ୱ ତୁଲାଉଛି। ତେବେ ଏକ ବୃହତ୍ ଆବାସିକ ଅଞ୍ଚଳର ସୁରକ୍ଷା ପାଇଁ ସ୍ୱତନ୍ତ୍ର ନଜରଦାରୀ, କାର୍ଯ୍ୟକ୍ଷମ ପୋଲିସ ଫାଣ୍ଡି ଓ ନିୟମିତ ପାଟ୍ରୋଲିଂ ଅତ୍ୟନ୍ତ ଆବଶ୍ୟକ। ଅନ୍ୟପକ୍ଷରେ ଅଞ୍ଚଳବାସୀଙ୍କୁ ନିଜେ ସତର୍କ ରହିବା, ବରିଷ୍ଠ ନାଗରିକଙ୍କ ପ୍ରତି ଯତ୍ନବାନ ହେବା ଏବଂ କୌଣସି ସନ୍ଦେହଜନକ ଗତିବିଧି ଦେଖିଲେ ତୁରନ୍ତ ପୋଲିସକୁ ଜଣାଇବାକୁ ସଂଘ ପକ୍ଷରୁ ଅନୁରୋଧ କରାଯାଇଛି। ଆହତ ବରିଷ୍ଠ ମହିଳାଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ମହାନଦୀ ବିହାର ଡେଭଲପମେଣ୍ଟ ଆସୋସିଏସନର ସଭାପତି ସଞ୍ଜୟ କୁମାର ଜେନା। ସୁରକ୍ଷିତ ମହାନଦୀ ବିହାର ଗଠନ ପାଇଁ ପୋଲିସ ଓ ଜନସାଧାରଣଙ୍କ ମିଳିତ ସହଯୋଗ ଅପରିହାର୍ଯ୍ୟ ବୋଲି ସେ ମତ ଦେଇଛନ୍ତି।


